ଜାରି ରହିବ ମାଗଣା ପ୍ରିକସନ୍ ଡୋଜ୍

ଭୁବନେଶ୍ବର : ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ୧୮-୫୯ ବର୍ଗ ପାଇଁ କେନ୍ଦ୍ର ସରକାରଙ୍କ ମାଗଣା ପ୍ରିକସନ୍ ଡୋଜ୍ ଟିକାକରଣ ଅବଧି ରହିଥିଲା। ତେବେ ଏହାକୁ ବନ୍ଦ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ନିର୍ଦେଶନାମା ଆସିନାହିଁ। ତେଣୁ ରାଜ୍ୟରେ ଯେତିକି ଟିକା ମହଜୁଦ ଅଛି ସେସବୁ ନ ସରିବା ଯାଏ ମାଗଣା ଟିକାକରଣ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ କରୋନା ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ।

ଡା.ପାଣିଗ୍ରାହୀ କହିଛନ୍ତି, ‘ଆଜାଦୀ କା ଅମୃତ ମହୋତ୍ସବ’ ପାଇଁ କେନ୍ଦ୍ର ସରକାର ଜୁଲାଇ ୧୫ରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ମାଗଣା ପ୍ରିକସନ୍ ଡୋଜ୍ ଦେବାକୁ ଘୋଷଣା କରିଥିଲେ। ଏହି ଅବଧି ଭିତରେ ରାଜ୍ୟରେ ୧କୋଟି ୨୧ଲକ୍ଷ ୫୦ହଜାର ଲୋକ ପ୍ରିକସନ୍ ଡୋଜ୍ ନେଇଛନ୍ତି। ଟିକାକରଣ ବନ୍ଦ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ନିର୍ଦେଶନାମା ଜାରି ହୋଇନାହିଁ। ଯଦିଓ ମାଗଣା ଟିକାକରଣ ଅବଧି ଶେଷ ହୋଇଯାଇଛି, ତଥାପି ଟିକାକରଣ ଜାରି ରହିବ। ରାଜ୍ୟରେ ଏବେ ସାଢ଼େ ୩ଲକ୍ଷ ଟିକା ମହଜୁଦ ଅଛି। ଖୁବଶୀଘ୍ର ଆଉ କିଛି ଟିକା ରାଜ୍ୟରେ ପହଞ୍ଚିବ। ରାଜ୍ୟରେ ୯୭ ପ୍ରତିଶତ ଲୋକ ନିଜର ପ୍ରଥମ ଡୋଜ୍ ଓ ୯୧ ପ୍ରତିଶତ ଦ୍ବିତୀୟ ଡୋଜ୍ ନେଇ ସାରିଛନ୍ତି। ପ୍ରିକସନ୍ ଡୋଜ୍ ଟିକା ନେବାରେ ଓଡ଼ିଶା ଦେଶର ଅନ୍ୟରାଜ୍ୟ ତୁଳନାରେ ଆଗରେ ରହିଛି। ରାଜ୍ୟରେ ଏବେ ୧୧୫୦ ଟିକା କେନ୍ଦ୍ରରେ ଟିକାକରଣ ଜାରି ରହିଛି। ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଏବେ ଗହଳି ହେବାର ଆଶଙ୍କା ରହିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ କରୋନା କଟକଣା ମାନିବା ଲାଗି ନିର୍ଦେଶାବଳୀ ଜାରି ହୋଇଛି। ଅଧିକାଂଶ ଲୋକ ନିଜର ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଥିବାରୁ ରାଜ୍ୟରେ ବିଶେଷ ସମସ୍ୟା ନ ହୋଇପାରେ ବୋଲି ଡା.ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର