୮ମା‌ସ ପରେ ଗଞ୍ଜାମରେ କରୋନା ଆକ୍ରାନ୍ତ ଶୂନ୍‌

ବ୍ରହ୍ମପୁର : ନୂଆ ବର୍ଷ ପ୍ରଥମ ଦିନରେ ଗଞ୍ଜାମବାସୀଙ୍କୁ ମିଳିଛି ଖୁସି ଖବର। ଜିଲ୍ଲାରୁ ଆଜି କେହି କୋଭିଡ଼୍‌ ପଜିଟିଭ୍‌ ବାହାରିନାହାନ୍ତି। ମେ’ ୨ ତାରିଖରେ ଗଞ୍ଜାମରେ ପ୍ରଥମ ମାମଲା ଭାବେ ଧରାକୋଟ ସଙ୍ଗରୋଧ କେନ୍ଦ୍ରରୁ ୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପରେ ଜିଲ୍ଲାରେ କରୋନା କାୟା ବିସ୍ତାର କରିଥିଲା। ଏପରିକି ଜୁଲାଇ ମାସରେ କରୋନା ସଂକ୍ରମଣ ଶିଖର ଛୁଇଁଥିଲା। ଦୈନିକରେ ସଂକ୍ରମଣ ଲଗାତାର ୪ଶହରୁ ୫ଶହ ତଳକୁ ଖସୁ ନ ଥିଲା। ଜୁଲାଇ ୨୫ରେ ସର୍ବାଧିକ ୭୩୨ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୨୧ହଜାର ୮୦୮ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ଗଞ୍ଜାମବାସୀଙ୍କ ସହଯୋଗ ଓ ଜିଲ୍ଲା ପ୍ରଶାସନର ସମୟୋପଯୋଗୀ ପଦକ୍ଷେପ ଫଳରେ ଅକ୍ଟୋବର ବେଳକୁ ଦୈନିକ ପଜିଟିଭ୍‌ ସଂଖ୍ୟା ଶହେ ତଳକୁ ଖସିଥିଲା। ଗତ ଏକମାସ ହେଲା ଦୈନନ୍ଦିନ ସଂକ୍ରମଣ ଏକ ଅଙ୍କରେ ସୀମିତ ରହୁଛି। ଆଜି ୧୫୦୬ ଜଣଙ୍କ କୋଭିଡ଼୍‌ ଟେଷ୍ଟ୍‌ ହୋଇଥିବା ବେଳେ ଗୋଟିଏ ବି ପଜିଟିଭ୍‌ ଆସି ନ ଥିବା ଜଣାପଡ଼ିଛି। ଗଞ୍ଜାମବାସୀଙ୍କ ସହଯୋଗ ଓ କୋଭିଡ଼୍‌ ଯୋଦ୍ଧାଙ୍କ ଉଦ୍ୟମ ଯୋଗୁଁ ଜିଲ୍ଲାରେ ସଂକ୍ରମଣ ଶୂନ୍ୟକୁ ଆସିପାରିଛି ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌ କରି କହିଛନ୍ତି।

ସମ୍ବନ୍ଧିତ ଖବର