ସଡ଼କ ଦୁର୍ଘଟଣାରେ ଆହତଙ୍କ ପାଇଁ ଘରୋଇ ହସ୍‌ପିଟାଲ୍‌ରେ ମାଗଣା ଚିକିତ୍ସା

ଭୁବନେଶ୍ବର : ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଏଣିକି ୩ଟି ଘରୋଇ ହସ୍‌ପିଟାଲ୍‌ରେ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ରାଜ୍ୟ ସରକାର ଆଜି ଏସଂପର୍କରେ ନିଷ୍ପତ୍ତି ନେଇଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସୁବିଧା କଟକର ଅଶ୍ବିନୀ ହସ୍ପିଟାଲ୍ ଓ ଭୁବନେଶ୍ବରର ଆପୋଲୋ ହସ୍ପିଟାଲ୍ ଏବଂ ଆମ୍ରି ହସ୍ପିଟାଲ୍‌ସରେ ଉପଲବ୍ଧ ହେବ। ରୋଗୀଙ୍କୁ ପ୍ରଥମ ୪୮ ଘଣ୍ଟାର ଚିକିତ୍ସା ମାଗଣାରେ ପ୍ରଦାନ କରାଯିବ। ଏଥିପାଇଁ ‘ଫ୍ରି ଟ୍ରିଟ୍‌ମେଣ୍ଟ୍‌ ଟୁ ଟ୍ରମା ଫଣ୍ଡ୍‌’ରୁ ଅର୍ଥ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ କୁହାଯାଇଛି। ରୋଗୀଙ୍କୁ ଘରୋଇ ହସ୍ପିଟାଲ୍‌ରେ ମାଗଣାରେ ମେଡିକାଲ୍, ସର୍ଜିକାଲ୍ ଓ କ୍ରିଟିକାଲ୍ କେୟାର ସୁବିଧା ମିଳିବ। ସଡ଼କ ଦୁର୍ଘଟଣାରେ ଆହତଙ୍କ ତ୍ବରିତ ଚିକିତ୍ସାରେ ଅର୍ଥ ଯେଭଳି ବାଧକ ନହୁଏ ତାହାକୁ ନିଶ୍ଚିତ କରିବା ଲାଗି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି। ସଡ଼କ ଦୁର୍ଘଟଣାରେ ଆହତ ହେଉଥିବା‌ ବ୍ୟକ୍ତିଙ୍କ ପାଇଁ ପ୍ରଥମ ୪୮ ଘଣ୍ଟାକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବିଚାର କରାଯାଏ। ସେହି ସମୟ ଭିତରେ ଉପଯୁକ୍ତ ଚିକିତ୍ସା ସୁବିଧା ମିଳିଲେ ଅନେକ ମୂଲ୍ୟବାନ ଜୀବନ ରକ୍ଷା ହୋଇପାରିବ। ତାହାକୁ ବିଚାରକୁ ନେଇ ରୋଗୀଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତ୍ବରିତ ଚିକିତ୍ସା ପ୍ରକ୍ରିୟାରେ ସହାୟତା ପ୍ରଦାନ କରିବା ଲାଗି ଏକ ତିନି ଜଣିଆ ସେଲ୍ ଗଠନ କରାଯାଇଛି। ଚିକିତ୍ସା ସମୟରେ ସେମାନଙ୍କର ସହାୟତା ନିଆଯାଇପାରିବ। ଏହି ସେଲରେ ଅଛନ୍ତି ଡାକ୍ତର ଅନୀଲ କୁମାର ସାହୁ (୯୪୩୭୦୫୪୯୩୦), ମଣିଲାଲ ଗୁପ୍ତା (୯୪୩୯୯୯୮୧୫୩) ଏବଂ ଦିଲୀପ କୁମାର ନନ୍ଦ (୯୩୪୮୬୭୭୧୩୩)।

ସମ୍ବନ୍ଧିତ ଖବର