ମାଗଣା ପାଠ୍ୟପୁସ୍ତକ ନେଲେନି, ବିଦ୍ୟାଳୟରେ ପଡ଼ି ରହିଛି ବହି

୨ କୋଟି ୧୫ ଲକ୍ଷ ବହି ବଣ୍ଟନ ହୋଇପାରିନି
୫ ବର୍ଷ ତୁଳନାରେ ଏଥର କମ୍‌ ବହି ବଣ୍ଟନ

ଭୁବନେଶ୍ବର : ୨୦୨୦-୨୧ ଶିକ୍ଷାବର୍ଷରେ ସବୁ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ପିଲାଙ୍କ ନିକଟରେ ପହଞ୍ଚିନି ମାଗଣା ପାଠ୍ୟପୁସ୍ତକ। କେଉଁଠି ପିଲା ପାଇଛନ୍ତି ତ ଆଉ କେଉଁଠି ପାଇ ନାହାନ୍ତି। କେତେକ ସ୍ଥାନରେ ସ୍କୁଲରେ ପହଞ୍ଚିଥିଲେ ମଧ୍ୟ ତାହାକୁ ନେବା ଲାଗି ଛାତ୍ରଛାତ୍ରୀ କିମ୍ବା ସେମାନଙ୍କ ଅଭିଭାବକ ଆସିଲେ ନାହିଁ। ତେଣୁ ବହି ଏବେ ବି ବିଦ୍ୟାଳୟରେ ପଡ଼ି ରହିଛି। ଅଧିକାଂଶ ସ୍ଥାନରେ ଶିକ୍ଷକଶିକ୍ଷୟିତ୍ରୀ ପିଲାଙ୍କ ଘରକୁ ଘର ବୁଲି ବହି ବାଣ୍ଟିଛନ୍ତି। ତା’ପରେ ବି ଗତ ୫ ବର୍ଷ ତୁଳନାରେ ଚଳିତବର୍ଷ କମ୍‌ ସଂଖ୍ୟକ ପାଠ୍ୟପୁସ୍ତକ ବିତରଣ ହୋଇଛି।

ଗଣଶିକ୍ଷା‌ ବିଭାଗର ତଥ୍ୟ ଅନୁଯାୟୀ, ୨୦୧୬-୧୭ ଶିକ୍ଷାବର୍ଷରେ ୨ କୋଟି ୮୫ ଲକ୍ଷ ୪୦ ହଜାର ୧୭୫ ଖଣ୍ଡ ପାଠ୍ୟପୁସ୍ତକ ବଣ୍ଟନ ହୋଇଥିବା ବେଳେ ୨୦୧୭-୧୮ରେ ୨ କୋଟି ୭୯ ଲକ୍ଷ ୪୧ ହଜାର ୯୧ ଖଣ୍ଡ ମାଗଣା ପାଠ୍ୟପୁସ୍ତକ ସରକାରୀ ବିଦ୍ୟାଳୟରେ ପ୍ରଥମରୁ ୮ମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିଲା। ୨୦୧୮-୧୯ ଶିକ୍ଷାବର୍ଷରେ ମାଗଣା ପାଠ୍ୟପୁସ୍ତକ ସଂଖ୍ୟା ୪ କୋଟି ୩୨ ଲକ୍ଷ ୯୩ ହଜାର ୧୯୩ ଖଣ୍ଡରେ ପହଞ୍ଚିଥିଲା। ୨୦୧୯-୨୦ରେ ୪ କୋଟି ୪୪ ଲକ୍ଷ ୭୨ ହଜାର ୭୯୩ ଖଣ୍ଡ ପିଲାଙ୍କୁ ବଣ୍ଟନ ହୋଇଥିବା ବେଳେ ୨୦୨୦-୨୧ ଶିକ୍ଷାବର୍ଷରେ ମାଗଣା ପାଠ୍ୟପୁସ୍ତକ ବଣ୍ଟନ ସଂଖ୍ୟା ୨ କୋଟି ୬୯ ଲକ୍ଷ ୪ ହଜାର ୭୬୦କୁ ଖସି ଆସିଛି। ପାଖାପାଖି ୨ କୋଟି ୧୫ ଲକ୍ଷ ବହି ବଣ୍ଟନ ହୋଇପାରି ନାହିଁ। ଅଧା ମୂଲ୍ୟରେ ମାତ୍ର ୬ ଲକ୍ଷ ୬ ହଜାର ୬୮୯ ଖଣ୍ଡ ବିକ୍ରୟ ହୋଇଛି। ପଡ଼ୋଶୀ ରାଜ୍ୟରେ ପଡ଼ୁଥିବା ଓଡ଼ିଆ ଛାତ୍ରଛାତ୍ରୀକୁ ୫୪ ହଜାର ୬୯ଟି ବହି ମାଗଣାରେ‌ ଯୋଗାଇ ଦିଆଯାଇଛି। କାରୋନା ସଂକ୍ରମଣ ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ନେଇ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ ରାଜ୍ୟର ୩୧୪ ବ୍ଲକ ଓ ୧୦୩ଟି ସହରର ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ପାଠ୍ୟପୁସ୍ତକ ଉତ୍ପାଦନ ଓ ବିତରଣ ଦାୟିତ୍ବ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ ସଂସ୍ଥା ନିର୍ବାହ କରୁଛି। ଏଥିସହ ସରକାର ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ବ୍ୟତୀତ ବେସରକାରୀ ଓ କେନ୍ଦ୍ର ସରକାରଙ୍କ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଲାଗି ୫୦% ରିହାତି ଦରରେ ୬୪ଟି ବିକ୍ରୟ କେନ୍ଦ୍ର ମାଧ୍ୟମରେ ପାଠ୍ୟପୁସ୍ତକ ବିକ୍ରୟ କରାଯାଉଛି। ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡ଼ୁ ପରି ରାଜ୍ୟର ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଓଡ଼ିଆ ପାଠ୍ୟପୁସ୍ତକ ବିତରଣ କରାଯାଇଛି।

୨୦୨୦-୨୧ ଶିକ୍ଷାବର୍ଷରେ ସଂସ୍ଥା ପକ୍ଷରୁ ୧ କୋଟି ୧୪ ଲକ୍ଷ ୨୬ ହଜାର ୯୭ ଖଣ୍ଡ ଉଜ୍ଜ୍ବଳା ଓ ଉତ୍‌ଥାନ ପାଠ୍ୟପୁସ୍ତକ ସମସ୍ତ ଜିଲ୍ଲାକୁ ଦିଆଯାଇଥିବା ବେଳେ ୩୩ ଲକ୍ଷ ୮୨ହଜାର ୧୯୨ ଖଣ୍ଡ ଉତ୍କର୍ଷ ପାଠ୍ୟପୁସ୍ତକ ୨୯ଟି ଜିଲ୍ଲାକୁ ଯୋଗାଣ ହୋଇଛି। ଏହି ଶିକ୍ଷାବର୍ଷରେ ଜାତୀୟକରଣ ପାଠ୍ୟପୁସ୍ତକ ୪୬ ଲକ୍ଷ ୨୮ ହଜାର ୪୧୬ ଖଣ୍ଡ ଉଜ୍ଜ୍ବଳା ଓ ୬୭ ଲକ୍ଷ ୯୭ ହଜାର ୬୮୧ ଖଣ୍ଡ ଉତ୍‌ଥାନ ଉତ୍ପାଦନ ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ସମ୍ବନ୍ଧିତ ଖବର