ଫି’ ଛାଡ଼ ସପକ୍ଷ‌ରେ ନାହିଁ ପବ୍ଲିକ୍ ସ୍କୁଲ ସଂଘ

କଟକ : ସ୍କୁଲ ଫି’ ଛାଡ଼ ପ୍ରସଂଗକୁ ନେଇ ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଥିବାବେଳେ ମଙ୍ଗଳବାର ଦିନ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଦାୟର ମାମଲାର ଶୁଣାଣି ହୋଇଥିଲା। ଏହି ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଘରୋଇ ପବ୍ଲିକ୍ ସ୍କୁଲ ମ୍ୟାନେଜମେଣ୍ଟର ସଂଘ ‘କନଫେଡେରେସନ୍ ଅଫ୍ ଓଡ଼ିଶା ପବ୍ଲିକ୍ ସ୍କୁଲ୍‌ସ୍ ଇଣ୍ଟରଭେନସନ୍’ ପିଟିସନ୍ ଦାଖଲ କରିଥିଲା। ହାଇକୋର୍ଟ ଏହି ପିଟିସନକୁ ଗ୍ରହଣ କରିଥିଲେ। ସ୍କୁଲ ଫି ସଂପର୍କିତ ସମସ୍ତ ମାମଲାର ପରବର୍ତ୍ତୀ ଶୁଣାଣି ମେ ୨୬କୁ ଧାର୍ଯ୍ୟ କରାଯାଇଛି।

କିନ୍ତୁ କନଫେଡେରସନ୍ ଅଫ୍ ଓଡ଼ିଶା ପବ୍ଲିକ୍ ସ୍କୁଲସ୍‌ର ଇଣ୍ଟରଭେନସନ୍ ପିଟିସନରେ ଉଲ୍ଲେଖ କରାଯାଇଥିବା ତଥ୍ୟରୁ ସ୍ପଷ୍ଟ ହୋଇଥିଲା ଯେ, କୌଣସି ପ୍ରକାର ସ୍କୁଲ ଫି’ ଛାଡ କରିବା ସପକ୍ଷରେ ଘରୋଇ ସ୍କୁଲ ନାହାନ୍ତି। ପିଟିସନରେ ଦର୍ଶାଯାଇଥିଲା ଯେ, ରାଜ୍ୟର ପ୍ରାୟ ୨ ହଜାର ସ୍କୁଲର ଏହି ସଂଘ ପ୍ରତିନିଧିତ୍ବ କରୁଛି। ସଂଘର ସଦସ୍ୟ ଥିବା ଅଧିକାଂଶ ସ୍କୁଲ ପ୍ରତିଷ୍ଠା ଓ ଚଳାଇବା ପାଇଁ ବ୍ୟାଙ୍କ ଓ ଘରୋଇ ଋଣ ଆଣିଛନ୍ତି। ଶିକ୍ଷକ ଓ କର୍ମଚାରୀଙ୍କ ମାସିକ ଦରମା ସହିତ ସ୍କୁଲର ବିଦ୍ୟୁତ ବିଲ୍, ଜମି ଓ ଜଳକର ଓ ଅନ୍ୟାନ୍ୟ ଦୈନନ୍ଦିନ ଖର୍ଚ୍ଚ ରହିଛି। ରାଜ୍ୟରେ ପ୍ରାୟ ୬ ହଜାର ୭ଶହ ଘରୋଇ ସ୍କୁଲ ରହିଥିବା ବେଳେ ୧୫ ଲକ୍ଷ ଶିକ୍ଷକ ଓ କର୍ମଚାରୀ ଏହି ସବୁ ଶିକ୍ଷାନୁଷ୍ଠାନରେ କାର୍ଯ୍ୟ କରୁଛନ୍ତି। ଶିକ୍ଷକ, କର୍ମଚାରୀଙ୍କ ଦରମା ଓ ସ୍କୁଲର ଅନ୍ୟାନ୍ୟ ପରିଚାଳନା ବାବଦ ଖର୍ଚ୍ଚ ଛାତ୍ରଛାତ୍ରୀଙ୍କ ନିକଟରୁ ମିଳୁଥିବା ଫି ବାବଦ ଅର୍ଥ ଉପରେ ନିର୍ଭର କରେ। କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ୯୦ ପ୍ରତିଶତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନରେ ଶିକ୍ଷା ପ୍ରଦାନ ପାଇଁ ବ୍ୟବସ୍ଥା କରିଛନ୍ତି। ଜୁମ୍, ହ୍ବାଟସ୍‌ଆପ୍ କଲ୍ ଓ ଅନ୍ୟାନ୍ୟ ଆପ୍ଲିକେସନ୍ ଜରିଆରେ ଅନ୍‌ଲାଇନରେ ଶିକ୍ଷାଦାନ ବ୍ୟବସ୍ଥା କରାଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ (ଷ୍ଟଡି ମାଟେରିଆଲ)ର ସଫ୍ଟ କପି ସେମାନଙ୍କ ଇ-ମେଲ୍ ଆଇଡି ଓ ହ୍ବାଟସ୍‌ଆପ୍‌ ମାଧ୍ୟମରେ ପ୍ରଦାନ କରାଯାଇଛି। ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଶିକ୍ଷକମାନେ ଶିକ୍ଷା ପ୍ରଦାନ କରୁଛନ୍ତି। ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନରେ କୌଣସି ବାଧା ସୃଷ୍ଟି ହୋଇ ନାହିଁ। ଯଦି ସ୍କୁଲ ଫି ଛାଡ କରାଯାଏ ତେବେ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଦରମା ଦେବା ସମ୍ଭବ ହୋଇ ନ ପାରେ।

ତେବେ, ସ୍କୁଲ ଫି ଛାଡ ସଂପର୍କିତ ମାମଲାରେ ରାଜ୍ୟ ସରକାର ଓ ଘରୋଇ ସ୍କୁଲ ସଂଘ ଜବାବ ଦାଖଲ କରିବା ପରେ ପୂର୍ଣ୍ଣାଙ୍ଗ ଶୁଣାଣି ହେବ। ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର