ଭୁବନେଶ୍ୱର : କୋଭିଡ୍-୧୯ ମହାମାରୀ ଓଡ଼ିଶାର ଜନଜୀବନକୁ ବିପର୍ଯସ୍ତ କରିଦେଇଛି। ଶତାଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ୨୦ ହଜାରରୁ ଅଧିକ ଆକ୍ରାନ୍ତ ହେଲେଣି। ଏଭଳି ଏକ ସମୟରେ କାରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛି କିଟ୍ ବିଶ୍ୱବିଦ୍ୟାଳୟ। କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅନୁରୋଧକ୍ରମେ କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ଓଡ଼ିଶାରେ କାରୋନାରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପରିବାରର କୌଣସି ପୁଅ କିମ୍ବା ଝିଅ ଯଦି କିଟ୍ରେ ବୈଷୟିକ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ଥା’ନ୍ତି, ତେବେ ଯୋଗ୍ୟତା ଅନୁସାରେ ସେମାନଙ୍କୁ କିଟ୍ ବିଶ୍ଵବିଦ୍ୟାଳୟରେ ଯେକୌଣସି ବୈଷୟିକ(ଟେକନିକାଲ) ଓ ବୃତ୍ତିଗତ(ପ୍ରଫେସନାଲ) ପାଠ୍ୟକ୍ରମରେ ସମ୍ପୂର୍ଣ୍ଣ ମାଗଣାରେ ପଢ଼ିବାର ସୁଯୋଗ ଦିଆଯିବ। ଆସନ୍ତା ଦୁଇ ଶିକ୍ଷାବର୍ଷ ଯଥା ୨୦୨୦-୨୧, ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଏହା ଲାଗୁ ହେବ। କିଟ୍ରେ ଆଇଟିଆଇ, ଡିପ୍ଲୋମା ଇଞ୍ଜିନିୟରିଂ ସମେତ କିଟ୍ ବିଶ୍ଵବିଦ୍ୟାଳୟର ସମସ୍ତ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ପାଠ୍ୟକ୍ରମରେ ସେମାନଙ୍କ ନାମଲେଖା ଯୋଗ୍ୟତା ଅନୁସାରେ ଆବେଦନ କଲେ ଏହି ସୁବିଧା ମିଳିବ। ଦାରିଦ୍ର୍ୟ ସୀମାରେଖା ତଳେ (ବିପିଏଲ), ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଦିଆଯିବ।
ଶ୍ରୀ ସାମନ୍ତ କହିଛନ୍ତି ଯେ ସମଗ୍ର ବିଶ୍ଵରେ କାରୋନା ଆତଙ୍କ ଖେଳାଇଛି। ଓଡ଼ିଶା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ଓଡ଼ିଶାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ କେତେଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଟ୍ ବିଶ୍ୱବିଦ୍ୟାଳୟ ସର୍ବଦା ଲୋକଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଆଗେଇ ଆସିଥାଏ। କିଟ୍ ବିଶ୍ୱବିଦ୍ୟାଳୟ ସର୍ବଦା ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବ। କାରଣ ଏହି ଅନୁଷ୍ଠାନ ହେଉଛି ଓଡ଼ିଶାବାସୀଙ୍କର। କାରୋନାରେ ଅସହାୟ ହୋଇପଡ଼ିଥିବା ଓଡ଼ିଶାବାସୀଙ୍କୁ ଏହି ନିଷ୍ପତ୍ତି କିଛିଟା ଆଶ୍ବସ୍ତି ଦେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।