ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ସୁଯୋଗ: ଇଞ୍ଜିନିୟରିଂ-ମେଡିକାଲ ପ୍ରବେଶିକା ପରୀକ୍ଷା ଲାଗି ମାଗଣାରେ କୋଚିଂ

ସୁନ୍ଦରଗଡ଼/ରାଉରକେଲା: ସର୍ବଭାରତୀୟ ସ୍ତରରେ ଇଞ୍ଜିନିୟରିଂ, ମେଡିକାଲ, ଆଇନ ଏବଂ ଆର୍କିଟେକ୍ଚର ଆଦି ଉଚ୍ଚଶିକ୍ଷା କ୍ଷେତ୍ରରେ ନାମ ଲେଖାଇବା ଲାଗି ଆବଶ୍ୟକ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ସୁନ୍ଦରଗଡ଼ ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ କୋଚିଂ ଦିଆଯାଉଛି । ଜିଲ୍ଲାର ଖଣି ପ୍ରଭାବିତ ବ୍ଲକର ଆଦିବାସୀ, ଗରିବ ଓ ସାଧାରଣ ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ସ୍ୱପ୍ନ ସାକାର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନୂଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଜିଲ୍ଲାର ୬ଟି ଖଣି ପ୍ରଭାବିତ କୋଇଡ଼ା, କୁତ୍ରା, ଲହୁଣୀପଡ଼ା, କୁଆରମୁଣ୍ଡା, ରାଜଗାଙ୍ଗପୁର ଏବଂ ହେମଗିର ବ୍ଲକର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଏଥିପାଇଁ ମାର୍କ ଆଧାରରେ ଏହି କୋଚିଂ ନେବା ଲାଗି ସୁଯୋଗ ଦିଆଯାଉଛି । ଦଶମ ଏବଂ +୨ ପାସ୍ କରିଥିବା ତଥା +୨ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଆଇଆଇଟି, ଜେଇଇ, ଏନ୍ଇଇଟି, କ୍ଲାଟ୍ ଏବଂ ନାଟା ଭଳି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଲାଗି ଏଠାରେ ପ୍ରସ୍ତୁତ କରାଯାଉଛି ।

ଏହି କୋଚିଂ ଦେବା ଲାଗି ସୁନ୍ଦରଗଡ଼, ରାଜଗାଙ୍ଗପୁର ଏବଂ ରାଉରକେଲାଠାରେ ୩ଟି ସ୍ୱତନ୍ତ୍ର କେନ୍ଦ୍ର କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ଆରମ୍ଭ ହୋଇଥିବା ଏହି କୋଚିଂ କାର୍ଯ୍ୟକ୍ରମରେ ପ୍ରଥମ ବ୍ୟାଚରେ ମୋଟ ୪୦୦ ଛାତ୍ରଛାତ୍ରୀ ଯୋଗଦେଇଛନ୍ତି । କୋଚିଂ ସହିତ ପିଲାମାନଙ୍କୁ ମାଗଣାରେ ହଷ୍ଟେଲ ସୁବିଧା ସହ ଖାଇବା ପିଇବା ବ୍ୟବସ୍ଥା କରାଯାଇଛି ।

“ଖଣି ପ୍ରଭାବିତ ରାଜଗାଙ୍ଗପୁର ବ୍ଲକ ଅଞ୍ଚଳରେ ମୋ’ ଘର । ମୁଁ ଭବିଷ୍ୟତରେ ଇଞ୍ଜିନିୟର ହେବା ପାଇଁ ଲକ୍ଷ୍ୟ ରଖିଛି । କିନ୍ତୁ ରାଜଗାଙ୍ଗପୁରରେ ଉଚ୍ଚଶିକ୍ଷା ଲାଗି ପ୍ରସ୍ତୁତ ହେବା ପାଇଁ ସେମିତି କିଛି ବିଶେଷ ସୁବିଧା ନଥିଲା । ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା କୋଚିଂ କେନ୍ଦ୍ରରେ ମୁଁ ନାମ ଲେଖାଇଛି । ଆଇଆଇଟି ପ୍ରବେଶିକା ପରୀକ୍ଷାରେ ଭଲ ନମ୍ବର ରଖି ମୁଁ ମୋ’ ସ୍ୱପ୍ନ ସାକାର କରିପାରିବି”, କହନ୍ତି ସୁନ୍ଦରଗଡ଼ କେନ୍ଦ୍ରରେ କୋଚିଂ ନେଉଥିବା ଛାତ୍ରୀ ତେଜସ୍ୱିନୀ ପେରୁଆ ।

“ମୁଁ ଏନଇଇଟି ପ୍ରବେଶିକା ପରୀକ୍ଷା ଦେଇ ଡାକ୍ତରୀ ପାଠ ପିବାକୁ ଚାହୁଁଥିଲି । କିନ୍ତୁ ଅର୍ଥ ଅଭାବରୁ ଏଥିପାଇଁ ଠିକ୍ ଭାବେ ପ୍ରସ୍ତୁତ ହୋଇପାରୁ ନଥିଲି । ମୁଁ ରାଉରକେଲା କେନ୍ଦ୍ରରେ ଏହି କୋଚିଂ ନେବା ଲାଗି ସୁଯୋଗ ପାଇଛି । ମାଗଣାରେ ମତେ ଆବଶ୍ୟକ ବହିପତ୍ର ଓ ପାଠ୍ୟ ଉପକରଣ ମିଳିଛି । ଏହି କୋଚିଂ ମତେ ଏଣ୍ଟ୍ରାନ୍ସ ପରୀକ୍ଷାରେ ଭଲ ନମ୍ବର ରଖିବାରେ ସାହାଯ୍ୟ କରିବ”, କହନ୍ତି କୁଆରମୁଣ୍ଡା ବ୍ଲକର ଛାତ୍ର ଡାଭିଡ୍ କେରକେଟା ।

ଡାକ୍ତରୀ ଓ ଇଂଜିନିୟରିଂ ଭଳି ପ୍ରତିଯୋଗିତାମୂଳକ ପ୍ରବେଶିକା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଭଲ ପ୍ରଦର୍ଶନ କରିବା ପାଇଁ ସାରା ଦେଶରୁ ଅନେକ ଛାତ୍ରଛାତ୍ରୀ ରାଜସ୍ଥାନର କୋଟା ଯାଇ କୋଚିଂ ନେଇଥାନ୍ତି । କୋଟାର ସେହି ଅନୁଭୂତିସଂପନ୍ନ କୋଚିଂ ଅନୁଷ୍ଠାନ ମଧ୍ୟରୁ ଦୁଇଟି ସଂସ୍ଥାକୁ ବାଛି ସୁନ୍ଦରଗଡ଼ର ଏହି ତିନୋଟି କୋଚିଂ ସେଣ୍ଟରର ଦାୟିତ୍ୱ ଦିଆଯାଇଛି । ତେଣୁ ଏହି କୋଚିଂରେ ଯୋଗ ଦେବା ଲାଗି ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ବିଶେଷ ଉତ୍ସାହ ଦେଖାଉଛନ୍ତି ।

“ସର୍ବଭାରତୀୟ ସ୍ତରର ବିଭିନ୍ନ ବୈଷୟିକ ଓ ପେସାଦାର ଶିକ୍ଷାର ପ୍ରବେଶିକା ପରୀକ୍ଷା ଲାଗି ମାଗଣାରେ କୋଚିଂ ଦେଇ ଆମ ଭଳି ଛାତ୍ରଛତ୍ରୀମାନଙ୍କୁ ଏଠି ପ୍ରସ୍ତୁତ କରାଯାଉଛି । କୋଚିଂ କେନ୍ଦ୍ରରେ ପାଠ ପଢ଼ିବା ପାଇଁ ଭଲ ସୁବିଧା ରହିଛି । ଶିକ୍ଷକମାନେ ମଧ୍ୟ ଆମକୁ ସବୁବେଳେ ଉତ୍ସାହିତ କରୁଛନ୍ତି । ଏହି ବ୍ୟବସ୍ଥା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ଧନ୍ୟବାଦ”, କହିଛନ୍ତି ଏହି କୋଚିଂରେ ଯୋଗ ଦେଇଥିବା ହେମଗିର ବ୍ଲକର ଛାତ୍ରୀ ଲକ୍ଷ୍ମୀପ୍ରିୟା ମହାନନ୍ଦିଆ ।

କୋଚିଂ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଆଧୁନିକ କ୍ଲାସ ରୁମ୍ ସହିତ ଆବଶ୍ୟକ ପାଠାଗାର ସୁବିଧା ରହିଛି । ଛାତ୍ରଛାତ୍ରୀଙ୍କୁ ମାଗଣାରେ ବହିପତ୍ର ଓ ପାଠ୍ୟ ଉପକରଣ ଯୋଗାଇ ଦିଆଯାଉଛି । କୋଚିଂ କେନ୍ଦ୍ର ଏବଂ ହଷ୍ଟେଲରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ସହିତ ଇଣ୍ଟରନେଟ୍ ସୁବିଧା ରହିଛି । ପିଲାମାନଙ୍କର ଉପସ୍ଥାନକୁ ସୁନିଶ୍ଚିତ କରିବା ପାଇଁ ବାୟୋମେଟ୍ରିକ୍ ପରିଚୟପତ୍ର ବ୍ୟବସ୍ଥା କରାଯାଇଛି ।

ସୁନ୍ଦରଗଡ଼ ଜିଲ୍ଲାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ଆଇଆଇଟି, ଜେଇଇ କୋଚିଂ ଭଳି ଆଉ କେତୋଟି କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି । ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ମାଗଣାରେ ନିଯୁକ୍ତି ଉପଯୋଗୀ କୋଚିଂ ଦେବା ଲାଗି ଜିଲ୍ଲାରେ ପୂର୍ବରୁ “ସୁଦକ୍ଷ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ସୁନ୍ଦରଗଡ଼, ରାଉରକେଲା ଏବଂ ବଣାଇଁ – ଏହି ୩ଟି କେନ୍ଦ୍ର ମାଧ୍ୟମରେ ପ୍ରାର୍ଥୀମାନଙ୍କୁ ବ୍ୟାଙ୍କିଙ୍ଗ୍, ବୀମା, ସାମରିକ ବାହିନୀ, ଓଡ଼ିଶା ପୋଲିସ, ଷ୍ଟାଫ ସିଲେକ୍ସନ ଆଦି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ କରାଯାଉଛି ।

 

 

ସମ୍ବନ୍ଧିତ ଖବର