ଜଣେ ଅଭିଭାବକ ବଞ୍ଚିଥିଲେ ବି ପିଲାଙ୍କୁ ମାଗଣାରେ ମିଳିବ ଉଚ୍ଚଶିକ୍ଷା

ଗ୍ରିନ୍‌ ପାସେଜ୍ ଯୋଜନାରେ ପରିବର୍ତ୍ତନ ଆଣିଲା ଉଚ୍ଚ ଶିକ୍ଷା ବିଭାଗ

ଭୁବନେଶ୍ବର: ଯଦି କୌଣସି ପିଲାର ଜନ୍ମ ଦେଇଥିବା/ପାଳନ କରୁଥିବା ବାପାମା’ ନଥିବେ ତେବେ ସେମାନଙ୍କୁ ‘ଗ୍ରିନ୍ ପାସେଜ୍ ଯୋଜନା’ରେ ମାଗଣାରେ ଉଚ୍ଚ ଶିକ୍ଷା ପ୍ରଦାନ କରାଯାଉଛି। କିନ୍ତୁ କୋଭିଡ-୧୯ରେ ବହୁ ପିଲା ସେମାନଙ୍କ ବାପା ମା’ କିମ୍ବା ଜଣେ ଅଭିଭାବକଙ୍କୁ ହରାଇଥିବାରୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ଯୋଜନାରେ ପରିବର୍ତ୍ତନ କରାଯାଇଛି। ଯେଉଁ ପିଲାଙ୍କର ଜନ୍ମ ଦେଇଥିବା/ପାଳନ କରୁଥିବା ବାପାମା’ ନଥିବେ/ଉଭୟ ବାପାମା’ଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଥିଲେ/ଜଣେ ରୋଜଗାରକ୍ଷମ ଅଭିଭାବକଙ୍କର ମୃତ୍ୟୁ ହୋଇଥିଲେ /ପିଲା ଶିଶୁ ଯତ୍ନ ପ୍ରତିଷ୍ଠାନରେ ରହୁଥିଲେ / କେହି ପିଲାଙ୍କୁ ପାଳୁଥିଲେ ସେହି ଅଭିଭାବକମାନେ ପିଲାଙ୍କୁ ଗ୍ରିନ୍‌ ପାସେଜ୍ ଯୋଜନାରେ ମାଗଣାରେ ଉଚ୍ଚଶିକ୍ଷା ପ୍ରଦାନ କରିପାରିବେ। କିନ୍ତୁ ଉକ୍ତ ଅଭିଭାବକ/ଜୀବିତ ବାପା ବା ମା’ଙ୍କର ବାର୍ଷିକ ଆୟ ୮ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବ।

ପିଲା ଶିଶୁ ଯତ୍ନ ପ୍ରତିଷ୍ଠାନରେ ରହୁଥିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ଏନେଇ ସାର୍ଟିଫିକେଟ୍ ଦେବେ। ସେହିପରି ପିଲା କୌଣସି ଅଭିଭାବକଙ୍କ ପାଖରେ କାହା ଦ୍ବାରା ଲାଳନପାଳନ ହେଉଥିଲେ ଏନେଇ ଡିସିପିଓ ଶିଶୁ କଲ୍ୟାଣ କମିଟିର ସୁପାରିସ, ତହସିଲଦାରଙ୍କ ଦ୍ବାରା ଦିଆଯାଇଥିବା ଆୟ ପ୍ରମାଣପତ୍ରକୁ ଭିତ୍ତିକରି ସାର୍ଟିଫିକେଟ୍ ଦେବେ। ଯଦି ପିଲା କୋଭିଡ-୧୯ ଦ୍ବାରା ପୀଡ଼ିତ ହୋଇଥିବ ତେବେ ସେମାନେ ସ୍ପେଶିଆଲି କେୟାର୍‌ଡ ଚାଇଲ୍‌ଡ ସାର୍ଟିଫିକେଟ/ପରିଚୟପତ୍ର ଏବଂ ଆୟ ପ୍ରମାଣପତ୍ର ଦେବ। ଏହି ଯୋଜନାରେ ପିଲାର ଆବେଦନ ଫି’, ନାମଲେଖା/ପୁନଃ ନାମଲେଖା ଫି’, ଟ୍ୟୁସନ୍ ଫି, ପରୀକ୍ଷା ଫି’, ହଷ୍ଟେଲ ନାମଲେଖା ଫି’, ଲାବେ‌ାରେଟୋରି ଫି’, ଲାଇବ୍ରେରି ଫି’, କଲେଜ ଉନ୍ନୟନ ଫି’ ଇତ୍ୟାଦି ଛାଡ଼ ହେବ। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ମାଗଣା ରହିବା ଓ ଖାଇବା ବ୍ୟବସ୍ଥା କରିବେ।

ହେଲେ ଏହି ଯୋଜନାରେ +୨ ଉତ୍ତୀର୍ଣ୍ଣ ହେବା ପରେ ଅତିକମ୍‌ରେ ୧ବର୍ଷର ଅବଧି ଥିବା ସାଧାରଣ, ବୃତ୍ତିଗତ, ବୈଷୟିକ ଶିକ୍ଷା ପାଠ୍ୟକ୍ରମ ପାଇଁ ଲାଗୁ ହେବ। ଏହା କୌଣସି ସରକାରୀ/ବେସରକାରୀ ଉଚ୍ଚଶିକ୍ଷାନୁଷ୍ଠାନ (ମହାବିଦ୍ୟାଳୟ/ବିଶ୍ବବିଦ୍ୟାଳୟର ହୋଇଥିବ। ସରକାରୀ ପ୍ରତିଷ୍ଠାନ କ୍ଷେତ୍ରରେ ନାମଲେଖା ସମୟରେ ଫି’ ଛାଡ଼ ହୋଇଯିବ। ବେସରକାରୀ, ଅନୁଦାନପ୍ରାପ୍ତ କଲେଜରେ ବି ନାମଲେଖା ସମୟରେ ସମସ୍ତ ଫି’ ଛାଡ଼ ହେବ। କ‌ର୍ତ୍ତୃପକ୍ଷ ଉଚ୍ଚଶିକ୍ଷା ବିଭାଗରେ ସମସ୍ତ ଡକୁମେଣ୍ଟ ଦାଖଲ କଲେ ସେମାନଙ୍କୁ ସେମାନଙ୍କ ପ୍ରାପ୍ୟ ମିଳିବ। ବେସରକାରୀ ଅଣଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ପିଲା ନିଜ ଖର୍ଚ୍ଚରେ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବ। ଏହାକୁ ପରବର୍ତ୍ତୀ ସମୟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଭରଣା କରାଯିବ। ଏଥିରେ ପୂରା ପାଠ୍ୟକ୍ରମର ଫି’ ୫ଲକ୍ଷ ଟଙ୍କା ଭିତରେ ରହିବା ଦରକାର ବୋଲି ଘୋଷଣା ହୋଇଛି।

ସମ୍ବନ୍ଧିତ ଖବର