ହୋଟେଲ ମାଲିକଙ୍କ ବଦାନ୍ୟତା: ରୋଗୀଙ୍କ ପାଇଁ ହୋଟେଲ୍‌ରେ ଖାଦ୍ୟ ମାଗଣା

କଳାବାଡ଼ିଆ : ହୋଟେଲ୍‌ରେ ରୋଗୀଙ୍କ ପାଇଁ ଖାଦ୍ୟ ସମ୍ପୂର୍ଣ୍ଣ ମାଗଣା। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ ଗୋଲାମୁଣ୍ଡା ପଞ୍ଚାୟତ ଶିମିଳା ଛକରେ ଥିବା ଶୁଭମ୍ ହୋଟେଲ ମାଲିକଙ୍କ ବଦାନ୍ୟତାରୁ ମିଳୁଛି ଏହି ଦେୟମୁକ୍ତ ସୁବିଧା। ଏହି ବାଟ ଦେଇ ଯାଉଥିବା ରୋଗୀଙ୍କୁ ନିଜ ହୋଟେଲ୍‌ରେ ମାଗଣା ଖାଦ୍ୟ ଦେବାକୁ ୫ ବର୍ଷ ତଳେ ସଂକଳ୍ପ ନେଇଥିଲେ ମାଲିକ ସୁରେନ୍ଦ୍ରନାଥ ପ୍ରଧାନ। ନିଜ ସଂକଳ୍ପ ରକ୍ଷା କରି ୫ ବର୍ଷ ଭିତରେ ସେ ୫ ହଜାରୁ ଅଧିକ ରୋଗୀଙ୍କୁ ନିଜ ହୋଟେଲ୍‌ରେ ବିନା ମୂଲ୍ୟରେ ଖାଦ୍ୟ ଯୋଗାଇ ଦେଇଛନ୍ତି।

ରୋଗୀମାନେ ଏ ସଂକ୍ରାନ୍ତରେ ଜାଣିବା ଲାଗି ନିଜ ହୋଟେଲ୍‌ କାନ୍ଥରେ ସ୍ପଷ୍ଟ ଭାବେ ଲେଖି ମଧ୍ୟ ଦେଇଛନ୍ତି ସୁରେନ୍ଦ୍ର। ରୋଗୀଙ୍କୁ ମାଗଣା ଖାଦ୍ୟ ପ୍ରଦାନ ବ୍ୟତୀତ ଆମ୍ବୁଲାନ୍‌ସ କର୍ମଚାରୀଙ୍କୁ ସେ ଖୁବ୍‌ କମ୍‌ ଟଙ୍କାରେ ଖାଦ୍ୟ ଦିଅନ୍ତି। ଏମିତିକି ବିଳମ୍ବିତ ରାତି ଯାଏ ରୋଗୀ ଓ ଆମ୍ବୁଲାନ୍‌ସ ଚାଳକଙ୍କ ପାଇଁ କିଛି ଖାଦ୍ୟ ସାଇତି ରଖିଥାନ୍ତି। ହୋଟେଲ ବ୍ୟବସାୟ ସହ ରାଜନୀତିରେ ରୁଚି ରଖିଛନ୍ତି ସୁରେନ୍ଦ୍ର। ନିଜ ଅଞ୍ଚଳରେ ଗରିବ ଖଟିଖିଆ ଲୋକଙ୍କ ଦେହ ଖରାପ ଖବର ପାଇଲା ମାତ୍ରେ ସୁରେନ୍ଦ୍ର ଓ ତାଙ୍କ ପତ୍ନୀ ହାତରୁ ଟଙ୍କା ଖର୍ଚ୍ଚ କରି ସେମାନଙ୍କର ଚିକିତ୍ସା କରାଇଥାନ୍ତି। ପ୍ରଧାନ ଦମ୍ପତିଙ୍କର ଏହି ମହତପଣିଆ ପାଇଁ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସମେତ ଅନ୍ୟ ରାଜନେତାମାନେ ମୁକ୍ତ କଣ୍ଠରେ ତାଙ୍କର ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର