କ୍ୟାବିନେଟ୍‌ ଅନୁମୋଦନ: ଆଇଆଇଟିକୁ ମାଗଣାରେ ୬୧୮ ଏକର ଜମି

ଏନ୍‌ଇଏଫ୍‌ଟିକୁ ବି ଅଧିକ ୨ ଏକର ଜମି

ଭୁବନେଶ୍ବର : ଦୁଇଟି କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଆଇଆଇଟି ଓ ଏନ୍‌ଇଏଫ୍‌ଟିକୁ ରାଜ୍ୟ ସରକାର ମାଗଣାରେ ଅତିରିକ୍ତ ଜମି ପ୍ରଦାନ କରିବେ। ଆଜି ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି। ଖୋର୍ଦ୍ଧା ଜିଲ୍ଲାର ଜଟଣୀ ତହସିଲ୍‌ ଅନ୍ତର୍ଗତ ଅରଗୁଳ, ଖୋଲାଦ୍ବାର, କଂସପଦା ଓ ପୋଡ଼ପଡ଼ା ମୌଜାରେ ଏବଂ ‌ପୁରୀ ଜିଲ୍ଲାର ଡେଲାଙ୍ଗ ତହସିଲ୍‌ ଅଧୀନରେ ଗୋଡ଼ିପୁଟ ମାଟିଆପଡ଼ାରେ ଥିବା ମୋଟ୍‌ ୬୧୮ ଏକର ୬୬୫ ଡିସିମିଲ୍‌ ସରକାରୀ ଜମିକୁ ଆଇଆଇଟି, ଭୁବନେଶ୍ବରକୁ ପ୍ରଦାନ କରାଯିବ। ଏଥି ପାଇଁ ସରକାର ବାର୍ଷିକ ଏକର ପିଛା ଗ୍ରାଉଣ୍ଡ୍‌ ରେଣ୍ଟ୍‌ ବାବଦରେ ଏକ ଶହ ଟଙ୍କା ଓ ସେସ୍‌ ବାବଦରେ ଗ୍ରାଉଣ୍ଡ୍‌ ରେଣ୍ଟ୍‌ର ୭୫% ଦେୟ ବିନିମୟରେ ଏହି ଜମି ଦିଆଯିବ।

ସେହିପରି ‌ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫେସନ୍ ଟେକ୍ନୋଲୋଜି(ଏନ୍‌ଇଏଫ୍‌ଟି)କୁ ପୂର୍ବରୁ ୧୦.୦୪୬ ଏକର ଜମି ଓ ଭିତ୍ତିଭୂମି ବିକାଶ ନିମନ୍ତେ ୫୮.୬୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଏଥି ପାଇଁ ଯୋଜନା ଓ ସମନ୍ବୟ ବିଭାଗ ଏବଂ ଅର୍ଥ ବିଭାଗର ସହମତି ନିଆଯାଇଥିଲା। ଆଜି ଏହି ଜମି ଓ ଟଙ୍କା ପ୍ରଦାନ ନିଷ୍ପତ୍ତିକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛି। ଏହା ସହ ଏନ୍‌ଆଇଏଫ୍‌ଟିକୁ ଆଉ ଦୁଇ ଏକର ଜମି ମାଗଣାରେ ଦେବା ପାଇଁ କ୍ୟାବିନେଟ୍‌ ଅନୁମୋଦନ ଦେଇଛି। ଚନ୍ଦକା ଶିଳ୍ପାଞ୍ଚଳରେ ଥିବା ଏନ୍‌ଆଇଏଫ୍‌ଟି କ୍ୟାମ୍ପସ୍‌ ନିକଟରେ ଏହି ଜମି ରହିଛି। ଜମିର ମୂଲ୍ୟ ବାବଦକୁ ୪ କୋଟି ୫୮ ଲକ୍ଷ ଟଙ୍କା ରାଜ୍ୟ ସରକାର ଇଡ୍‌କୋକୁ ପ୍ରଦାନ କରିବେ। ଏହି ଅତିରିକ୍ତ ଜମିରେ ଏନ୍‌ଆଇଏଫ୍‌ଟିର ପ୍ରଶାସନିକ ବ୍ଲକ୍‌, ଅଡିଟୋରିୟମ୍‌, ଲାଇବ୍ରେରି, ‌ହଷ୍ଟେଲ୍‌ ଆଦି ନିର୍ମାଣ କରାଯିବ।

ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ କୌଣସି କାର୍ଯ୍ୟ ପାଇଁ ବିଭିନ୍ନ ସରକାରୀ ସଂସ୍ଥାକୁ ଅସ୍ଥାୟୀ ଭାବେ ଜମି ଆବଣ୍ଟନ ପାଇଁ ବ୍ୟବସ୍ଥା ରହିଛି। ପୂର୍ବରୁ ଥିବା ବ୍ୟବସ୍ଥା ଅନୁଯାୟୀ ସରକାରୀ ଜମିକୁ ବେସରକାରୀ ଉଦ୍ଦେଶ୍ୟରେ ଅସ୍ଥାୟୀ ଆବଣ୍ଟନ ପାଇଁ ଲାଇସେନ୍ସ ଫି ବାବଦକୁ ବେସରକାରୀ ସଂସ୍ଥାକୁ ପ୍ରତି ବର୍ଷ ଜମିର ବଜାର ମୂଲ୍ୟର ଏକ ଦଶମାଂଶ ଦେୟ ଦେବାକୁ ପଡ଼ୁଥିଲା। ସରକାରୀ ସଂସ୍ଥା ପାଇଁ ନିର୍ଦ୍ଦିଷ୍ଟ ଭାବେ କୌଣସି ଦେୟ ନିର୍ଦ୍ଧାରଣ କରାଯାଇ ନ ଥିଲା। ଏଣିକି ସରକାରୀ ସଂସ୍ଥାକୁ ସରକାରୀ ଜମିର ଅସ୍ଥାୟୀ ଆବଣ୍ଟନ ପାଇଁ ବାର୍ଷିକ ଦେୟ ଜମିର ବଜାର ମୂଲ୍ୟର ୩ ପ୍ରତିଶତ କରାଯିବ। ଏହି ଅସ୍ଥାୟୀ ଆବଣ୍ଟନ ଥରକେ ଏକ ବର୍ଷ ପାଇଁ ପ୍ରଦାନ କରାଯିବ। ଏହା ସର୍ବାଧିକ ତିନି ବର୍ଷ ପାଇଁ ପର୍ଯ୍ୟାୟକ୍ରମେ ବୃଦ୍ଧି କରାଯିବ।

ଏହା ବାଦ୍ ଓଡ଼ିଶା ବେସାମରିକ ସେବା ନିୟମାବଳୀ, ୧୯୯୧ ଏବଂ ଓଡ଼ିଶା(ବେସରକାରୀ ଉପଶାସ୍ତ୍ରୀ ଓ ଶାସ୍ତ୍ରୀ ମହାବିଦ୍ୟାଳୟ) ଅନୁଦାନ ସହାୟକ ଆଦେଶ, ୨୦୦୯ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛି। ଓଡ଼ିଶା ଗ୍ରାଣ୍ଟ୍-ଇନ୍-ଏଡ୍ ଆଦେଶ, ୨୦୨୨କୁ ମଧ୍ୟ କ୍ୟାବିନେଟ୍‌ ଅନୁମୋଦନ ଦେଇଛି। ୨୦୦୪ ଗ୍ରାଣ୍ଟ-ଇନ୍-ଏଡ୍ ରୁ ବାଦ ପଡ଼ିଥିବା ଶିକ୍ଷକ ଓ ଅଣଶିକ୍ଷକମାନେ ଏହି ନୂଆ ଆଦେଶ ଦ୍ବାରା ଉପକୃତ ହେବେ।

ସମ୍ବନ୍ଧିତ ଖବର