ଥାଲାସେମିଆ ରୋଗୀଙ୍କୁ ମାଗଣାରେ ଲିକୋସାଇଟ୍‌ ଫିଲଟର୍‌

ଭୁବନେଶ୍ବର : ରାଜ୍ୟରେ ଥିବା ୧୫ ହଜାରରୁ ଊର୍ଧ୍ବ ଥାଲାସେମିଆ ରୋଗୀ ଏବଂ ଅଭିଭାବକଙ୍କ ପାଇଁ ଖୁସି ଖବର। ରକ୍ତ ଟ୍ରାନ୍ସଫ୍ୟୁଜନ୍‌ ପାଇଁ ଏଣିକି ସେମାନଙ୍କୁ ଆବଶ୍ୟକ ଲିକୋସାଇଟ୍‌ ଫିଲଟର୍‌ କିଣିବାକୁ ପଡ଼ିବ ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହା ମାଗଣାରେ ଯୋଗାଇ ଦିଆଯିବ। ଏଥିପାଇଁ ରାଜ୍ୟ ସରକାର ୨ କୋଟି ଟଙ୍କା ଖର୍ଚ କରିବେ।

ସୂଚନା ଅନୁଯାୟୀ, ରକ୍ତ ନେବା ବେଳେ ମଲ୍ଟିପୁଲ ଟ୍ରାନ୍ସଫ୍ୟୁଜନ୍‌ ଥିବା ଥାଲାସେମିଆ ରୋଗୀଙ୍କ ପାଖକୁ ଡବ୍ଲୁବିସି ବା ଧଳାରକ୍ତ ଚାଲି ଆସେ। ଏହା ସେମାନଙ୍କ ପାଇଁ କ୍ଷତିକାରକ ହୋଇପାରେ। ତେଣୁ ଲିକୋସାଇଟ ଫିଲଟର୍‌ ଦ୍ବାରା ତାହାକୁ ଶୁଦ୍ଧୀକରଣ କରାଯାଇଥାଏ, ଯେପରି ଧଳାରକ୍ତ ଥାଲାସେମିଆ ରୋଗୀଙ୍କ ଦେହକୁ ନ ଯିବ। ତେ‌େବ‌ ଏହି ଫିଲଟର୍‌ ପାଇଁ ରୋଗୀ ତଥା ଅଭିଭାବକଙ୍କୁ ପ୍ରତିଥର ୯ଶହରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ିଥାଏ। ଥାଲାସେମିଆ ରୋଗୀଙ୍କୁ ମାସିକ ୩ରୁ ୪ଥର, ଏପରିକି ଏହାଠାରୁ ଅଧିକଥର ମଧ୍ୟ ରକ୍ତ ନେବାର ଆବଶ୍ୟକତା ପଡ଼ିଥାଏ। ଅନେକେ ଏହା କିଣି ମଧ୍ୟ ପାରନ୍ତି ନାହିଁ। ତେଣୁ ମାଗଣା ଲିକୋସାଇଟ୍‌ ଫିଲଟର୍‌ ବ୍ୟବସ୍ଥା କରିବାକୁ ଦାବି ହୋଇଆସୁଥିଲା। ରାଜ୍ୟ ସରକାର ଏବେ ଉକ୍ତ ଦାବିକୁ ଗ୍ରହଣ କରିଛନ୍ତି। କେବଳ ଏହି ଗୋଟିଏ ସୁବିଧା ନୁହେଁ, ଥାଲାସେମିଆ ଏବଂ ସିକଲିନ୍‌ ରୋଗୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ବିନା ବଦଳରେ ରକ୍ତ ପ୍ରଦାନ, ଗସ୍ତ ଖର୍ଚ ବାବଦକୁ ୫୦୦ ଟଙ୍କା, ନିଃଶୁଳ୍କ ସେବା ଚାର୍ଜ (ପୂର୍ବରୁ ସେବା ପାଇଁ ୫୦୦ ଟଙ୍କା ନିଆଯାଉଥିଲା) ଓ ଆବଶ୍ୟକ ଔଷଧ ମଧ୍ୟ ମାଗଣାରେ ଦିଆଯାଉଛି।

ସମ୍ବନ୍ଧିତ ଖବର