ବେସରକାରୀ ହସ୍ପିଟାଲରେ ଗରିବଙ୍କୁ ମାଗଣା ଚିକିତ୍ସା ମାମଲାରେ ପୂର୍ଣ୍ଣଚ୍ଛେଦ, ସଚିବଙ୍କ ନିକଟରେ ଅଭିଯୋଗ କରିବାକୁ ନିର୍ଦେଶ

କଟକ : ବେସରକାରୀ ଚିକିତ୍ସାଳୟରେ ଗରିବଙ୍କୁ ମାଗଣା ଚିକିତ୍ସା ପ୍ରସଙ୍ଗକୁ ନେଇ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣିରେ ଅନ୍ତ ଘଟିଛି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌. ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ତପୀଠ ମାମଲାର ଶୁଣାଣି କରି ଯଦି କୌଣସି ରୋଗୀ ମାଗଣା ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହୁଅନ୍ତି; ତେବେ ସେ ସିଧାସଳଖ ସ୍ବାସ୍ଥ୍ୟ ସଚିବଙ୍କ ନିକଟରେ ଅଭିଯୋଗ କରି ପାରିବେ ବୋଲି ନିର୍ଦ୍ଦେଶ ଦେବା ସହିତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଆବେଦନକାରୀ ରୋହନ ମହାନ୍ତିଙ୍କ ପକ୍ଷରୁ ଆଇନଜୀବୀ କ୍ଷୀରୋଦ ରାଉତ, ଜୟନ୍ତୀ ନାୟକ, ସୁରେନ୍ଦ୍ର ରାଉତ ଓ ଅନୀଲ ଦଳେଇ ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ସରକାରଙ୍କ ଠାରୁ କମ୍‌ ମୂଲ୍ୟରେ କିମ୍ବା ମାଗଣାରେ ଜମି ନେଇଥିବା ବେସରକାରୀ ହସ୍ପିଟାଲ ଓ ନର୍ସିଂହୋମ ଗୁଡିକ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ରୋଗୀଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇବା ସହ ଏହାର ତଥ୍ୟ ରାଜ୍ୟ ସରକାରଙ୍କୁ ପ୍ରତି ମାସରେ ଦେବେ। ଏହା ବାଦ୍‌ ତଥ୍ୟକୁ ଅନ୍‌ଲାଇନ୍‌ରେ ମଧ୍ୟ ଉପଲବ୍ଧ କରାଇବେ। ଏଥିରେ ଖିଲାପ କଲେ ସମ୍ପୃକ୍ତ ବେସରକାରୀ ହସ୍ପିଟାଲ ଓ ନର୍ସିଂହୋମ ବିରୁଦ୍ଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସରକାର ଦେଇଥିବା ଜମିର ବର୍ତମାନର ବଜାର ମୂଲ୍ୟ ଆଦାୟ କରାଯିବ ବୋଲି ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଓଡ଼ିଶାରେ ପାଖାପାଖି ୪୨ରୁ ଅଧିକ ବେସରକାରୀ ହସ୍ପିଟାଲ ଓ ନର୍ସିଂହୋମ ରାଜଧାନୀ ଭୁବନେଶ୍ୱର ସହ ରାଜ୍ୟର ଅନେକ ଜାଗାରେ ବହୁ ମୂଲ୍ୟବାନ ସରକାରୀ ଜମିକୁ ଅତିକମ୍ ମୂଲ୍ୟରେ ବା ମାଗଣାରେ ନେଇଛନ୍ତି। କିନ୍ତୁ ଗରିବ ରୋଗୀଙ୍କୁ ଏହି ସବୁ ସଂସ୍ଥାରେ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ କୌଣସି ପଦକ୍ଷେପ ନିଆଯାଇ ନଥିଲା। ସୂଚନା ଅଧିକାର ବଳରେ ଏହି ତଥ୍ୟ ହାସଲ କରିବା ପରେ ଓଡିଆ ଯୁବ ମଞ୍ଚର ସଭାପତି ରୋହନ ମହାନ୍ତି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ।

ସମ୍ବନ୍ଧିତ ଖବର