୪୫ ବର୍ଷ ପରେ ଅଭୟାରଣ୍ୟ ଆଇନରୁ ମୁକ୍ତି : ଭିତରକନିକାରୁ ୫୨ ଗାଁ ବାଦ୍‌

ସୀମା ନିର୍ଦ୍ଧାରଣରେ ତଥାପି ‌କେଁ, ଆନ୍ଦୋଳନ ମୁଣ୍ଡ ଟେକିବା ଆଶଙ୍କା

କେନ୍ଦ୍ରାପଡ଼ା/ରାଜନଗର : ବହୁ ବାଦବିବାଦ, ମାମଲା ଓ ଆନ୍ଦୋଳନ ପରେ ଶେଷରେ ଭିତରକନିକା ଅଭୟାରଣ୍ୟର ସୀମା ପୁନଃ ନିର୍ଦ୍ଧାରଣ ହୋଇଛି। ଅଭୟାରଣ୍ୟ ମାନ୍ୟତା ପାଇବାର ସାଢ଼େ ଚାରି ଦଶନ୍ଧି ପରେ ଭିତରକନିକାର ହୋଇଥିବା ଏହି ସୀମା ନିର୍ଦ୍ଧାରଣ ପ୍ରକ୍ରିୟାରେ ରାଜନଗର ବ୍ଲକ୍‌ର ୫୨ଟି ଗାଁକୁ ବାଦ୍ ଦିଆଯାଇଛି। ଅର୍ଥାତ୍‌ ଏ ସବୁ ଗାଁରେ ଆଉ ପୂର୍ବଭଳି ଅଭୟାରଣ୍ୟ ସଂପର୍କିତ କୌଣସି ଆଇନ ଲାଗୁ ‌ହେବ ନାହିଁ। ଲୋକମାନେ ଅଭୟାରଣ୍ୟ ଆଇନରୁ ମୁକ୍ତି ପାଇଛନ୍ତି। କିନ୍ତୁ ଏ ପ୍ରକିୟାରେ ଏମିତି କିଛି ଗାଁ ରହିଛି, ଯେଉଁଗୁଡ଼ିକୁ ବାଦ୍ ଦିଆଯାଇ ନ ଥିବାରୁ ପୂରା ପ୍ରକ୍ରିୟାକୁ ନେଇ ବିବାଦ ବଢ଼ିବା ଆଶଙ୍କା ରହିଛି। ଯଦି ହଂସୁଆ ନଦୀ ଅତଡ଼ା ଉପରେ କୋଇଲିପୁର ପଂଚାୟତର କୋଇଲିପୁର, ବଡ଼କୋଟ ଗାଁକୁ ଅଭୟାରଣ୍ୟ ଅଞ୍ଚଳରୁ ବାଦ୍ ଦିଆଯାଇପାରିଲା, ତେବେ ବେଲପାଳ, କେରେଡ଼ାଗଡ଼, ରାଜନଗର ଇତ୍ୟାଦି ଗାଁକୁ କାହିଁକି ନୁହେଁ ବୋଲି ପ୍ରଶ୍ନ ଉଠୁଛି। ଅଭୟାରଣ୍ୟ ଜଂଗଲଠାରୁ ଉପରୋକ୍ତ ଗାଁଗୁଡ଼ିକର ଦୂରତା ପାଖାପାଖି ୨୫ କିଲୋମିଟର୍‌ ହୋଇଥିବାବେଳେ କିଭଳି ଆଉ କେଉଁ ନିୟମ ଆଧାରରେ କେବଳ କୋଇଲପୁର ଓ ବଡ଼କୋଟକୁ ବାଦ୍ ଦିଆଯାଇ ଅନ୍ୟ ତିନିଟି ଗାଁକୁ ପୂର୍ବଭଳି ଆଇନ ପରିସରରେ ରଖାଗଲା, ତାହାକୁ ନେଇ ବି ପ୍ରଶ୍ନ ଉଠୁଛି।

Wisdom IAS – WordPress.com

୧୯୭୫, ଏପ୍ରିଲ ୨୨ରେ ଭିତରକନିକାର ୬୭୨ ବର୍ଗ କିମି ଅଂଚଳକୁ ରାଜ୍ୟ ସରକାର ଅଭୟାରଣ୍ୟ ବା ୱାଇଲ୍ଡ ଲାଇଫ ସାଂଚୁରି ଘୋଷଣା କରିଥିଲେ। ଉଭୟ ରାଜନଗର ଓ ରାଜକନିକା ତହସିଲ ଅଂଚଳର ଯେଉଁ ସବୁ ଗାଁ ଏହି ଅଭୟାରଣ୍ୟ ସୀମା ଭିତରେ ଆସିଲା, ସେଠାରେ ବିଭିନ୍ନ ଆଇନ ଲାଗୁ ହେଲା। କୌଣସି ପ୍ରକାର ନିର୍ମାଣ କାମଠୁ ଅନ୍ୟାନ୍ୟ କାମ କରିବାକୁ ହେଲେ ଲୋକମାନଙ୍କୁ ଅନୁମତି ନେବାକୁ ପଡ଼ିବାର ନିୟମ ରହିଲା। ଏଭଳି ସ୍ଥିତିରେ  ସେତେବେଳେ  ସୀମା  ନିର୍ଦ୍ଧାରଣ କରାନଯାଇ କନିକା ଶାସିତ ଅଂଚଳକୁ ଅଭୟାରଣ୍ୟ ଘୋଷଣା କରିଦିଆଯିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଫଳରେ ଅଭୟାରଣ୍ୟ ସୀମା ପୁନଃନିର୍ଦ୍ଧାରଣ ପାଇଁ ଆନ୍ଦୋଳନ ମୁଣ୍ଡ ଟେକିଲା। ମାମଲା ଅଦାଲତକୁ ଗଲା। ଇତିମଧ୍ୟରେ ଭିତରକନିକା ଅଭୟାରଣ୍ୟ ଓ ଏହା ଅଧିନରେ ଆସୁଥିବା ଗାଁଗୁଡ଼ିକର ରୂପରେଖ ଅନେକାଂଶରେ ବଦଳିଥିଲେ ମଧ୍ୟ କଠୋର ଆଇନ ପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଲା। ଶେଷରେ ଅଭୟାରଣ୍ୟ ମାନ୍ୟତା ପାଇବାର ୪୫ବର୍ଷ ପରେ ଏବେ ସୀମା ପୁନଃ ନିର୍ଦ୍ଧାରଣ କରାଯାଇ ରାଜନଗରର ୫୨ଟି ଗାଁକୁ ବାଦ୍ ଦିଆଯିବାକୁ ନିଷ୍ପତ୍ତି ହୋଇଛି।  କେନ୍ଦ୍ରାପଡା ଜିଲ୍ଲାପାଳ ଓ ରାଜନଗର ଡିଏଫଓଙ୍କ ପ୍ରସ୍ତାବ ଉପରେ ଜଙ୍ଗଲ ଓ ପରିବେଶ ବିଭାଗ ଗତ ଫେବ୍ରୁଆରି ୧ ତାରିଖରେ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ଜାରି କରିଛି। ଏଥିରେ ରାଜନଗର ବ୍ଲକ୍‌ ଅନ୍ତର୍ଗତ ୫ଟି ପଂଚାୟତର ୫୨ଟି ଗାଁକୁ ଭିତରକନିକା ଅଭୟାରଣ୍ୟ ଅଂଚଳରୁ ବାଦ ଦିଆଯାଇଛି। ଜାତୀୟ ବନ୍ୟପ୍ରାଣୀ ବିଭାଗକୁ ମଧ୍ୟ ଏହାର ମଂଜୁରି ପାଇଁ ପଠାଇ ଦିଆଯାଇଛି। ଗେଜେଟ ବିଜ୍ଞପ୍ତି ପ୍ରକାଶିତ ହେବା ପରେ ଏହା କାର୍ଯ୍ୟକାରୀ ହେବ ବୋଲି ବିନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଉଲ୍ଲେଖନୀୟ କଥା ହେଉଛି, ସୀମା ପୁନଃ ନିର୍ଦ୍ଧାରଣ ପରେ ବି ଅଭୟାରଣ୍ୟ ଅଂଚଳରେ ରାଜନଗର ବ୍ଲକର ୨୫ଟି ପଂଚାୟତର ୨୨୬ଟି ଗାଁ ଓ ରାଜକନିକା ତହସିଲର ୧୨ଟି ପଂଚାୟତର ୯୮ଟି ଗାଁ ରହିବ। ଏ ସବୁ ଗାଁଗୁଡିକରେ ଭିତରକନିକା ଅଭୟାରଣ୍ୟ ଆଇନ ସହିତ ଇକୋ ସେନ୍‌ସିଟିଭ ଜୋନ ଆଇନ କଡ଼ାକଡ଼ି ପାଳନ ହେବ। ଏଭଳି ସ୍ଥିତିରେ ପୂର୍ବଭଳି ଆଇନ ପରିସର ଭିତରେ ରହି ଯାଉଥିବା ଗ୍ରାମବାସୀଙ୍କ ପକ୍ଷରୁ ଏହାକୁ ନେଇ ବଡ଼ଧରଣର ଆନ୍ଦୋଳନ ମୁଣ୍ଡ ଟେକିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ଜଙ୍ଗଲର ଚିହ୍ନ ବର୍ଣ୍ଣ ନଥିବା ଏବଂ ଜଙ୍ଗଲ ଅଞ୍ଚଳ ଠାରୁ ୨୫/୩୦ କିଲୋମିଟର ଦୂରରେ ରହିଥିବା ଗାଁ ଗୁଡିକ ବି ସୀମାରୁ ବାଦ୍‌ ପଡି ନଥିବାରୁ ଏହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର