ପରଲୋକରେ ଦୋଳଗୋବିନ୍ଦ

ଭୁବନେଶ୍ୱର : ଆରପାରିରେ ଜାତୀୟ ମୁକ୍ତି ସଂଗ୍ରାମର ଆଉ ଜଣେ ଯୋଦ୍ଧା। ଦେଶ ଓ ଜାତି ପାଇଁ ମାତ୍ର ୧୪ ବର୍ଷ ବୟସରେ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମର ସାରଥୀ ସାଜିଥିବା ଦୋଳଗୋବିନ୍ଦ ପ୍ରଧାନ ଆଉ ନାହାନ୍ତି। ଆଜି ଭୋର ୩ଟା ୫୧ ମିନିଟ୍‌ରେ ୟୁନିଟ୍‌-୮ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା।

କିଛିଦିନ ତଳେ ପରିସ୍ରା ସଂକ୍ରମଣ ଯୋଗୁଁ ସେ କଷ୍ଟ ଅନୁଭବ କରିବାରୁ ପୁଅ ତାଙ୍କୁ ସାଙ୍ଗରେ ମେଡିକାଲ୍‌ ଯିବାକୁ ଡାକିଥିଲେ। ସେ କିନ୍ତୁ ମନା କରିଦେଇଥିଲେ।

କହିଥିଲେ, ମୁଁ ମରିଯିବି ପଛେ ମେଡିକାଲ୍‌ ଯିବିନାହିଁ କି ଏଲୋପାଥିକ୍‌ ମେଡିସିନ୍‌ ଖାଇବିନାହିଁ।

ମୃତ୍ୟୁ ଖବର ପ୍ରଚାର ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ।

କଟକ ଜିଲ୍ଲା ବିରିବାଟିସ୍ଥିତ ଗତିରାଉତ ପାଟଣା ଡିହସାହିରେ ୧୯୨୬ ମସିହା ମେ ୨୯ ତାରିଖରେ ଜନ୍ମିତ ଦୋଳଗୋବିନ୍ଦ ଜାତୀୟ କବି ବୀରକିଶୋରଙ୍କ କବିତାରେ ଅନୁପ୍ରାଣିତ ହୋଇ ସ୍ୱାଧୀନତା ସଂଗ୍ରାମରେ ସାମିଲ୍‌ ହୋଇଥିଲେ। ତାଙ୍କୁ ଯେତେବେଳେ ୧୧ ବର୍ଷ ବୟସ, ମା ଜହ୍ନ ଦେବୀ ତାଙ୍କୁ କେବେ ଥରେ କହି ଦେଇଥିଲେ, ମହାତ୍ମା ଭଗବାନ। ମା’ଙ୍କର ସେଇ ପଦେ କଥା ତାଙ୍କ ଭିତରେ ବସା ବାନ୍ଧି ଯାଇଥିଲା। ବିରିବାଟି ମାଇନର ସ୍କୁଲ୍‌ରେ ୭ମ ଶ୍ରେଣୀରେ ପଢ଼ିବା ବେଳେ ଗାନ୍ଧିଜୀଙ୍କ ‘କର ବା ମର’ ଡାକରାରେ ଅନୁପ୍ରାଣିତ ହୋଇ ସ୍କୁଲ୍‌ ଫାଟକ ପାଖରେ ବହି ବସ୍ତାନି ଫିଙ୍ଗିଦେଇ ସତ୍ୟାଗ୍ରହୀଙ୍କ ସାଙ୍ଗରେ କଟକ ଚାଲି ଯାଇଥିଲେ। ପାଠସାଠ ଓ ଖେଳକୁଦ କରିବା ବୟସରେ ଘରେ କିଛି ନଜଣାଇ ସେ ଭାରତଛାଡ଼ ଆନ୍ଦୋଳନରେ ସାମିଲ୍‌ ହେଲେ। ବ୍ରିଟିସ୍‌ ସରକାର ବିରୋଧରେ ନାରା ଦେଇ ବ୍ରହ୍ମପୁର ଜେଲ୍‌ରେ ୩ବର୍ଷ ୨ ମାସ କାରାବରଣ କଲେ। କାରାଗାରରେ ଓଡ଼ିଆ, ବଙ୍ଗଳା, ହିନ୍ଦୀ ଓ ଉର୍ଦୁ ଭାଷାରେ ଶିକ୍ଷା ସହ ସହିଷ୍ଣୁତା ଶିକ୍ଷା କଲେ।

ଜୀବନକାଳ ମଧ୍ୟରେ ଯେଉଁଆଡ଼େ ବି ଯାଉଥିଲେ, ଖଦଡ଼ ଟୋପି ଓ ଖଦଡ଼ ପୋଷାକ ପିନ୍ଧୁଥିଲେ। ମହାତ୍ମା ଗାନ୍ଧୀଙ୍କ ସମ୍ପର୍କିତ ଏକ ୭୦୦ ପୃଷ୍ଠାର ପୁସ୍ତକ ‘ଗାନ୍ଧୀକଥା’ ଏବଂ ଶ୍ରୀମଦ ଭାଗବତ ଗୀତାର ଭାବାନୁବାଦ କରିଥିଲେ। ଏହା ବ୍ୟତୀତ ସେ ନିଜ ‘ଜୀବନୀ ପୁସ୍ତକ’ ରଚନା କରିଥିଲେ ହେଁ, ତାହା ପ୍ରକାଶିତ ହୋଇନଥିବାରୁ ଏହାକୁ ପ୍ରକାଶ କରିବାକୁ ସେ ମୃତ୍ୟୁ ପୂର୍ବରୁ ପୁତ୍ରମାନଙ୍କୁ କହିଥିଲେ। ରତ୍ନାକର ବିଦ୍ୟାମନ୍ଦିର ସମେତ କନ୍ଦରପୁର କଲେଜ୍‌ ପ୍ରତିଷ୍ଠା କରିବାରେ ସେ ଭାଗୀଦାରି ଥିଲେ। କଂଗ୍ରେସ ଦଳରେ ରହି ସେ ଓ୍ଵାର୍ଡମେମ୍ବରଠାରୁ ଆରମ୍ଭ କରି ସରପଞ୍ଚ, ପଞ୍ଚାୟତ ସମିତି ଚେୟାରମ୍ୟାନ୍‌, ବିଧାୟକ ଏବଂ ମନ୍ତ୍ରୀ ହୋଇପାରିଥିଲେ। ଦାରୁଠେଙ୍ଗରେ ଅନୁଷ୍ଠିତ ହୋଇଥିବା ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ପ୍ରତିମୂର୍ତି ଉନ୍ମୋଚନ ଏବଂ ପାଇକ ବିଦ୍ରୋହ ସହିଦ ସ୍ମାରକୀର ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶେଷଥର ପାଇଁ ଯୋଗ ଦେଇଥିଲେ।

ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ, ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ପିସିସି ସଭାପତି ନିରଂଜନ ପଟ୍ଟନାୟକ, ମୁଖ୍ୟ ସଚେତକ ଅମର ଶତପଥୀ, ସାଂସଦ ସୌମ୍ୟରଂଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର, କାହ୍ନଚରଣ ଲେଙ୍କା, ପଞ୍ଚାନନ କାନୁନ୍‌ଗୋ, ଶିବାଜୀ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ରାଜନେତା ଓ ପ୍ରଶାସକ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପତ୍ନୀ ମନୋରମା ପ୍ରଧାନଙ୍କ ସମେତ, ଦେବରାଜ ପ୍ରଧାନ, ପୁଷ୍ପରାଜ ପ୍ରଧାନ, ପୃଥ୍ଵୀରାଜ ପ୍ରଧାନ, ପ୍ରଜ୍ଞରାଜ ପ୍ରଧାନ, ଝିଅ ସତ୍ୟଭାମା ଓ ହଇମବତୀ, ବୋହୂ ଓ ନାତି ନାତୁଣୀ ଉପସ୍ଥିତ ଥିଲେ।

ସ୍ୱର୍ଗତ ପ୍ରଧାନଙ୍କ ମର ଶରୀରକୁ ବିଧାନସଭା ପରିସରକୁ ଅଣାଯାଇଥିଲା। ସେଠାରେ ବାଚସ୍ପତି ପ୍ରଦୀପ ଅମାତ, ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ପ୍ରମୁଖ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହା ପରେ ମର ଶରୀରକୁ କଂଗ୍ରେସ ଭବନ, ସ୍ୱରାଜ ଆଶ୍ରମ ସମେତ ବିଭିନ୍ନ ସ୍ଥାନକୁ ଶୋଭାଯାତ୍ରାରେ ନିଆଯିବା ପରେ ଗତିରାଉତ ପାଟଣା ଡିହସାହିସ୍ଥିତ ବାସଭବନକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯିବା ପରେ ଶେଷ ଇଚ୍ଛା ମୁତାବକ ନିଜ ମା’ଙ୍କ ସମାଧି ନିକଟରେ ତାଙ୍କର ସମାଧି ଦିଆଯାଇଥିଲା।

ସମ୍ବନ୍ଧିତ ଖବର