ଭୁବନେଶ୍ୱର : ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀମାନଙ୍କୁ ମାଗଣାରେ ୫ କିଲୋ ଚାଉଳ ଏବଂ ୧ କିଲୋ ଡାଲି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ଏହାକୁ ନେଇ ଆପତ୍ତି ଉଠାଇଛି ରାଜ୍ୟ ବିଜେପି। ଦଳ ପକ୍ଷରୁ କୁହାଯାଇଛି ଯେ ଚଳିତ ମାସ ପ୍ରଥମ ସପ୍ତାହରେ ମୋଦୀ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦେଶର ୮୧ କୋଟି ହିତାଧିକାରୀଙ୍କୁ ନଭେମ୍ବର ପର୍ଯ୍ୟନ୍ତ ମାଗଣାରେ ୫ କିଲୋ ଚାଉଳ ଏବଂ ୧ କିଲୋ ଡାଲି ଯୋଗାଇବାକୁ ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତିକୁ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ମିଳିଛି। କେନ୍ଦ୍ର ସରକାରଙ୍କ ଯୋଜନା ଓ ନିଷ୍ପତ୍ତିକୁ ନିଜେ ଘୋଷଣା କରି ରାଜ୍ୟ ସରକାର ବାହାସ୍ଫୋଟ ମାରୁଛନ୍ତି।

Advertisment

ଦଳର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଅଭିଯୋଗ କହିଛନ୍ତି ଯେ, ଦେଶରେ ଖାଦ୍ୟ ସୁରକ୍ଷା ଆଇନ ଲାଗୁ ହେବା ସମୟରେ ରାଜ୍ୟର ଜନସଂଖ୍ୟା ୪ କୋଟି ୧୯ ଲକ୍ଷ ୭୪ ହଜାର ୨୧୮ ଥିଲା। ଏହି ଯୋଜନାରେ ଓଡିଶାରୁ ୩ କୋଟି ୨୬ ଲକ୍ଷ ୪୧ ହଜାର ୮୦୦ ଲୋକଙ୍କୁ ସାମିଲ କରାଯାଇ ସେମାନଙ୍କୁ ମାସକୁ ୫ କିଲୋ ଚାଉଳ ଦିଆଗଲା। କେନ୍ଦ୍ର ସରକାର କରିଥିବା ଏହି ଯୋଜନାରେ ହିତାଧିକାରୀଙ୍କୁ ୩ ଟଙ୍କା ଦେବାକୁ ପଡ଼ୁଥିଲା ବେଳେ ରାଜ୍ୟ ସରକାର ମାତ୍ର ୨ ଟଙ୍କା ଏବଂ ହିତାଧିକାରୀଙ୍କ ଠାରୁ ୧ ଟଙ୍କା ଆଦାୟ କରି ଟଙ୍କିକିଆ ଚାଉଳ ଦେଉଛନ୍ତି ବୋଲି ଘୋଷଣା କରିଥିଲେ। କିନ୍ତୁ ଏହି ହିତାଧିକାରୀଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ହୋଇଥିବା କାରଣରୁ ବହୁ ସ୍ଥାନରେ ଭୂତ ନାଁରେ ଚାଉଳ ହଡ଼ପ କରାଯାଉଛି। ୨୦୧୮ ମେ’ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଓଡ଼ିଶାର ଜନସଂଖ୍ୟା ୪ କୋଟି ୬୦ ଲକ୍ଷରୁ ଅଧିକ ଦର୍ଶାଇ ହିତାଧିକାରୀଙ୍କ ସଂଖ୍ୟା ୩୩ ଲକ୍ଷରୁ ୪୪ ଲକ୍ଷ ବୃଦ୍ଧି କରିବା ପାଇଁ କହିଥିଲେ। ଏହା ପରେ ରାଜ୍ୟ ସରକାର ‌େସହି ବର୍ଷ ଅକ୍ଟୋବର ୨ ତାରିଖରୁ ନିଜସ୍ୱ ଖାଦ୍ୟ ସୁରକ୍ଷା ଆଇନ ଆରମ୍ଭ କଲେ। କିନ୍ତୁ ଏହାର ତାଲିକାକୁ ଏଯାବତ ସର୍ବସାଧାରଣ ପ୍ରକାଶ କଲେ ନାହିଁ। ଏଥିରୁ ସ୍ପଷ୍ଟ ଯେ ରାଜ୍ୟ ସରକାର କେବଳ କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରି ନିଜେ କରୁଛନ୍ତି ବୋଲି ଡିଣ୍ଡିମ ପିଟି ଓଡିଶାବାସୀଙ୍କୁ ବିଭ୍ରାନ୍ତି କରାଇଛନ୍ତି। ବର୍ତ୍ତମାନ ରାଜ୍ୟ ସରକାର ଚାଉଳ ଓ ଡାଲି କାହାକୁ ଦେବେ ତାହାର ଉତ୍ତର ସରକାର ରଖିବାକୁ ବିଜେପି ଆହ୍ବାନ ଦେଇଛି।