ଆନ୍ଧ୍ରପ୍ରଦେଶ ସରକାରଙ୍କ ମାଗଣା କ୍ଷୀର ସୀମାନ୍ତ ଓଡ଼ିଶାରେ ବିକ୍ରି; କଳାବଜାର ବେପାରୀ ସକ୍ରିୟ, ଚେଇଁବ କି ପ୍ରଶାସନ ? 

ପାରଳାଖେମୁଣ୍ତି : ଆନ୍ଧ୍ରପ୍ରଦେଶ ସରକାର ପ୍ରସୂତି ଓ ଶିଶୁଙ୍କୁ ମାଗଣାରେ ଯୋଗାଉଥିବା କ୍ଷୀର ସୀମାନ୍ତ ଓଡ଼ିଶାରେ ଅବାଧ ଭାବେ ବିକ୍ରି ହେଉଛି। ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥାଇ ପ୍ରସ୍ତୁତ ଏହି କ୍ଷୀର ପ୍ୟାକେଟ୍ ବର୍ତ୍ତମାନ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସମେତ ଆଖପାଖ ଅଞ୍ଚଳର ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନରେ ବିକାଯାଉଥିବା ଭଳି ସଂଗିନ୍ ଘଟଣା ସାମ୍ନାକୁ ଆସିଛି। ଫଳରେ ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାନ୍ତରେ ବର୍ତ୍ତମାନ କଳାବଜାର ବେପାରୀ ସକ୍ରିୟ ହୋଇଉଠିଛନ୍ତି। ଏସମ୍ପର୍କରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ତାଙ୍କୁ ଅବଗତ କରିବାରୁ ସେ କହିଛନ୍ତି, ଆଗକୁ ଯୋଗାଣ ବିଭାଗ ପକ୍ଷରୁ ଏହାର ଅନୁଧ୍ୟାନ ହେବ। ପ୍ରମାଣ ଓ ତଥ୍ୟ ମିଳିଲେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ତେବେ ଏଥିରେ ଆନ୍ଧ୍ରର କିଛି ବେପାରୀ ଓ ସେଠାକାର ବିଭାଗୀୟ ଅଧିକାରୀଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି।
ସୂଚନାନୁସାରେ, ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ବାରା ପ୍ରସୂତି ଏବଂ ୭ ମାସରୁ ୬ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କୁ କ୍ଷୀର, ଛତୁଆ ଏବଂ ଅଣ୍ଡା ମାଗଣାରେ ଯୋଗାଇ ଦିଆଯାଉଛି। ଅଙ୍ଗନବାଡ଼ି କର୍ମୀଙ୍କ ଜରିଆରେ ଏସବୁ ବଣ୍ଟାଯାଉଛି। ପ୍ରତି ୪୫ ଦିନରେ ଜଣେ ପିଲା ପିଛା ୧୧  ଲିଟର କ୍ଷୀର ଓ ୧୬ଟି ଅଣ୍ଡା ଯୋଗାଇ ଦିଆଯାଉଛି। କିନ୍ତୁ ଆନ୍ଧ୍ର ସରକାରଙ୍କ ମାଗଣା କ୍ଷୀରକୁ ସେଠାକାର କିଛି ବ୍ୟବସାୟୀ ବିଭିନ୍ନ ମାଧ୍ୟମରେ ଲୋକଙ୍କଠୁ ସଂଗ୍ରହ କରି ସୀମାନ୍ତ ଗଜପତି ଜିଲ୍ଲାରେ ଅବାଧ ଭାବେ ବିକ୍ରି କରୁଛନ୍ତି।
ବିଶେଷକରି ପାରଳାଖେମୁଣ୍ଡି ସହରରେ ଏହି କ୍ଷୀରର ବହୁଳ ମାତ୍ରାରେ ବିକ୍ରି ହେଉଛି। କ୍ଷୀର ପ୍ୟାକେଟ୍ ଗୁଡ଼ିକରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଫଟୋ ଲାଗିଥିବା ବେଳେ ସେଥିରେ ୭ ମାସରୁ ୬ ବର୍ଷ ଛୁଆଙ୍କ ପାଇଁ ଏହି କ୍ଷୀର ଉଦ୍ଦିଷ୍ଟ ବୋଲି ଲେଖାଯାଇଛି।  ଏହି କ୍ଷୀରକୁ ସ୍ବତନ୍ତ୍ର ଯୋଜନା ମାଧ୍ୟମରେ ମାଗଣାରେ ଯୋଗାଇ ଦିଆଯାଉଛି  ଓ ଏହା ବିକ୍ରୟଲବ୍ଧ ନୁହେଁ ବୋଲି ମଧ୍ୟ ସୂଚିତ କରାଯାଇଛି। ଏହାସତ୍ତ୍ବେ ଏହି କ୍ଷୀର ପାରଳାଖେମୁଣ୍ଡିରେ ଅବାଧରେ ବିକ୍ରି ହେଉଛି। ତଥ୍ୟ ସଂଗ୍ରହ ବେଳେ ଜଣାପଡ଼ିଛି, ସେଠାକାର କିଛି କ୍ଷୀର ବ୍ୟବସାୟୀ ପ୍ୟାକେଟ୍ ଗୁଡ଼ିକୁ ପ୍ରଥମେ ଖୋଲି ପ୍ରତିଦିନ ପାରଳା ସହରକୁ ବିକ୍ରୟ ପାଇଁ ଆସୁଥିବା କ୍ଷୀରରେ ମିଶ୍ରଣ କରି ବିଭିନ୍ନ ବ୍ୟାବସାୟିକ ଅନୁଷ୍ଠାନ, ଚାହା ଦୋକାନ ଓ ପନିର ପ୍ରସ୍ତୁତ କେନ୍ଦ୍ରରେ ବିକ୍ରୟ କରୁଛନ୍ତି।
କେବଳ କ୍ଷୀର ନୁହେଁ  ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଉଥିବା ଅଣ୍ତା ବି ଏଠାରେ ବିକ୍ରି ହେଉଛି। ସେଠାକାର କିଛି ବ୍ୟକ୍ତି ଏହି ଅଣ୍ତା ଗୁଡ଼ିକରେ ଥିବା ହଲୋଗ୍ରାମ୍ ଇଙ୍କ୍ ସିଲ୍‌କୁ ଚତୁରତାର ସହ ଲିଭାଇ ଦେଇ ମାର୍କେଟରେ ବିକୁଛନ୍ତି। ପାରଳାଖେମୁଣ୍ତି ସହର ସମେତ ସହରର ବିଭିନ୍ନ ଗ୍ରାମକୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଦୁଧ ବ୍ୟବସାୟୀ ଓ ରାସନ ସାମଗ୍ରୀ ବ୍ୟବସାୟୀ ଆସୁଥିବା ବେଳେ କ୍ଷୀର ଓ ଅଣ୍ଡାକୁ ଖୁବ କମ୍‌ଦରରେ ବିକ୍ରୟ କରୁଛନ୍ତି। ଶସ୍ତାରେ ମିଳୁଥିବାରୁ ଲୋକେ ଏହାକୁ କିଣିବାକୁ ପଛାଉନାହାନ୍ତି। ଫଳରେ ସ୍ଥାନୀୟ ବେପାରୀମାନଙ୍କୁ ବି ତଦନ୍ତ ପରିସରକୁ ଆଣିବାକୁ ମତପ୍ରକାଶ ପାଇଛି।
ସମ୍ବନ୍ଧିତ ଖବର