ବୌଦ୍ଧ: ଜନ୍ମରୁ ଗ୍ରହଣ ଖଣ୍ଡିଆ। ନାକେଇ କଥା କହୁଥିବାରୁ ବୁଝିବା କଷ୍ଟକର ଥିଲା। ଅପରିଚିତ କେହି ଦେଖିଲେ ଭୟ କରୁଥିଲେ। ଜନ୍ମରୁ ଏକ ସାମାଜିକ ପାତରଅନ୍ତରର ଶିକାର ହୋଇଛନ୍ତି ଶାନ୍ତି। ନିଜ କୁତ୍ସିତ ଚେହେରା ଯୋଗୁଁ ସଂସାର କରି ପାରିନାହାନ୍ତି। ଦିନ ମଜୁରିଆ ଭାବେ କାମ କରି ପେଟ ପାଇଁ ଦୁଇ ମୁଠା ଦାନା ନିମନ୍ତେ ସଂଘର୍ଷ କରୁଛନ୍ତି। ଦୀର୍ଘ ୬୦ ବର୍ଷ ପରେ ଏବେ ସ୍ବାଭାବିକ ରୂପ ଫେରି ପାଇଛନ୍ତି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରେଙ୍ଗାଲି ପଞ୍ଚାୟତ ଚାରପାଲି ଗ୍ରାମର ଶାନ୍ତି ବେହେରା (୬୧)। କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହୋଇ ସେ ଶୁକ୍ରବାର ବୌଦ୍ଧ ଫେରିଛନ୍ତି।

Advertisment

ଶନିବାର ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ନିଜ ଆବାସିକ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି। ଚଳିତ ମାସ ୯ ତାରିଖରେ କଣ୍ଟାମାଳ ବ୍ଲକ ଅଞ୍ଚଳରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରକୁ ଯାଇଥିବା ବେଳେ ଜିଲ୍ଲାପାଳଙ୍କ ନଜରକୁ ଆସିଥିଲେ ଶାନ୍ତି। ତାଙ୍କ ସହ କଥା ହୋଇ ସବୁ ବିଷୟ ଜାଣିବା ପରେ ତାଙ୍କୁ ଆଣି ସ୍ବଧାର ଗୃହରେ ରଖିବା ସହ ଚିକିତ୍ସା ପ୍ରକ୍ରିୟା ଆରମ୍ଭ କରିଥିଲେ। ଚିକିତ୍ସା ପାଇଁ କଟକ ପଠାଇଥିଲେ। ଜିଲ୍ଲା ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ ସହ ସାଙ୍ଗରେ କେହି ଆତ୍ମୀୟ ନଥିବାରୁ ସ୍ବଧାର ଗୃହର ପରାମର୍ଶଦାତ୍ରୀ ସବିତା ହୋତା ସାଙ୍ଗରେ ଯାଇଥିଲେ। ଗ୍ରହଣ ଖଣ୍ଡିଆ ଅସ୍ତ୍ରୋପଚାର ସାଧାରଣ ହୋଇଥିଲେ ଶୁଦ୍ଧା ଶାନ୍ତିଙ୍କ ବୟସାଧିକ୍ୟ ଡାକ୍ତରଙ୍କ ପାଇଁ ଚାଲେଞ୍ଜ ଥିଲା।

publive-image

ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରି ୧୪ ତାରିଖରେ ତାଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ସଫଳ ଅସ୍ତ୍ରୋପଚାର ଓ ଚିକିତ୍ସା ପରେ ଶୁକ୍ରବାର ତାଙ୍କୁ ଡିସ୍‌ଚାର୍ଜ କରାଯାଇଛି। ନୂତନ ଜୀବନ ପାଇଥିବାରୁ ଜିଲ୍ଲାପାଳ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳଙ୍କ ପାଖରେ ବସି କେବଳ ଜିଲ୍ଲାପାଳଙ୍କୁ ହାତ ଯୋଡ଼ି କୃତଜ୍ଞତା ଜଣାଉଥିବା ଦେଖାଯାଇଥିଲା। ‘ମୋ ପାଖରେ ରହିବ କି’ ବୋଲି ଜିଲ୍ଲାପାଳ ପଚାରିବାରେ ଶାନ୍ତି କୋହ ସମ୍ଭାଳି ପାରି ନଥିଲେ। ଗାଁ’ରେ ଥିବା ତାଙ୍କ ଦୁଇ ଭାଇ ଓ ଭଣଜାଙ୍କ ନିକଟକୁ ଫେରିଯିବେ ବୋଲି କହିଥିଲେ। ଏକ ସ୍ବତନ୍ତ୍ର ଗାଡ଼ିରେ ତାଙ୍କୁ ଘରେ ପହଞ୍ଚାଇବା ବ୍ୟବସ୍ଥା କରାଯାଇଥିଲା। ଯିବା ପୂର୍ବରୁ ଜଳଖିଆ ମଗାଇ ଜିଲ୍ଲାପାଳ ନିଜ ହାତରେ ଖୁଆଇ ତାଙ୍କୁ ଗାଡ଼ିରେ ବସାଇବା ହୃଦୟସ୍ପର୍ଶୀ ହୋଇଥିଲା। ସାମ୍ବାଦିକ ସମ୍ମିଳନୀରେ ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା, ବୌଦ୍ଧ ତହସିଲଦାର ଦେବୀ ପ୍ରସାଦ ଦାଶ, ଡିଆଇପିଆରଓ ରୀତାକାନ୍ତି ବଳିଆରସିଂହ ଉପସ୍ଥିତ ଥିଲେ।