‘ସୌଭାଗ୍ୟ’ ପାଲଟିଲା ଦୁର୍ଭାଗ୍ୟ : ମାଗଣା ବିଦ୍ୟୁତ୍‌କରଣ ଯୋଜନାରେ ଟଙ୍କା ଆଦାୟ

କେନ୍ଦୁଝର : ମାଗଣା ବିଦ୍ୟୁତ୍‌କରଣ ଯୋଜନାରେ ବି ଟଙ୍କା ଆଦାୟ କରିବାକୁ ପଛାଉନାହାନ୍ତି ଅସାଧୁ କର୍ମଚାରୀ। କେନ୍ଦୁଝର ଜିଲ୍ଲାରେ ‘ସୌଭାଗ୍ୟ’ ଯୋଜନାକୁ ଦୁର୍ଭାଗ୍ୟରେ ପରିଣତ କରିଦେଇଛନ୍ତି ଏମିତି କେତେଜଣ ବିଦ୍ୟୁତ୍‌ ବିଭାଗ କର୍ମଚାରୀ। ଖୋଦ୍‌ କେନ୍ଦୁଝର ସହର ମଧ୍ୟରେ ଥିବା ରାଧିକାଦେଇପୁରରେ ଏମିତି ଶୋଷଣ କରାଯାଇଥିବା ଦୃଷ୍ଟିକୁ ଆସିଛି।

ବର୍ଷ ବର୍ଷ ଧରି ଘରେ ଡିବିରି ଜଳୁଥିଲା। କେନ୍ଦ୍ର ସରକାରଙ୍କ ‘ସୌଭାଗ୍ୟ’ ଯୋଜନା ପରେ ଘରେ ବିଜୁଳିବତି ଜଳିବ ବୋଲି ଆଶା ରଖିଥିଲେ ରାଧିକାଦେଇପୁର ବାସିନ୍ଦା। ଗତ ୧୦ ଦିନ ମଧ୍ୟରେ ସେଠାରେ ନେସ୍କୋ ପକ୍ଷରୁ ବିଦ୍ୟୁତ୍‌ ସଂଯୋଗ ଆରମ୍ଭ ହୋଇଛି। ଏଇ ବିଦ୍ୟୁତ୍‌ସଂଯୋଗ ବେଳେ ବିଭାଗର କର୍ମଚାରୀମାନେ ହିତାଧିକାରୀଙ୍କ ପିଛା ଆଦାୟ କରିଛନ୍ତି ଅଢ଼େଇ ହଜାର ଟଙ୍କା। କେନ୍ଦୁଝର ସହର ମଝିରେ ଏଭଳି ଅଭିଯୋଗ ପରେ ଗ୍ରାମାଞ୍ଚଳରେ ‘ସୌଭାଗ୍ୟ’ ଯୋଜନାର ସଫଳତା ନେଇ ଉଠିଛି ପ୍ରଶ୍ନ।

କେନ୍ଦୁଝର ସହର ମଝିରେ ରହିଛି ଜନାର୍ଦ୍ଦନପୁର ଗ୍ରାମର ରାଧିକାଦେଇପୁର। ଏହି ସାହିରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ପରିବାର ରୁହନ୍ତି। ବିଡ଼ମ୍ବନା, ହେଉଛି ଏଠାରେ ମାତ୍ର ୧୫ରୁ ୨୦ ବିଦ୍ୟୁତ୍‌ ଉପଭୋକ୍ତା ଥିଲେ। କିଛିଦିନ ତଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସୌଭାଗ୍ୟ ଯୋଜନାରେ ଏହି ସାହିର ପ୍ରତ୍ୟେକଙ୍କ ଘରକୁ ବିଦ୍ୟୁତ୍‌ ସଂଯୋଗ ପାଇଁ ନେସ୍କୋ ପକ୍ଷରୁ ବ୍ୟବସ୍ଥା ହୋଇଥିଲା। ବିଭାଗୀୟ କର୍ମଚାରୀଙ୍କ ଦ୍ୱାରା ଏହି ସଂଯୋଗ ଦିଆଯାଉଥିଲା। କିଛିଦିନ ମଧ୍ୟରେ ଏହି ସାହିରେ ବିଦ୍ୟୁତ୍‌ ସଂଯୋଗ ପାଇଁ ଅଢ଼େଇହଜାର ଟଙ୍କା ଲେଖାଏଁ ଆଦାୟ କରାଯାଇଥିବା ଅଭିଯୋଗ ହୋଇଛି।

ଏ ସଂପର୍କରେ ଆମେ ନେସ୍କୋ ନିର୍ବାହୀ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁଙ୍କୁ ପଚାରିଥିଲୁ। ସେ କହିଥିଲେ, ଅଭିଯୋଗ ପାଇବା ପରେ ତୁରନ୍ତ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଯେକେହି ଏଥିରେ ସଂପୃକ୍ତ ଥିବ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧିତ ଖବର