ଟ୍ରାନ୍ସପୋର୍ଟର ଆଡ଼କୁ ଦୋଷ ଠେଲିଲେ ଡିଲର୍
ଗୋଦାମରୁ କାଣ୍ଟ୍ଛାଣ୍ଟ୍, ଆମେ କଣ କରିବୁ?
ମୁଣ୍ଡ ପିଛା ୨୫୦ଗ୍ରାମ୍ ନୁହେଁ, ୧୦୦ଗ୍ରାମ୍ କାଟୁଛୁ
ଅନୁଗୁଳ : କୋଭିଡ୍ର ପ୍ରଥମ ଲହରରେ ଗରିବଙ୍କ ପେଟ ଦେଖିଥିଲେ ସରକାର। ଲୋକଙ୍କୁ ବାଣ୍ଟିଥିଲେ ମାଗଣା ଡାଲି, ଚାଉଳ। କିନ୍ତୁ, ଏ ମାଗଣା ଚାଉଳ ହେଲା ବାଟମାରଣା। ଟ୍ରାନ୍ସପୋର୍ଟ କଣ୍ଟ୍ରାକ୍ଟରଠାରୁ ଡିଲର ପଏଣ୍ଟ୍ ଯାଏ ସବୁଠି ଚାଲିଥିଲା ହରିଲୁଟ୍। ଦ୍ବିତୀୟ ଲହରରେ ବି ସମାନ କାଣ୍ଡ ପଦାକୁ ଆସିଲାଣି। କାର୍ଡ଼ ପିଛା ପ୍ରାୟ କେଜିଏ ଚାଉଳ କଟ୍ନିଛଟ୍ନି କରି ବ୍ୟାପକ ଲୁଟପାଟ ଚାଲିଛି। ହେଲେ ଡିଲର୍ ଏ ଅପବାଦ ନିଜ ମୁଣ୍ଡରୁ ଖସାଇ ଟ୍ରାନ୍ସପୋର୍ଟର ଆଡ଼କୁ ଦୋଷ ଠେଲୁଛି। ଟ୍ରାନ୍ସପୋର୍ଟର ବସ୍ତାରେ ଚାଉଳ କମ୍ କରି ଦେଉଛି, ତେଣୁ ଆମେ ଲୋକଙ୍କ କାର୍ଡରୁ ଚାଉଳ କାଟିବାକୁ ବାଧ୍ୟ ହେଉଛୁ ବୋଲି ଡିଲର ସଫେଇ ଦେଉଥିବା ବେଳେ ବାସ୍ତବରେ ଲୋକଙ୍କ ଚାଉଳ କିଏ ହେରାଫେରି କରୁଛି ତାହା ତଦନ୍ତର ଅପେକ୍ଷା ରଖୁଛି।
ଏ ପ୍ରକାର ଅଭିଯୋଗ ଆସିଛି, ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ କନ୍ତପଡ଼ା ଗାଁରୁ। ଗାଁର ମା ବୁଢ଼ୀ ସ୍ବୟଂ ସହାୟକ ଗୋଷ୍ଠୀ ନାଁରେ କଣ୍ଟ୍ରୋଲ୍ ଦୋକାନ ଚାଲିଥିଲେ ହେଁ ପରିଚାଳନା କରୁଛନ୍ତି ବିଚିତ୍ର ଭୂଷଣ ପ୍ରଧାନ। ଗାଁରେ ଅଛନ୍ତି ୪୯୩ଜଣ କାର୍ଡଧାରୀ। ସେଥିରୁ ୪୩୩ଟି ପିଏଚ୍ଏଚ୍ ହୋଇଥିବା ବେଳେ ୫୨ଟି କାର୍ଡ ଅନ୍ତଦ୍ୟୋୟ ଯୋଜନା ଏବଂ ୮ଟି ପରିବାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ହୋଇଛନ୍ତି। ଗୋଟିଏ କାର୍ଡ ପିଛା ୩ଜଣ ପରିବାର ସଦସ୍ୟ ହିସାବ କଲେ ମୋଟ୍ ଖାଉଟି ସଂଖ୍ୟା ପ୍ରାୟ ଦେଢ଼ ହଜାରରୁ ଉପରେ ହେବ। କେନ୍ଦ୍ର ସରକାର ଆସନ୍ତା ଦୀପାବଳି ଯାଏ ମାଗଣା ଚାଉଳ ଦେବାକୁ ଘୋଷଣା କରିଛନ୍ତି। ଅର୍ଥାତ୍ ମୁଣ୍ଡ ପିଛା ୫କେଜି ଲେଖାଏ ଚାଉଳ ଲୋକଙ୍କୁ ବଣ୍ଟାଯିବ। ଏହାବାଦ୍ ମାସିକିଆ ଟଙ୍କିକିଆ ଚାଉଳ ବି ଲୋକେ ପାଇବେ। ତେଣୁ, ଗତ ମେ ଏବଂ ଚଳିତ ଜୁନ୍ ମାସ ମଧ୍ୟରେ ଲୋକଙ୍କୁ ମାଗଣା ଏବଂ ଟଙ୍କିକିଆ ଚାଉଳ ମିଶାଇ ମୋଟ୍ ୪ଟା କୋଟାର ଚାଉଳ ବଣ୍ଟାଯାଇଛି।
କିନ୍ତୁ, ଗୋଟିଏ କାର୍ଡ ପିଛା ଡିଲର ଗୋଟିଏ କେଜି ଚାଉଳ କାଟୁଛନ୍ତି ବୋଲି ଖୋଦ୍ ପଞ୍ଚାୟତର ୱାର୍ଡସଭ୍ୟମାନେ ଅଭିଯୋଗ ଆଣିଛନ୍ତି। ପଞ୍ଚାୟତର ୪ନମ୍ବର ୱାର୍ଡମେମ୍ବର ଆନନ୍ଦ ବେହେରା, ୫ନମ୍ବର ୱାର୍ଡ ମେମ୍ବର କୁବେର ବିଶ୍ବାଳ, ଖାଉଟି ତ୍ରିନାଥ ବେହେରା, ମୀନକେତନ ପ୍ରଧାନ, ଅମୂଲ୍ୟ ନାଏକଙ୍କ ସମେତ ଗ୍ରାମବାସୀ କହିଛନ୍ତି, ଗୋଟିଏ କାର୍ଡରେ ଚାରି ଜଣ ସଦସ୍ୟ ଥିଲେ ଡିଲର ଗୋଟିଏ କେଜିର କଟ୍ନିଛଟ୍ନି କରୁଛନ୍ତି। ମୁଣ୍ଡ ପିଛା ହିସାବ କଲେ ପ୍ରାୟ ୨୫୦ଗ୍ରାମ୍ ଚାଉଳ କଟାଯାଉଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗୋଟିଏ କାର୍ଡରେ ୨୦କେଜି ଚାଉଳ ସରକାର ଦେଉଥିବା ବେଳେ ଓଜନ କଲା ବେଳକୁ ୧୯କେଜି ଚାଉଳ ହେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।
ଏହାର ପ୍ରତିବାଦ କଲେ ବସ୍ତାରେ ଚାଉଳ କମ୍ ଆସୁଛି, ବସ୍ତାର ଓଜନ ବି ହେଉଛି। ଗୋଦାମରୁ ଚାଉଳ କମ୍ ଆସୁଥିବାରୁ କଟ୍ନିଛଟ୍ନି କରାଯାଉଛି ବୋଲି ଡିଲର ଉତ୍ତର ଦେଉଛନ୍ତି। କେବଳ ସେତିକି ନୁହେଁ, ଡିଲରଙ୍କ ବ୍ୟବହାରକୁ ନେଇ ମଧ୍ୟ ଲୋକେ ଅସନ୍ତୋଷ ପ୍ରକଟ କରିଛନ୍ତି।