ଛାତ୍ରଙ୍କ ନିଆରା ପ୍ରୟାସ: ଗାଁ ଦାଣ୍ଡରେ ମାଗଣା ଶିକ୍ଷାଦାନ

କେନ୍ଦୁଝର : ମହାମାରୀ କରୋନା ଯୋଗୁଁ ଦୁଇବର୍ଷ ହେଲା ବିଦ୍ୟାଳୟ ବନ୍ଦ ରହିଛି। ସରକାର ଅନ୍‌ଲାଇନ୍‌ ଶିକ୍ଷାଦାନ ବ୍ୟବସ୍ଥା କରିଥିଲେ ମଧ୍ୟ ଗାଁ ଗହଳିରେ ଅଧିକାଂଶ ଛାତ୍ରଛାତ୍ରୀଙ୍କ ସ୍ମାର୍ଟଫୋନ୍‌ ନଥିବା ଏବଂ ନେଟୱର୍କ ସମସ୍ୟା ଯୋଗୁଁ ସେମାନେ ପାଠ ପଢ଼ିପାରୁ ନାହାନ୍ତି। ଏଭଳି ସ୍ଥିତିରେ କେନ୍ଦୁଝର ସଦର ବ୍ଲକ୍‌ ବରଦାପାଳ ପଞ୍ଚାୟତ ଶିମିଳିସାହିର ପିଲାମାନେ ଦିନତମାମ ଖେଳିବୁଲି ଦିନ କାଟୁଥିଲେ। ଗ୍ରାମର ସିପୁନ ପାତ୍ର ଏହି ପିଲାଙ୍କୁ ଏକାଠି କରି ଗାଁ ଦାଣ୍ଡରେ ବସାଇ ପାଠ ପଢ଼ାଉଛନ୍ତି। ଶିମିଳିସାହିର ପ୍ରାୟ ୭୦ଜଣ ପିଲା ସିପୁନ ପାଖରେ ତିନିମାସ ହେଲା ପାଠ ପଢ଼ୁଛନ୍ତି। ତାଙ୍କର ଏହି ପ୍ରୟାସକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି।

ଶିମିଳିସାହିରେ ପ୍ରାୟ ଶହେ ପରିବାର ବାସ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଦିନମଜୁରିଆ। ଶିକ୍ଷା ପ୍ରତି ସେମାନେ ଏତେଟା ସଚେତନ ନଥିବାରୁ ପିଲାଙ୍କ ପାଠପଢ଼ା ଉପରେ ଧ୍ୟାନ ଦେଉନଥିଲେ।

ସାହିର ପିଲାମାନେ ପାଠ ନପଢ଼ି ଖେଳିବୁଲି ସମୟ ନଷ୍ଟ କରୁଥିବା ଦେଖି ସିପୁନ ବିଚଳିତ ହୋଇଥିଲେ। ‘ୟାସ୍‌ ବାତ୍ୟାରେ ଛପର ଉଡ଼ିଯାଇଥିବା ସାହିର କ୍ଲବ୍‌ଘର ପାଖରେ ପିଲାଙ୍କୁ ବସାଇ ପାଠ ପଢ଼ାଇବା ଆରମ୍ଭ କରିଥିଲେ। ବର୍ତ୍ତମାନ ତାଙ୍କ ପାଖରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୭୦ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ସିପୁନ ପ୍ରତିଦିନ ସକାଳେ ୩ ଘଣ୍ଟା ଲେଖାଏଁ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ପିଲାମାନେ ମଧ୍ୟ ତାଙ୍କ ପାଖରେ ଆଗ୍ରହର ସହ ପାଠ ପଢ଼ୁଥିବା ଦେଖି ଅଭିଭାବକମାନେ ଖୁସି ହେଉଛନ୍ତି।

ସାହିରେ ଅଙ୍ଗନବାଡ଼ି ଓ ପ୍ରାଥମିକ ବିଦ୍ୟାଳୟ ନାହିଁ। କ୍ଲବ୍‌ ଘରଟି ବାତ୍ୟାରେ ଭାଙ୍ଗି ଯାଇଥିବାବେଳେ ଏଯାଏ ମରାମତି ହୋଇନାହିଁ। ସାହିରେ ତୁରନ୍ତ ଏକ ଅଙ୍ଗନବାଡ଼ି କେନ୍ଦ୍ର ପ୍ରତିଷ୍ଠା କରାଯିବା ସହ କ୍ଲବ୍‌ ଘରକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବାକୁ ସାହିବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ସିପୁନ କହିଛନ୍ତି, ସେ ଯୁକ୍ତ୩ ବିଜ୍ଞାନ ପାସ୍‌ କରି ଘରେ ଅଛନ୍ତି। ପିଲାଙ୍କୁ ପାଠ ପଢ଼ାଇବାରେ ତାଙ୍କୁ ଆନନ୍ଦ ମିଳୁଛି। ଏହାଦ୍ବାରା ତାଙ୍କର ମଧ୍ୟ ଜ୍ଞାନ ବଢ଼ୁଛି। କିଛି ଅଭିଭାବକ ପାଠପଢ଼ା ବାବଦକୁ ଅର୍ଥ ଯାଚିଥିଲେ। କିନ୍ତୁ ସେ ଏହାକୁ ବାରଣ କରିଥିଲେ ବୋଲି କରିଛନ୍ତି। ସେହିପରି ପାଠ ପଢ଼ାଇବା ସହ ସେ ପିଲାଙ୍କୁ ନୃତ୍ୟ ତାଲିମ ମଧ୍ୟ ଦିଅନ୍ତି। ଭଲ ନୃତ୍ୟ ଶିକ୍ଷକ ଭାବେ ସିପୁନ ସ୍ଥାନୀୟ ଅଞ୍ଚଳରେ ବେଶ ଜଣାଶୁଣା।

ସମ୍ବନ୍ଧିତ ଖବର