ଚିତ୍ତଜ୍ଞାନୀ ଚାରିଟେବୁଲ୍ ଟ୍ରଷ୍ଟର ନିଃଶୁଳ୍କ ସ୍ବାସ୍ଥ୍ୟସେବା ଶିବିର

ନାକଟିଦେଉଳ: କଟକସ୍ଥିତ ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍‌ର ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ପରିସରରେ ୪୩ ତମ ମେଗା ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରକୁ ସମ୍ବଲପୁର ଡିଆର୍‌ଡିଏ ପିଡି ଦିଲ୍ଲୀପ ବଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ରେଢ଼ାଖୋଲ ଉପଜିଲ୍ଲାପାଳ ପବିତ୍ର ମୋହନ ବେହେରା ଓ ଡିଏଫ୍‌ଓ ରମାକାନ୍ତ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ଏସ୍‌ସିବି ମେଡିକାଲ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଡା. ଦତ୍ତେଶ୍ୱର ହୋତା, ଟ୍ରଷ୍ଟର ଅଧ୍ୟକ୍ଷ ଗୋଧନେଶ୍ୱର ହୋତା ଓ ସମ୍ପାଦକ ଆଇନଜୀବୀ ରାଜେଶ୍ୱର ହୋତା ଶିବିର ପରିଚାଳନା କରିଥିଲେ।

ଟ୍ରଷ୍ଟ ପକ୍ଷରୁ ରାଜ୍ୟର ୩୦ଟି ଜିଲ୍ଲାରେ ଏହିପରି ଶିବିର କରାଯିବା ପରେ ଏବେ ବରିଷ୍ଠ ନାଗରିକମାନଙ୍କ ପାଇଁ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହେଉଛି। ଏହି ଶିବିରରେ କଟକ ଏସ୍‌ସିବି ସମେତ ଭୁବନେଶ୍ୱର, ବୁର୍ଲା, ରେଢ଼ାଖୋଲର ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ୨୨ଜଣ ବରିଷ୍ଠ ଓ ବିଶେଷଜ୍ଞ ଡାକ୍ତର ଉପସ୍ଥିତ ରହି ରୋଗୀମାନଙ୍କ ଚିକିତ୍ସା କରିଥିଲେ। ଶିବିରରେ ହଜାରେରୁ ଅଧିକ ରୋଗୀଙ୍କୁ ମାଗଣା ଔଷଧ ଓ ଖାଦ୍ୟ ଦିଆଯିବା ସହ ସେମାନଙ୍କ ଏକ୍ସ-ରେ, ଏଣ୍ଡୋସ୍କୋପି, ରକ୍ତ ପରୀକ୍ଷା, ଇସିଜି କରାଯାଇଥିଲା। ମୁଖ୍ୟ ଉପଦେଷ୍ଟାଙ୍କ ସୂଚନା ଅନୁସାରେ, ବରିଷ୍ଠ ନାଗରିକଙ୍କ ପାଇଁ ଏହା ପଞ୍ଚମ ଶିବିର ଥିଲା। ଆଗାମୀ ଦିନରେ ସୁନ୍ଦରଗଡ଼ ଜିଲ୍ଲାରେ ହେବାକୁ ଥିବା ଶିବିରରେ ବୟସ୍କଙ୍କ ସହ ଶିଶୁମାନଙ୍କୁ ମଧ୍ୟ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ନାକଟିଦେଉଳ ବିଡିଓ ବିବେକାନନ୍ଦ ସାହୁ, ତହସିଲଦାର ସୁକାନ୍ତ ନାଏକ, ନାକ୍ଟିଦେଉଳ କଲେଜ ଅଧ୍ୟକ୍ଷ ସୁଧୀର ସାହୁଙ୍କ ସମେତ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର