ଭିମ୍‍ସାରରେ ମାଗଣା ଏମ୍‌ଆର୍‌ଆଇ ସେବା ଆରମ୍ଭ

ବୁର୍ଲା : ବୁର୍ଲା ସ୍ଥିତ ଭିମ୍‌ସାରରେ ରୋଗୀଙ୍କୁ ମାଗଣା ଏମ୍‌ଆର୍‌ଆଇ ସେବା ଯୋଗାଇବା ନେଇ ଦେଖା ଦେଇଥିବା ଦ୍ୱନ୍ଦ୍ୱର ଶନିବାର ଅନ୍ତ ଘଟିଛି। ଏଣିକି ଡାକ୍ତରଖାନାରେ ଏଚ୍‌ଏଲ୍‌ଏଲ୍‌ ପକ୍ଷରୁ ଖୋଲା ଯାଇଥିବା ଏମ୍‌ଆରଆଇ କେନ୍ଦ୍ରରେ ରୋଗୀଙ୍କୁ ମାଗଣା ମେଗନେଟିକ୍‌ ରିସୋନାନସ୍‌ ଇମେଜିଂ ସ୍କାନିଂ (ଏମ୍‍ଆରଆଇ) ଟେଷ୍ଟ ସୁବିଧା ମିଳି ପାରିବ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସଂସ୍ଥାର ସ୍ଥାନୀୟ ଅଧିକାରୀ ରାକେଶ କେ’ଙ୍କ ନିକଟକୁ ଏ ନେଇ ନିର୍ଦେଶ ପହଞ୍ଚିବା ପରେ ଶନିବାରଠାରୁ ହିଁ ରୋଗୀଙ୍କ ନିଃଶୁଳ୍କ ସେବା ଦେବା ଆରମ୍ଭ ହୋଇଛି। ଆଜି ସନ୍ଧ୍ୟା ୭ଟା ସୁଦ୍ଧା ୧୬ ଜଣଙ୍କ ଏମ୍‌ଆର୍‌ଆଇ ସ୍କାନିଂ କରାଯାଇଥିବା କେନ୍ଦ୍ରର ମ୍ୟାନେଜର କୃଷ୍ଣ ଗୌଡ଼ ସୂଚନା ଦେଇଛନ୍ତି। ତେବେ ନିଃଶୁଳ୍କ ଏମ୍‌ଆରଆଇ ପାଇବାକୁ ହେଲେ ରୋଗୀଙ୍କୁ ଦିଆଯାଉଥିବା ଭିମ୍‌ସାରର ପ୍ରେସକ୍ରିପ୍ସନରେ ସେହି ଚିକିତ୍ସା ବିଭାଗର ପ୍ରଫେସର କିମ୍ବା ଆସୋସିଏଟ୍‍ ପ୍ରଫେସରଙ୍କ ଦସ୍ତଖତ ଥିବା ଜରୁରୀ।

ପ୍ରକାଶ ଥାଉ କି ରାଜ୍ୟସରକାର ଜାନୁଆରି ପହିଲାରୁ ଆରମ୍ଭ କରିଥିବା ନିଦାନ ନାମକ ରୋଗ ନିରୂପଣ ବା ଡାଇଗ୍ନୋଷ୍ଟିକ୍‌ ଯୋଜନାରେ ଏମ୍‌ଆର୍‌ଆଇ ଟେଷ୍ଟକୁ ବି ସାମିଲ କରିଛନ୍ତି। ପୂର୍ବରୁ କେବଳ କଟକ ଏସ୍‌୍‌ସିବି ମେଡିକାଲ୍‍ କଲେଜରେ ଏମ୍‌ଆରଆଇକୁ ନିଃଶୁଳ୍କ କରାଯାଇଥିଲା। ଜାନୁଆରି ୩ ତାରିଖ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଭିମ୍‌ସାର କର୍ତ୍ତୃପକ୍ଷଙ୍କୁ ଭିମ୍‌ସାରରେ ବି ସ୍କାନିଂକୁ ନିଃଶୁଳ୍କ କରାଯିବାକୁ ଚିଠି କରିଥିଲେ। ମେଡିକାଲ୍‌ ସ୍ଥିତ ଏଚ୍‌ଏଲ୍‌ଏଲ୍‌ ଦ୍ଵାରା ପରିଚାଳିତ ଏମ୍‌ଆର୍‌ଇ କେନ୍ଦ୍ରରେ ରୋଗୀଙ୍କ ଚିକିତ୍ସାଗତ ସ୍କାନିଂ ମାଗଣା କରାଯିବାକୁ ନିର୍ଦେଶ ହୋଇଥିଲା। ପୂର୍ବରୁ ଭିମ୍‌ସାରରେ ଏହି ସ୍କାନିଂ ବାବଦକୁ ରୋଗୀଙ୍କଠାରୁ ୪ ହଜାର ଓ କଣ୍ଟ୍ରାଷ୍ଟ ଏମ୍‌ଆରଆଇ ୬ ହଜାର ଫି ନେଉଥିଲା।

ମାତ୍ର ରାଜ୍ୟ ସରକାର ଏମଆର୍‌ଆଇ ସ୍କାନିଂ ପ୍ରତି ୩୧୯୯ ଟଙ୍କା ଧାର୍ଯ୍ୟ କରିଥିଲେ। ତାହା ସଂପୃକ୍ତ ସଂସ୍ଥା ସରକାରୀ ପାଣ୍ଠିରୁ ଯୋଗାଇ ଦିଆଯିବ ବୋଲି ନିର୍ଦେଶ ହୋଇଥିଲା। ମାତ୍ର ସଂସ୍ଥା ଉକ୍ତ ଧାର୍ଯ୍ୟ ଫି’ରେ ରାଜି ହୋଇନଥିଲା ଓ ଏହାର ପୁନର୍ବିଚାର କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିବେଦନ କରିଥିଲା। ଫଳରେ ଭିମ୍‌ସାରରେ ରୋଗୀଙ୍କୁ ଏମ୍‌ଆରଆଇ ସେବା ମାଗଣାରେ ମିଳିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ଏହି ପ୍ରସଙ୍ଗରେ ଏଚ୍‌ଏଲ୍‌ଏଲ୍‌ ସହ ପୁନଃ ଉଚ୍ଚସ୍ତରୀୟ ବୁଝାମଣା ପରେ ପ୍ରସ୍ତାବରେ ରାଜ୍ୟ ସରକାର ସହମତି ପ୍ରଦାନ କରି ସଂସ୍ଥା ଧାର୍ଯ୍ୟ କରିଥିବା ଫି ଯୋଗାଇବାକୁ ରାଜି ହୋଇଛନ୍ତି। ତେଣୁ ଆଜିଠୁ ରୋଗୀଙ୍କୁ ଏହି ସେବା ସଂପୂର୍ଣ୍ଣ ମାଗଣା ଯୋଗାଇ ଦିଆଯିବ ବୋଲି ସଂସ୍ଥାର ଇନ୍‌ଚାର୍ଜ ରାକେଶ କେ. ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧିତ ଖବର