ସ୍ୱାଧୀନତା ସଂଗ୍ରାମୀ ଦୟାନିଧି ନାୟକଙ୍କ ପରଲୋକ

ସୋହେଲା/ବରଗଡ଼ : ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ସଂଗ୍ରାମୀପୀଠ ପାଣିମୋରା ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ଦୟାନିଧି ନାୟକଙ୍କର ୯୪ ବର୍ଷ ବୟସରେ ଶନିବାର ଭୋର୍‌ ପରଲୋକ ଘଟିଛି। ଏହାସହିତ ସଂଗ୍ରାମୀପୀଠର ପୁଣି ଏକ ସଂଗ୍ରାମର ସ୍ବର ସବୁଦିନ ପାଇଁ ନୀରବି ଯାଇଛି। ଭୋରରୁ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ବରଗଡ଼ ବିକାଶ ହସ୍ପିଟାଲକୁ ନେଇଥିଲେ। ତେବେ ସେଠାରେ ତାଙ୍କ ଜୀବନ ଦୀପ ଲିଭି ଯାଇଥିଲା। ପାଣିମୋରା ଗ୍ରାମର ୩୨ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ଏକମାତ୍ର ଜୀବିତ ସଂଗ୍ରାମୀ ଜିତେନ୍ଦ୍ରିୟ ପ୍ରଧାନ ତାଙ୍କ ସାଥୀ ତଥା ସ୍ବର୍ଗତ ନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଂଜଳି ଅପର୍ଣ କରିଥିଲେ। ବିଭିନ୍ନ ସ୍ଥାନରେ ସ୍ବର୍ଗତ ନାୟକଙ୍କୁ ଶୋକାକୁଳ ବିଦାୟ ଦିଆଯାଇଥିଲା। ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ରାମଧୁନ ଗାନକରି ଗ୍ରାମ ପରିକ୍ରମା କରିବା ପରେ ଛକରେ ଥିବା ସଂଗ୍ରାମୀ ସ୍ମୃତିପୀଠକୁ ଅଣାଯାଇଥିଲା। ସେଠାରେ ପାଣିମୋରା ହାଇସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରାଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ। ମରଶରୀରର ତାଙ୍କ ଖଳାକୁ ନେବା ପରେ ଅନ୍ତ୍ୟେଷ୍ଟିକ୍ରିୟା ସଂପନ୍ନ ହୋଇଥିଲା। ସେଠାରେ ପୁଲିସ୍‌ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରା ଯାଇଥିଲା। ନାତି କମ୍ବୁ ନାୟକ ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ ନାୟକ ତାଙ୍କ ପଛରେ ଝିଅ ସ୍ବରୂପା ନାୟକ ଏବଂ ନାତିଙ୍କୁ ଛାଡ଼ି ଯାଇଛନ୍ତି। ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ, ରାଜନେତା ଏବଂ ସ୍ବେଚ୍ଛାସେବୀ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର