ଆରମ୍ଭ ହୋଇପାରିଲାନି ମାଗଣା ଡାଏଲିସିସ୍‌

ଏସ୍‌ସିବିରେ ‘ସହାୟ’ ଯୋଜନା ବିଳମ୍ବ

କଟକ : ରାଜ୍ୟ ସରକାରଙ୍କ ସହାୟ ଯୋଜନାରେ ମାଗଣା ଡାଏଲିସିସ୍‌ ଘୋଷଣା ଅନୁଯାୟୀ ଆଜିଠାରୁ ଆରମ୍ଭ ହୋଇପାରିଲା ନାହିଁ। ଭିତ୍ତିଭୂମିର ସମୀକ୍ଷା ନକରି ସରକାର ଏ ପ୍ରକାର ସେବା ଜାନୁଆରି ୧ ତାରିଖରୁ ଆରମ୍ଭ ହେବ ବୋଲି ପୂର୍ବରୁ ଘୋଷଣା କରିଥିବା ବେଳେ ବାସ୍ତବରେ ଏଥିପାଇଁ ଆଉ କିଛି ଦିନ ଅଧିକ ସମୟ ଲାଗିବ ବୋଲି ସୂଚନା ମିଳିଛି। ବିଭାଗରେ ଆବଶ୍ୟକ ଉପକରଣ ଓ ମାନବ ସମ୍ବଳର ଅଭାବ ଥିବାରୁ ଏଥିରେ ବିଳମ୍ବ ହେଉଛି। ବର୍ତ୍ତମାନ ବିଭିନ୍ନ ସରକାରୀ ଯୋଜନା ଓଏସ୍‌ଟିଫ୍‌, ଆର୍‌ଏସ୍‌ବିଓ୍ଵାଇ, ବିକେକେଓ୍ଵାଇ ଅନ୍ତର୍ଗତ ଚିକିତ୍ସା ହେଉଥିବା ରୋଗୀମାନଙ୍କୁ ସଂପୂର୍ଣ୍ଣ ମାଗଣାରେ ଡାଏଲିସିସ୍‌ କରାଯାଉଥିବାବେଳେ ଅନ୍ୟମାନଙ୍କ ପାଇଁ ୟୁଜର୍ସ ଫି ଦେବାକୁ ପଡ଼ୁଛି। ତେଣୁ ସେମାନଙ୍କୁ ମଧ୍ୟ ଏବେ ମାଗଣାରେ ଚିକିତ୍ସା କରିବାକୁ ହେବ। ଏହାକୁ ଦୃଷ୍ଟିରେ ରଖି ଆଗକୁ ରୋଗୀଙ୍କ ସଂଖ୍ୟା ବଢିବା ସମ୍ଭାବନା ରହିଛି। ବର୍ତ୍ତମାନ ସୁଦ୍ଧା ଏସ୍‌ସିବି ନେଫ୍ରୋଲୋଜି ବିଭାଗରେ ଯାହା ବ୍ୟବସ୍ଥା ରହିଛି ସେଥିରେ ଏହି ଅତିରିକ୍ତ ଭାରକୁ ସାମ୍ନା କରିବା ଜଟିଳ ହେବ। ତଥାପି ୪ସିଫ୍‌ଟରେ ୮୦ଜଣଙ୍କୁ ଚିକିତ୍ସା କରାଇବା ପାଇଁ ଆବଶ୍ୟକ ଥିବା ମାନବ ସମ୍ବଳ ବିଷୟରେ ଦିନେ ଦୁଇ ଦିନ ମଧ୍ୟରେ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଡାଏଲିସିସ୍‌ ପାଇଁ ଆସୁଥିବା ରୋଗୀ ପିଛା ପ୍ରତ୍ୟେକ ଥର ପାଇଁ ୩୦୦ ଟଙ୍କା ଚିକିତ୍ସା ଦେୟ ଦେବାକୁ ପଡ଼ୁଥିବାବେଳେ ଏଥସହିତ ଗୋଟିଏ ସେଟ୍‌ରେ ଡାଏଲାଇଜର, ଟୁବିଂ, ଡାଏଲାଇଜିଂ ପାଣି ଏପରି ଅନ୍ୟାନ୍ୟ ସାମଗ୍ରୀ ପିଛା ପ୍ରାୟ ୩୫୦୦ ଟଙ୍କା ଚାର୍ଜ ପଡ଼ୁଛି। ପ୍ରଥମ ଥର ପାଇଁ ଚାର୍ଜ ଦେବାକୁ ପଡ଼ୁଥିବାବେଳେ ଦ୍ୱିତୀୟ, ଚତୁର୍ଥ ଏହିପରି ଭାବେ ନିୟମିତ ଅନ୍ତରାଳ ପାଇଁ ମାଗଣାରେ ଚିକିତ୍ସା କରାଯାଇଥାଏ। ତେବେ ତୃତୀୟ, ପଞ୍ଚମ ଥର ଭଳି ଅନ୍ତରାଳ ଚିକିତ୍ସାରେ କିଛି କିଛି ଟଙ୍କା ଯୋଡ଼ି ହୋଇଥାଏ। ସାରାଜୀବନ ରୋଗୀକୁ ଏହି ଚିକିତ୍ସାରେ ରହିବାକୁ ଥିବାରୁ ଅନେକ ଖର୍ଚ୍ଚାନ୍ତ ହେବାକୁ ପଡ଼େ। କିନ୍ତୁ ମାଗଣା ଯୋଜନା ଆରମ୍ଭ ହେଲେ ବିଭନ୍ନ ସ୍ଥାନରୁ ରୋଗୀ ଏଠାକୁ ଆସିବେ। ଫଳରେ ୨୦ ବେଡ୍‌ରେ ରୋଗୀ ସଂଖ୍ୟା ଆହୁରି ବଢିଯିବ। ବର୍ତ୍ତମାନ ପରିସ୍ଥିତିରେ ଉକ୍ତ ୨୦ ବେଡ୍‌କୁ ତିନୋଟି ସିଫ୍‌ଟରେ ଚଲାଯାଉଛି। ପ୍ରଥମ ଦୁଇଟି ସିଫ୍‌ଟରେ ପୂର୍ଣ୍ଣମାତ୍ରାରେ ରୋଗୀ ସଂଖ୍ୟା ରହୁଥିବାବେଳେ ତୃତୀୟ ସିଫ୍ଟକୁ ସାମାନ୍ୟ କମ୍‌ ରହୁଛନ୍ତି। ପ୍ରତ୍ୟେକ ଡାଏଲିସିସ୍‌ ପିଛା ୩ ରୁ ସାଢେ ତିନିଘଣ୍ଟା ସମୟ ଯାଉଛି। ଆଗକୁ ଆଉ ଏକ ସିଫ୍ଟ ଯୋଡ଼ାଗଲେ ଅଧିକ ଭିଡ ହ୍ରାସ କରାଯାଇପାରିବ ବୋଲି କୁହାଯାଇଛି।

ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜରେ ମୋଟ ୨୬ ଡାଏଲିସିସ୍‌ ମେସିନ୍‌ ଥିବାବେଳେ ସେଥିରୁ କେବଳ ଏସ୍‌ସିବିରେ ୨୨ଟି ରହିଛି। ବର୍ତ୍ତମାନ ନେଫ୍ରୋଲୋଜି ବିଭାଗରେ ୨୦ ଓ କିଡ୍‌ନୀ ପ୍ରତିରୋପଣ ୟୁନିଟ୍‌ରେ ଦୁଇଟି ଡାଏଲିସିସ୍‌ ମେସିନ୍‌ ଲଗାଯାଇଛି। ଜଣେ ଟେକ୍ନିସିଆନ୍‌ ଓ ୧୨ଜଣ ନର୍ସିଂ କର୍ମଚାରୀଙ୍କୁ ନେଇ ତିନୋଟି ସିଫ୍‌ଟରେ ଡାଏଲିସିସ୍‌ ୟୁନିଟ୍‌ ଚଲାଯାଉଛି। ଟେକ୍ନିସିଆନ୍‌ଙ୍କୁ ବାଦ୍‌ ଦେଲେ ପ୍ରତ୍ୟେକ ସିଫ୍‌ଟରେ ୪ଜଣ ନର୍ସିଂ କର୍ମଚାରୀ ରହୁଛନ୍ତି। କିନ୍ତୁ ଗୋଟିଏ ବେଡ୍‌ ପିଛା ଜଣେ ନର୍ସିଂ କର୍ମଚାରୀ ରହିବା ଦରକାର। ତଥାପି କାମଚଳା ପାଇଁ ପ୍ରତି ୪ ବେଡ୍‌ରେ ଜଣେ ନର୍ସଙ୍କୁ ରଖାଯିବାକୁ ଯୋଜନା କରାଯାଇଛି। ସେଥିପାଇଁ ଆହୁରି ୮ଜଣ ନର୍ସିଂ କର୍ମଚାରୀଙ୍କ ଆବଶ୍ୟକତା ରହିଛି। ଏଥିସହିତ ଅନ୍ୟ ଜଣେ ଅତିରିକ୍ତ ଟେକ୍ନିସିଆନ୍‌ଙ୍କୁ ମଧ୍ୟ କାମ ଚଳାଇବା ପାଇଁ ନିଯୁକ୍ତ କରାଯିବା ଜରୁରି ବୋଲି ବିଭାଗୀୟ ପ୍ରଫେସର ଡାକ୍ତର ଚିତ୍ତରଂଜନ କର କହିଛନ୍ତି। ଏମାନଙ୍କ ବ୍ୟତୀତ ଡାଏଲାସିସ୍‌ ଟ୍ୟୁବ ଇତ୍ୟାଦି ସାମଗ୍ରୀ ସଫା କରିବା ପାଇଁ ୪ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଆବଶ୍ୟକତା ରହିଛି। ଆବଶ୍ୟକୀୟ ମାନବ ସମ୍ବଳ ଉପଲବ୍ଧ ହୋଇପାରିଲେ ରାଜ୍ୟର ଏହି ପ୍ରମୁଖ ରେଫରାଲ୍‌ ହସ୍‌ପିଟାଲ୍‌ରୁ ଅନେକ ରୋଗୀ ଲାଭବାନ୍‌ ହୋଇପାରିବେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର