ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୧.୫୧ କୋଟି ମାଗଣା ସିଲିଣ୍ଡର ପ୍ରଦାନ

ଘରେ ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତିମାନେ ହେଲେ ସମ୍ମୁଖ ଯୋଦ୍ଧା: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଚଳିତ ମାସରେ ୧.୫୧ କୋଟି ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ହିତାଧିକାରୀଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଇଛି। କରୋନା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାର ୮ କୋଟି ହିତାଧିକାରୀଙ୍କୁ ଏପ୍ରିଲରୁ ଜୁନ ମାସ ମଧ୍ୟରେ ୩ଟି ଲେଖାଏଁ ଗ୍ୟାସ ସିଲିଣ୍ଡର ମାଗଣା ଯୋଗାଇବାର ବ୍ୟବସ୍ଥା ରହିଛି। ଏହି ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ତୈଳ ବିପଣନ କମ୍ପାନିଗୁଡ଼ିକ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ଗ୍ରାହକମାନଙ୍କ ବ୍ୟାଙ୍କ ଖାତାକୁ ଅଗ୍ରିମ ପଇସା ପଠାଇ ଦେଇଛନ୍ତି। ଏହି ଅର୍ଥକୁ ସେମାନେ ଏଲପିଜି ସିଲିଣ୍ଡର ପାଇଁ ବ୍ୟବହାର କରିପାରିବେ। ଦିନକୁ ତୈଳ ବିପଣନ କମ୍ପାନିଗୁଡ଼ିକ ୫୦ ରୁ ୬୦ ଲକ୍ଷ ସିଲିଣ୍ଡର ଯୋଗାଉଥିବା ବେଳେ ସେଥିରୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ଅଧୀନରେ ୧୮ ଲକ୍ଷ ମାଗଣା ସିଲିଣ୍ଡର ହିତାଧିକାରୀମାନଙ୍କୁ ଯୋଗାଇ ଦିଆଯାଉଛି ।

ପ୍ରେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସିଲିଣ୍ଡର ଘରେ ପହଞ୍ଚାଉଥିବା ୮୦୦ ବ୍ୟକ୍ତିଙ୍କୁ ଯୋଗାଯୋଗ କରିଥିଲେ । ଏଥିରେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । କରୋନା ମହାମାରୀ ସଂଗ୍ରାମର ଜଟିଳ ପରିସ୍ଥିତିରେ ଏମାନେ ସମ୍ମୁଖ ଯୋଦ୍ଧା ଭାବେ କାର୍ଯ୍ୟ ତୁଲାଉଥିବା ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ । ସେମାନଙ୍କର କର୍ତ୍ତବ୍ୟନିଷ୍ଠାକୁ ପ୍ରଶଂସା କରି ମନ୍ତ୍ରୀ କହିଥିଲେ ଯେ, ସେମାନେ ଦିନକୁ ୬୦ ଲକ୍ଷ ପର୍ଯ୍ୟନ୍ତ ସିଲିଣ୍ଡର ଘରେ ଘରେ ପହଞ୍ଚାଉଛନ୍ତି । କଠିନ ପରିସ୍ଥିତିରେ ନିଜର କାର୍ଯ୍ୟ ସୁଚାରୁରୂପେ ତୁଲାଇ ସେମାନେ ସମାଜରେ ସ୍ବତନ୍ତ୍ର ସମ୍ମାନର ପାତ୍ର ହେବା ସହ ଗରିବଙ୍କ ଆଶୀର୍ବାଦ ପାଉଛନ୍ତି ବୋଲି କହିଥିଲେ। ଘରେ ଘରେ ଏଲ୍‌ପିଜି ସିଲିଣ୍ଡର ପହଞ୍ଚାଉଥିବା ଏହି ବ୍ୟକ୍ତିମାନେ ନିଜର ଅଭିଜ୍ଞତା ମଧ୍ୟ ବଖାଣିଥିଲେ । କମ୍ପାନି ସେମାନଙ୍କୁ ସାବୁନ, ସାନିଟାଇଜର, ମାସ୍କ ଓ ଗ୍ଲୋବ୍ସ ଭଳି ନିରପତ୍ତା କିଟ୍‌ ପ୍ରଦାନ କରିଛି ବୋଲି ପ୍ରକାଶ କରିଥିଲେ । ସିଲିଣ୍ଡରଗୁଡିକୁ ଘରେ ପହଞ୍ଚାଇବା ବେଳେ ସେମାନେ ସିଲିଣ୍ଡରକୁ ସାନିଟାଇଜ କରିବା ସହ ସାମାଜିକ ଦୂରତା ରକ୍ଷା କରୁଛନ୍ତି ବୋଲି କହିଥିଲେ । ସେମାନଙ୍କ ମଧ୍ୟରୁ କେତେକ ଗ୍ରାହକମାନଙ୍କୁ ସାମାଜିକ ଦୂରତ୍ବ, ଆରୋଗ୍ୟ ସେତୁ ଆପ୍‌ର ଉପକାରିତା ଏବଂ ଅନଲାଇନ ଜରିଆରେ ଦେୟ ପ୍ରଦାନର ଉପକାରିତା ବୁଝାଇଥିଲେ । ସରକାର ଏବଂ ତୈଳ ବିପଣନ କମ୍ପାନିଗୁଡ଼ିକ ସେମାନଙ୍କ ବୀମା ବ୍ୟବସ୍ଥା କରିଥିବାରୁ ସେମାନେ ଏଥିନେଇ କୃତଜ୍ଞତା ପ୍ରକାଶ କରିଥିଲେ । କେତେକ ପ୍ରଧାନମନ୍ତ୍ରୀଙ୍କ ରିଲିଫ ସହାୟତା ପାଣ୍ଠିକୁ ଅର୍ଥ ପ୍ରଦାନ କରିବା ସହ ଗରିବ ଓ ବୟସ୍କ ଲୋକମାନଙ୍କୁ ଆବଶ୍ୟକସ୍ଥଳେ ସହାୟତା କରୁଥିବା ପ୍ରକାଶ କରିଥିଲେ ।

ସମ୍ବନ୍ଧିତ ଖବର