ମାଲକାନଗିରି: ମାଥିଲି ବ୍ଲକର ନକ୍ସଲ ପ୍ରବଣ ତୁଳସୀ ଗ୍ରାମରେ ଦ୍ବିତୀୟ ବାଟାଲିୟନ ବିଏସଏଫ ତରଫରୁ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଦ୍ବିତୀୟ ବାଟାଲିୟନର ସମସ୍ତ ମେଡିକାଲ କର୍ମଚାରୀ ସହଯୋଗ କରିଥିଲେ। ନକ୍ସଲ ପ୍ରବଣ ତୁଳସୀ ଗ୍ରାମ ସହ କେରମିଟି, ଚେରକୋଟଲା, ଦଣ୍ଡିପଦର ଭଲି ଦୁର୍ଗମ ଅଂଚଳର ଶତାଧିକ ଲୋକେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ସମସ୍ତଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ପରେ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା।

Advertisment

ସ୍ବାଧୀନତା ଦିବସ ପୂର୍ବରୁ ବିଏସଏଫର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି। ବିଏସଏଫ ତରଫରୁ ହର ଘର ତ୍ରିରଙ୍ଗା ଅଭିଯାନରେ ସମସ୍ତଙ୍କୁ ତ୍ରିରଙ୍ଗା ପତାକା ପ୍ରଦାନ କରାଯାଇଥିଲା। ଏହି ତ୍ରିରଙ୍ଗାକୁ ସମସ୍ତେ ଆସନ୍ତା ସ୍ବାଧୀନତା ଦିବସରେ ଘରେ ଘରେ ଲଗାଇବେ। ସମସ୍ତଙ୍କୁ ଜନ କଲ୍ୟାଣ ଭୋଜ ଅବସରରେ ଖାଇବାକୁ ଦିଆଯାଇଥିଲା।

ନକ୍ସଲ ସ୍ବାଧୀନତା ଦିବସକୁ କଳା ଦିବସ ପାଳନ କରିଥାନ୍ତି। ତେବେ ବିଏସଏଫ ତରଫରୁ ଲୋକଙ୍କୁ ନକ୍ସଲମାନଙ୍କୁ ସହଯୋଗ ନକରିବା ଏବଂ ବିକାଶ କ୍ଷେତ୍ରରେ ନିଜକୁ ନିୟୋଜିତ କରିବା ପାଇଁ ଅନୁରୋଧ କରାଯାଇଥିଲା। ଯେଉଁମାନେ ନକ୍ସଲଙ୍କ ଲକ୍ଷ୍ୟ ଓ ଉଦେଶ୍ୟ ବୁଝିନପାରି ହିଂସା ପଥରେ ଯାଇଛନ୍ତି ସେମାନଙ୍କୁ ପୁଣି ମୁଖ୍ୟସ୍ରୋତରେ ସାମିଲ ହେବାକୁ ବିଏସଏଫ ତରଫରୁ ଆହ୍ବାନ ଦିଆଯାଇଛି। ବିଏସଏଫର ସମସ୍ତ ଅଧିକାରୀ ଏବଂ ଯବାନ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।