୩ ସଂସ୍ଥାକୁ ମାଗଣା ଜମି

ଭୁବନେଶ୍ବର : ରାଜ୍ୟ ସରକାର ୩ଟି ସଂସ୍ଥାକୁ ମାଗଣାରେ ଜମି ଯୋଗାଇ ଦେଇଛନ୍ତି। ଏଥିରେ ଭୁବନେଶ୍ବର ଉପକଣ୍ଠର କେନ୍ଦ୍ରୀୟ ହୋମିଓପ୍ୟାଥି ଗବେଷଣା ପ୍ରତିଷ୍ଠାନ(ସିଆରଆଇଏଚ୍‌) ଓ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର(ଏନ୍‌ସିଡିସି)ର ଶାଖା ଏବଂ ବଲାଙ୍ଗୀରସ୍ଥିତ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ରହିଛି। ରାଜ୍ୟ କ୍ୟାବିନେଟ୍‌ରେ ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବ ପାରିତ ହୋଇଛି।

ଖୋର୍ଧା ଜିଲ୍ଲା ଜଟଣୀ ତହସିଲ ଅଧୀନ ଜାମୁକୋଳି ମୌଜାରେ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ହୋମିଓପ୍ୟାଥୀ ଗବେଷଣା ପରିଷଦ(ସିସିଆରଏଚ୍‌) ଅଧୀନରେ ସିଆରଆଇଏଚ୍‌ ନିର୍ମାଣ ପାଇଁ ୫ ଏକର ଜାଗା ଦିଆଯାଇଛି। ବିନା ପ୍ରିମିୟମ ଓ ଇନ୍‌ସଡେଣ୍ଟାଲ ଦେୟରେ ରାଜ୍ୟ ସରକାର ବାର୍ଷିକ ଏକର ପିଛା ଗ୍ରାଉଣ୍ଡ ରେଣ୍ଟ ବାବଦକୁ ୧ଶହ ଟଙ୍କା ଓ ସେସ୍ ବାବଦକୁ ଗ୍ରାଉଣ୍ଡ ରେଣ୍ଟର ୭୫ ପ୍ରତିଶତ ଦେୟ ବିନିମୟରେ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ସେହିପରି ବଲାଙ୍ଗୀର ଜିଲ୍ଲାର ବଲାଙ୍ଗୀର ତହସିଲ ଅଧୀନ ବଲାଙ୍ଗୀର ‘ଗ’ ମୌଜାରେ ୫୦.୪୩୭ ଏକର ସରକାରୀ ଜମି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ଯୋଗାଇ ଦିଆଯାଇଛି। ବିନା ମୂଲ୍ୟରେ, ବିନା ବାର୍ଷିକ ଭୂ-ରାଜସ୍ବ, ସେସ୍ ଓ ବିନା ଆନୁଷଙ୍ଗିକ ଖର୍ଚରେ ଲିଜ୍ ସୂତ୍ରରେ ପ୍ରଦାନ କରାଯାଇଛି। ତେବେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କୁ ଭୂ-ରାଜସ୍ବ ଓ ସେସ୍ ବାବଦକୁ ବାର୍ଷିକ ୧ଟଙ୍କା‌ ଟୋକନ ହିସାବରେ ଦେବାକୁ ପଡ଼ିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଖୋର୍ଧା ଜିଲ୍ଲା ଭୁବନେଶ୍ବର ତହସିଲ ଅଧୀନ ଅନ୍ଧାରୁଆ ମୌଜାରେ ୩.୧୨୫ ଏକର ସରକାରୀ ଜମିକୁ ସରକାର ଏନ୍‌ସିଡିସିକୁ ପ୍ରଦାନ କରିଛନ୍ତି। ବିନା କୌଣସି ପ୍ରିମିୟମ, ଇନସିଡେଣ୍ଟାଲ ଦେୟ, ଷ୍ଟାମ୍ପ ଡ୍ୟୁଟି ଓ ପଞ୍ଜୀକରଣ ଫି’ ଦେୟରେ ବ‌ାର୍ଷିକ ଗ୍ରାଉଣ୍ଡ ରେଣ୍ଟ ଓ ସେସ୍ ବାବଦକୁ ୧ଟଙ୍କା ବିନିମୟରେ ଦେବା ଲାଗି ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର