କଟକ : ରାଜ୍ୟ ସରକାରଙ୍କ ମାଗଣା ରୋଗ ପରୀକ୍ଷା ‘ନିଦାନ’ ଯୋଜନାକୁ ନେଇ ଏବେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଜାନୁଆରି ୧ ତାରିଖରୁ ସବୁ ସରକାରୀ ହସ୍ପିଟାଲରେ ମାଗଣା ରୋଗ ପରୀକ୍ଷା ହେବ ବୋଲି ସରକାର ଘୋଷଣା କରିଥିଲେ। କିନ୍ତୁ ଜାନୁଆରି ୪ ତାରିଖରେ ବି ଏ ଯୋଜନା ସବୁଠି ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ସରକାରଙ୍କ ଘୋଷଣା ଅନୁଯାୟୀ ରୋଗୀ ପରୀକ୍ଷା ପାଇଁ ଟଙ୍କା ଦେବାକୁ ନାରାଜ ଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷ କିନ୍ତୁ ଟଙ୍କା ଛାଡିବାକୁ ନାରାଜ। ଏଭଳି ସ୍ଥିତିରେ ବିଭିନ୍ନ ସ୍ଥାନରେ ବାରମ୍ବାର ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଛି।
ଏହାକୁ ନେଇ ସବୁଠୁ ଅଧିକ ବିବାଦୀୟ ପରିସ୍ଥିତି ସୃଷ୍ଟି ହେଉଛି କଟକ ବଡ଼ ମେଡିକାଲ୍ରେ। ସୂଚନା ଅନୁଯାୟୀ କଟକ ବଡ ମେଡିକାଲରେ ପ୍ରାୟ ୭୫୪ଟି ରୋଗ ପରୀକ୍ଷା ବ୍ୟବସ୍ଥା ଥିବା ବେଳେ ଏଯାବତ୍ ମାତ୍ର ୨୨୨ଟି ପରୀକ୍ଷାକୁ ମାଗଣା କରାଯାଇଛି। ଗତକାଲି ଏମ୍ଆରଆଇ ମାଗଣା କରାଯିବା ପରେ ଏହି ସଂଖ୍ୟା ୨୨୨ରେ ପହଞ୍ଚିଛି। କିନ୍ତୁ ଅନ୍ୟ ପ୍ରାୟ ୫୩୨ଟି ପରୀକ୍ଷା ପାଇଁ ପୂର୍ବଭଳି ନିର୍ଦ୍ଧାରିତ ଦେୟ ଦେବାକୁ ପଡୁଛି। ଅର୍ଥାତ ୩ ଭାଗରୁ ଭାଗେ ପରୀକ୍ଷା ବି ଏଯାଏ ମାଗଣା ହୋଇପାରି ନାହିଁ। ସରକାର ଉପଯୁକ୍ତ ବ୍ୟବସ୍ଥା ନକରି ଏଭଳି ତରବରିଆ ଭାବେ କାହିଁକି ମାଗଣା ‘ନିଦାନ’ ଯୋଜନା ଘୋଷଣା କଲେ ତାହାକୁ ନେଇ ପ୍ରଶ୍ନ ଉଠୁଛି।
ଅନ୍ୟପଟେ ସୂଚନା ଅନୁଯାୟୀ ଡିସେମ୍ବର ୧୯ ତାରିଖରେ ସରକାର ‘ନିଦାନ’ ଯୋଜନା ଘୋଷଣା କରିଥିଲେ ବି ସରକାରୀ ଲିଖିତ ନିର୍ଦ୍ଦେଶ ଏସ୍ସିବି ମେଡିକାଲ୍ରେ ୨୯ ତାରିଖ ଅପରାହ୍ନରେ ପହଞ୍ଚିଥିଲା। ଡିସେମ୍ବର ୩୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଘାଟନ କାର୍ଯ୍ୟକ୍ରମ ଓ ତା’ପରେ ରବିବାର ପଡ଼ିଯାଇଥିବାରୁ ସରକାରଙ୍କ ଏହି ଯୋଜନାକୁ କିପରି ପ୍ରଣୟନ କରାଯିବ ସେ ନେଇ ପ୍ରସ୍ତୁତି ହୋଇପାରିନଥିଲା। ଯେଉଁଥିପାଇଁ ଜାନୁଆରି ୧ ତାରିଖରେ ୟୁଜର୍ସ ଫି ଆଦାୟ କାଉଣ୍ଟର ନିକଟରେ ଆରମ୍ଭରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ନିଷ୍ପତ୍ତିକ୍ରମେ ରୋଗୀଙ୍କଠୁ ଟିକେଟ କିମ୍ବା ଧାର୍ଯ୍ୟ ଡାକ୍ତରୀ ସ୍ଲିପ୍ର ଜେରକ୍ସ କପି କରାଯାଇ ସଂପୃକ୍ତ ବିଭାଗରେ ଦାଖଲ କରାଯିବା ପରେ ମାଗଣାରେ ପରୀକ୍ଷା ପାଇଁ ନିଷ୍ପତ୍ତି ହେଲା। କିନ୍ତୁ ରୋଗୀ ସମ୍ପର୍କୀୟମାନେ ଜେରକ୍ସ କରାଇବା ପାଇଁ ମଧ୍ୟ ଏଣେତେଣେ ଯିବାକୁ ପଡ଼ୁଥିବାରୁ ଏହାକୁ ଅନୁଭବ କରି ଏବେ କର୍ତ୍ତୃପକ୍ଷ ମାଗଣା ସ୍ଲିପ୍ ପ୍ରଚଳନ ପାଇଁ ନିଷ୍ପତ୍ତି ନେଇଛନ୍ତି। ‘ମାଗଣା ସ୍ଲିପ୍’ ବ୍ୟବସ୍ଥାରେ ପୂର୍ବଭଳି ରୋଗୀମାନଙ୍କୁ ଡାକ୍ତରଙ୍କ ଟିକେଟ ସହ ୟୁଜର୍ସ କାଉଣ୍ଟର ଯିବାକୁ ହେବ। ସେଠାରେ ରସିଦ୍ ଦିଆଯିବା ବଦଳରେ ଯେଉଁ ପରୀକ୍ଷା ଗୁଡ଼ିକ ମାଗଣା ହୋଇଥିବ ତାହା ଉପରେ ମାଗଣା ସ୍ଲିପ୍ ପ୍ରଦାନ କରାଯିବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଯେଉଁଗୁଡ଼ିକ ଦେୟଯୁକ୍ତ ପରୀକ୍ଷା ହୋଇଥିବ ତାହା ଉପରେ ୟୁଜର୍ସ ଚାର୍ଜ ଆଦାୟ କରାଯିବ ବୋଲି କୁହାଯାଇଛି। ଅର୍ଥାତ ଏହି ପ୍ରକ୍ରିୟାରେ ଏବେ ବି ୫୩୨ଟି ପରୀକ୍ଷା ପାଇଁ ଦେୟ ଦେବାକୁ ପଡ଼ିବ।
ଏସ୍ସିବି ମେଡିକାଲ୍ ଅଧୀକ୍ଷକ ପ୍ରଫେସର ଡାକ୍ତର ଶ୍ୟାମା କାନୁନ୍ଗୋଙ୍କ କହିବାନୁଯାୟୀ, କୌଣସି ନୂତନ ବ୍ୟବସ୍ଥା ପ୍ରଚଳନ ହେଲେ ତାହାକୁ ପୂର୍ଣ୍ଣ ମାତ୍ରାରେ କାର୍ଯ୍ୟକାରୀ କରିବାକୁ କିଛି ସମୟ ଲାଗିବ। ମାଗଣା ସ୍ଲିପ୍ ପାଇଁ ପ୍ରଥମେ ୟୁଜର୍ସ କାଉଣ୍ଟର ଗୁଡ଼ିକରେ ସଫ୍ଟଓୟାରଗୁଡ଼ିକୁ ଅପ୍ଗ୍ରେଡେସନ୍ କରିବାକୁ ହେବ। ଯେଉଁ ପରୀକ୍ଷା ଗୁଡ଼ିକ ମାଗଣା ହେବ, ତାହାର ଆଗରେ ‘୦’ କିମ୍ବା ‘ନୋ-କଷ୍ଟ’ ଲେଖାଯିବାକୁ ଚିନ୍ତା କରାଯାଉଛି। ରୋଗୀମାନେ କାଉଣ୍ଟରରୁ ସେହି ସ୍ଲିପ୍କୁ ଆଣି ସଂପୃକ୍ତ ବିଭାଗମାନଙ୍କରେ ଦେଖାଇଲେ ମାଗଣାରେ ପରୀକ୍ଷା କରାଇପାରିବେ ବୋଲି ଡାକ୍ତର କାନୁନ୍ଗୋ କହିଛନ୍ତି।