ଜୟପୁର: ଜିଲ୍ଲାପ୍ରଶାସନ ପକ୍ଷରୁ ଜୟପୁର ସହରରେ ଏଣିକି ମାଗଣାରେ ଆଇଏଏସ୍ ଏବଂ ଓଏଏସ୍ କୋଚିଂ ଛାତ୍ରଛାତ୍ରୀଙ୍କୁ ଦେବା ପାଇଁ ଭିତ୍ତିଭୂମି ପ୍ରସ୍ତୁତି କରିସାରିଛି। ଏଥି ଲାଗି ସ୍ବତନ୍ତ୍ର କୋଚିଂ ସେଣ୍ଟର ସ୍ଥାନୀୟ ସରକାରୀ ଉଚ୍ଚବିଦ୍ୟାଳୟ ଛାତ୍ରୀନିବାସରେ ଖୋଲାଯିବ। ଏଥିଲାଗି ରୂପାନ୍ତିକରଣ କରଯାଇଛି। ଜୟପୁର ଆଇଟିଡିଏ ପକ୍ଷରୁ ଏହି କୋଚିଂ ସେଣ୍ଟରର ଭିତ୍ତିଭୂମି ଓ  ଆନୁସଙ୍ଗିକୁ ସୁବିଧା ଲାଗି କାମ କରାଯାଇଛି। ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଛାତ୍ରଛାତ୍ରୀଙ୍କୁ କୋଚିଂ ଦେବା ପ୍ରକ୍ରିୟା ଆରମ୍ଭ ହୋଇପାରିନି। ଏଥିରେ କୋଚିଂ ନେବା ପାଇଁ ଜିଲ୍ଲାର କୋଣଅନୁକୋଣର ୬୦୦ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ସୂଚନା ମିଳିଛି।

Advertisment

ପ୍ରକାଶ ଯୋଗ୍ୟ, ଆଖା ପାଖ ଗ୍ରାମାଞ୍ଚଳର ଛାତ୍ରୀମାନେ ସହରରେ ରହି ପଢିବା ଲାଗି ହଷ୍ଟେଲ ବ୍ୟବସ୍ଥା ହୋଇଥିଲା। ୧୦ ବର୍ଷ ତଳେ ସ୍ଥାନୀୟ ସରକାରୀ ଉଚ୍ଚବିଦ୍ୟାଳୟର ଉତ୍ତର-ପଶ୍ଚିମ ଦିଗର ଖେଳ ପଡିଆରେ ପିଏଆଇଟିଡିଏ ପକ୍ଷରୁ ଏହି ହଷ୍ଟେଲ କୋଠା ନିର୍ମାଣ ହୋଇଥିଲା। କୌଣସି କାରଣରୁ ଏହାକୁ କାର୍ଯ୍ୟକ୍ଷମ କରାଯଇନଥିଲା । କିଛି ବର୍ଷ ଖାଲି ରହିବା ପରେ ଏହାକୁ ମଙ୍ଗଳବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଅନ୍ଵେଷା ଛାତ୍ରଛାତ୍ରୀମାନେ ହଷ୍ଟେଲରେ ରହି ପଢିବାର ବାର ବ୍ୟବସ୍ଥା କରାଯାଇଥିଲା। ପରବର୍ତ୍ତି ସମୟରେ ଅନ୍ଵେଷାର ସ୍ବତନ୍ତ୍ର କୋଠା ନିର୍ମାଣ ହେବାପରେ ଛାତ୍ର ଛାତ୍ରୀ ସେଠାକୁ ଚାଲିଯାଇଥିଲେ। ପୁଣିଥରେ ଏହି କୋଠା ଖାଲି ପଡ଼ିଥିଲା। ଏହାପରେ କେନ୍ଦ୍ରୀୟ ବିଦ୍ୟାଳୟ ଅସ୍ଥାୟୀ କାର୍ଯ୍ୟାଳୟ ଲାଗି ଏହାକୁ ହସ୍ତାନ୍ତର କରାଯାଇଥିଲା। କୋଠାର ଉନ୍ନତି ଲାଗି ପୌରପାଳିକା ପକ୍ଷରୁ ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। କେନ୍ଦ୍ରୀୟ ବିଦ୍ୟାଳୟ କାର୍ଯ୍ୟଳୟ ଖୋଲାଯଉନଥିବାରୁ ୨ ବର୍ଷ ହେବ ଏହା ଖାଲି ରହିଥିଲା।

ଆଇଟିଡିଏ ପୁଣି ଏହାକୁ ନିଜ ଅଧିନକୁ ନେଇ କୋଚିଂ ସେଣ୍ଟର ପାଇଁ ବ୍ୟବହାର କରିବାକୁ ରୁପାନ୍ତିକରଣ କରିଛି।  ଖାଲି ପଡ଼ିବା ପରେ କୋଠାର କେତେକ ଝରକା, କବାଟ, ବିଦ୍ୟୁତ ସରଞ୍ଜାମ, ପଙ୍ଖା ଚୋରି ହୋଇଯାଇଥିଲା। ସେଠାରେ ନୂଆରେ ଲଗାଯାଇଛି। ନୂଆରେ ବିଦ୍ୟୁତ ୱେୟାରିଂ କରାଯାଇଛି। ରଙ୍ଗ କାମ ଶେଷ ପର୍ଯୟାୟରେ ପହଞ୍ଚିଛି। ଲାଇବ୍ରେରୀ, ଅନଲାଇନ ଏବଂ ଅଫ୍ ଲାଇନ କୋଚିଂ ଲାଗି କୋଠରୀ ବ୍ୟବସ୍ଥା କରାଯାଇଛି। କୋଚିଂ ସେଣ୍ଟର ପରିଚାଳନା ଲାଗି ପ୍ରଶାସନିକ ସ୍ତରରେ କମିଟି ଗଠନ କରାଯାଇଛି। ଏଥିରେ ଜିଲ୍ଲାପାଳ ଅଧ୍ୟକ୍ଷ , ପିଏ ଆଇଟିଡିଏ ଆବାହକ ଏଭଳି ରହିଛନ୍ତି। କୋଚିଂ ଦେବାକୁ ବିକ୍ରମଦେବ ବିଶ୍ବବିଦ୍ୟାଳୟର ପ୍ରପେସର, ସହକାରୀ ପ୍ରପେସର ଓ  ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯିବ। ୭୦ ପ୍ରତିଶତ ଅନୂସୁଚିତ ଜନଜାତି, ୩୦ ପ୍ରତିଶତ ସାଧାରଣ ବର୍ଗର ଛାତ୍ର ଛାତ୍ର ଛାତ୍ରୀ କୋଚି କାଚିଂ ପାଇବେ ବୋଲି ସୂଚନା ମିଳିଛି।

୬୦୦ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଦେଢ଼ ଶହ ପିଲାଙ୍କୁ କୋଚିଂ ଦେବାକୁ ଯୋଜନା କରାଯାଇଛି। ଏଠାରେ ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସ୍ ସି) , ଓଡିଶା ପବ୍ଲିକ ସର୍ଭିସ କମିଶନ (ଓପିଏସସି) ଓ ଷ୍ଟାଫ ସେଲେକ୍ସନ୍ କମିଶନ (ଏସଏସସି) ପରୀକ୍ଷା ପାଇଁ କୋଚିଂ ଦିଆଯିବ। ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଠିବା‌ ପରେ ପ୍ରକ୍ରିୟା ଆରମ୍ଭହେବ ବୋଲି କହିଛନ୍ତି ପିଏ ଆଇଟିଡିଏ ରୁପ କୁମାର ସୋରେନ୍ । ‌ସେଭଳି ଗତ ବର୍ଷ ବାମୁଣିପୁଟ ହାୟରସେକଣ୍ଡରୀ ସ୍କୁଲରେ ଆରମ୍ଭ କରିଥିବା କୋଚିଂରେ ୫୦ଜଣ ଅନୂସୁଚିତ ଜନଜାତି ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏଥିରୁ ୨୨ଜଣ ଇଂଜିନିୟରିଂ ଓ ଜଣେ ଛାତ୍ରୀ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସୂଚନା ମିଳିଛି।  ଏହି କୋଚିଂ ସେଣ୍ଟର ଜରିଆରେ ଅଂଚଳର ଅନୂସୂଚିତ ଜନଜାତି ଓ ସାଧାରଣ ଗରିବ ପିଲା ମାନେ ଉପକୃତ ହୋଇ ନିଜର ଲକ୍ଷ୍ୟ ଓ ସୁନ୍ଦର ଭବିଷ୍ୟତ ଗଠନ କରି ପାରିବେ ବୋଲି ପିଏଆଇଟିଡିଏ ଆଶା ପ୍ରକଟ କରିଛନ୍ତି।