ଓଡ଼ିଶାରେ ଏବେ ମାଗଣା ଏକ୍‌ମୋ ଚିକିତ୍ସା: ପୂର୍ବଭାରତର ବୃହତ୍ତମ ୟୁନିଟ୍‌ ଲୋକାର୍ପିତ

ରୋଗୀଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବନି: ମୁଖ୍ୟମନ୍ତ୍ରୀ

କଟକ: ଏକ୍‌ମୋ ଚିକିତ୍ସା ପାଇଁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବନି। ଦେଶର ପ୍ରଥମ ମାଗଣା ଏକ୍‌ମୋ ଚିକିତ୍ସା ମିଳିବ କଟକ ବଡ଼ ଡାକ୍ତରଖାନାରେ। ଏସ୍‌ସିବିରେ ପୂର୍ବ ଭାରତର ସବୁଠାରୁ ବଡ଼ ଏକ୍‌ମୋ ୟୁନିଟ୍‌କୁ ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏସ୍‌ସିବି କାର୍ଡିଓଥୋରାସିସ୍ ବିଭାଗରେ ସ୍ଥାପିତ ଏହି ୟୁନିଟ୍‌ରେ ୯ଟି ଏକ୍‌ମୋ ମେସିନ ରହିଛି। ଏକ୍‌ମୋ ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ ହୋଇଥିବାବେଳେ କଟକରେ ଏହି ସୁବିଧା ପାଇଁ ରୋଗୀଙ୍କୁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡ଼ିବନାହିଁ ବୋଲି ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏହାଦ୍ବାରା ରୋଗୀ ଓ ସେମାନଙ୍କ ପରିବାର ଉନ୍ନତ ଚିକିତ୍ସା ପାଇବା ସହିତ ଆର୍ଥିକ ଦୃଷ୍ଟିକୋଣରୁ ଆଶ୍ବସ୍ତ ହୋଇପାରିବେ। ଜୀବନ ରକ୍ଷାରେ ଏହି ସେବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

ଦ୍ବିତୀୟ ଲହରର ସ୍ମୃତିକୁ କଷ୍ଟଦାୟକ ବୋଲି ବର୍ଣ୍ଣନା କରିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ। ସେ କହିଥିଲେ ଯେ କରୋନାର ଦ୍ବିତୀୟ ଲହର ସାରାଦେଶରେ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଥିବାବେଳେ ଆଗୁଆ ଯୋଜନା ଏବଂ ଉପଯୁକ୍ତ ପରିଚାଳନା ଯୋଗୁଁ ଓଡ଼ିଶାରେ ସ୍ଥିତିକୁ ନିୟନ୍ତ୍ରଣରେ ରଖାଯାଇପାରିଛି। ବିଶେଷଜ୍ଞମାନେ ତୃତୀୟ ଲହରର ସମ୍ଭାବନା ଏବଂ ଏଥିରେ ପିଲାମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ପ୍ରକାଶ କରୁଥିବାରୁ,
ରାଜ୍ୟ ସରକାର ଜିଲ୍ଲାସ୍ତରରେ କୋଭିଡ୍‌ ହସ୍ପିଟାଲ ଗୁଡିକରେ ଶିଶୁ ଚିକିତ୍ସା ଉପରେ ଗୁରୁତ୍ବ ଦେଇ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରୁଛନ୍ତି। ଆମ ପିଲାମାନେ ଯେପରି କରୋନା ସଂକ୍ରମଣରୁ ସୁରକ୍ଷିତ ରହିବେ, ସେଥିପାଇଁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍‌ଡାଉନର ନିୟମଗୁଡିକୁ କୋହଳ କରାଯାଇଥିଲେ ମଧ୍ୟ ସଂକ୍ରମଣର ଆଶଙ୍କା ରହିଛି। ତେଣୁ ଜନସାଧାରଣ ମାସ୍କ ପିନ୍ଧିବା ସହିତ, ହାତ ଧୋଇବା, ଭିଡରୁ ଦୂରରେ ରହିବା ଆଦି ସମସ୍ତ କୋଭିଡ ନିୟମାବଳୀକୁ ପାଳନ କରିବା ଆବଶ୍ୟକ।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ, ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଜିଲ୍ଲା ପରିଷଦ ସଭାପତି ଜ୍ୟୋତିରେଖା ନାୟକ, କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲ, ଡିଏମ୍‌ଇଟି ପ୍ରଫେସର ଡାକ୍ତର ସିବିକେ ମହାନ୍ତି, ଜିଲ୍ଳାପାଳ ଭବାନୀ ଶଙ୍କର ଚୟନୀ, ସିଏମସି କମିସନର ଅନନ୍ୟା ଦାସ, ଅତିରିକ୍ତ ଡିଏମ୍‌ଇଟି ଡାକ୍ତର ବ୍ରଜ କିଶୋର ଦାଶ, ଏସ୍‌ସିବି ଅଧ୍ୟକ୍ଷ ଡାକ୍ତର ଦତ୍ତେଶ୍ୱର ହୋତା, ଅଧୀକ୍ଷକ ଡାକ୍ତର ଲୁସି ଦାସ, କାର୍ଡ଼ିଓଥୋରାସିସ୍‌ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକ, ପ୍ରଫେସର ଡାକ୍ତର ମନୋରଞ୍ଜନ ପଟ୍ଟନାୟକ, ପ୍ରଫେସର ଡାକ୍ତର ସତ୍ୟନାରାୟଣ ରାଉତରାୟ, ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ପ୍ରମୁଖଙ୍କ ସମେତ ଅନ୍ୟ ବରିଷ୍ଠ ଡାକ୍ତର, ଜିଲ୍ଲାର ପ୍ରଶାସନିକ ଅଧିକାରୀ, ବିଭାଗୀୟ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।

ଏସ୍‌ସିବିରେ ଉଦ୍‌ଘାଟନ କାର୍ଯ୍ୟକ୍ରମ ସାରି ଫେରିବା ବାଟରେ ମୁଖ୍ୟମନ୍ତ୍ରୀ ତାଳଦଣ୍ଡା କେନାଲ ଓ ଏହାର ଦୁଇ ପାର୍ଶ୍ବର ସୌନ୍ଦର୍ଯ୍ୟୀକରଣ ବ୍ୟବସ୍ଥା ବୁଲି ଦେଖି ସନ୍ତୋଷ ବ୍ୟକ୍ତ କରିବା ସହ ‘ଆଇ ଲଭ୍‌ କଟକ ସେଲ୍‌ଫିଜୋନ୍‌’ରେ ‌ଫଟୋ ଉଠାଇଥିଲେ। ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟୀକରଣ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ପାଣ୍ଡିଆନ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଆସି ବୋସ୍ ପଡିଆରେ ଓହ୍ଲାଇବା ସହିତ ସେଠାରୁ ରାସ୍ତାରେ ବଡ଼ ମେଡିକାଲକୁ ଯାଇଥିଲେ ଏବଂ ପୁଣି ହେଲିକପ୍ଟରରେ ଭୁବନେଶ୍ବର ଫେରି ଯାଇଥିଲେ।

 

ସମ୍ବନ୍ଧିତ ଖବର