ରାଇରଙ୍ଗପୁର(ତୁଷାର କାନ୍ତ ମହାନ୍ତ): ଇଂରେଜ କବଳରୁ ଦେଶକୁ ଉଦ୍ଧାର କରି ସ୍ୱାଧୀନତା ଆଣି ଦେଇଥିବା ମହାପୁରୁଷମାନଙ୍କୁ ଦେଶ ଝୁରୁଛି । ସୂର୍ଯ୍ୟ-ଚନ୍ଦ୍ର-ତାରା ଥିବା ଯାଏ ତାଙ୍କ ବୀରତ୍ୱ ଗାଥା ଇତିହାର ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ । ସଂଗ୍ରାମୀ ପରିବାରକୁ ଦେଶ ସବୁ ବେଳେ ସେଲ୍ୟୁଟ କରି ଆସିଛି । ଚଳିତ ବର୍ଷ ଦେଶ ୭୬ତମ ସ୍ୱାଧୀନତା ଦିବସ ପାଳିଛି। ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଇଁ ଚାରିଆଡେ ବେଶ ଉଲ୍ଲାସ । ଦେଶର ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ବି ପ୍ରତିଟି ଭାରତୀୟ ବେଶ ଉତ୍ସୁକତାର ସହିତ ପାଳନ କରୁଛନ୍ତି। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ସହରର ଜଣେ ଆଗ ଧାଡିର ସ୍ୱାଧୀନତା ସଂଗ୍ରାମୀର ପରିବାର ପରିଚୟ ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପାଖରେ ବିନତି କରି ବି ବିଫଳ ହେବା ଭଳି ଅଭାବନୀୟ ଦୃଶ୍ୟ ଦେଖା ଯାଇଛି ।
ସୂଚନାଯୋଗ୍ୟ ଯେ ରାଇରଙ୍ଗପୁର ସହର ଓାର୍ଡ ନଂ ୯ରେ ଏହି ସଂଗ୍ରାମୀଙ୍କ ଘର । ସଂଗ୍ରାମୀ ପ୍ରଭୁଦୟାଲ ଚୌବେଙ୍କ ଜନ୍ମ ମାଟି ଥିଲା ତତ୍କାଳୀନ ବିହାର ତଥା ବର୍ତମାନର ଝାଡଖଣ୍ଡସ୍ଥ ଚାଇଁବସା । ସେ ସେଠାରେ ୧.୧.୧୯୧୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ପିଲାଟି ଦିନରୁ ସେ ଥିଲେ ସ୍ୱାଧୀନ ଚେତା । ଇଂରେଜ ବିରୁଦ୍ଧରେ ଲଢେଇ କରିବା ପାଇଁ ସାଙ୍ଗ ସାଥି ମେଳରେ ବହୁ ଯୋଜନା କରି ତାହା କାର୍ଯ୍ୟ କାରି ବି କରୁଥିଲେ । ସେଠାରେ ସେ ସୂତା ଓ ଲୁଗା ଦୋକାନ କରି ୭ଭାଇ, ୬ଭଉଣୀ ବିଶିଷ୍ଟ ଏତେ ବଡ ପରିବାରର ଗୁଜୁରାଣ ମେଂଟାଉଥିଲେ । ତରୁଣ ବୟସରୁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ସାଙ୍ଗ ସାଥିକୁ ମେଳ କରି ଇଁରେଜ ମାନଙ୍କୁ ଅସହଯୋଗ କରୁଥିଲେ ।
୧୯୪୨ ମସିହା ଭାରତ ଛାଡ ଆନ୍ଦୋଳନ ସମୟରେ ସେ ସକ୍ରିୟ ଭାବେ ନିଜର କିଛି ଅନୁଗତଙ୍କ ସହ ରେଳ ଲାଇନ ତାଡିବା, ଟେଲିଗ୍ରାଫ ଟେଲିଫୋନ ତାର ଛିଡେଇବା, ସରକାରୀ କାର୍ଯ୍ୟାଳୟର ବିଜୁଳି ସଂଯୋଗ କାଟିବା ଭଳି ଇଂରେଜ ବିରୁଦ୍ଧରେ ସଂଗ୍ରାମ କରୁଥିଲେ । ୧୯.୯.୧୯୪୨ ଓ ୨୧.୯.୧୯୪୨ର ମଧ୍ୟ ରାତ୍ରରେ ୧୫-୨୦ଜଣ ଲୋକକୁ ନେଇ ଗୁପ୍ତ ବୈଠକ କରୁଥିବା ବେଳେ ଇଂରେଜ ହାବୁଡରେ ପଡି ଯାଇଥିଲେ । ତାଙ୍କ ସମେତ ୬ଜଣ ସହଯୋଗୀଙ୍କୁ ଗିରଫ ପରେ ୧୮ମାସ ଜେଲ ଦଣ୍ଡାଦେଶ ହୋଇଥିଲା । ହଜାରିବାଗ ଜେଲରେ ୯ମାସ କାରାବରଣ ପରେ ସେମାନଙ୍କୁ ଛାଡି ଦିଆ ଯାଇଥିଲା । କିନ୍ତୁ ଇଂରେଜ ମାନଙ୍କ କଡା ନଜରରେ ସେମାନେ ରହୁଥିଲେ । ଇଂରେଜ ମାନେ ପ୍ରତି ସପ୍ତାହରେ ତାଙ୍କୁ ଗରିଫ କରି ନେଉ ଯାଉଥିଲେ । ଅକଥନୀୟ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ । କ୍ରମଶଃ ନିଜ ବ୍ୟବସାୟ ଦୁର୍ବଳ ହେବାକୁ ଲାଗିଲା । ଇଂରେଜ ଟାର୍ଗେଟରେ ଥିବା ଶ୍ରୀଯୁକ୍ତ ଚୌବେ ନିଜ ପରିବାର ସହ ପଡିଶା ଓଡିଶାର ରାଇରଙ୍ଗପୁର ଚାଲି ଆସିଥିଲେ ।
ସିଂହଭୂମ ଜିଲ୍ଲା କଂଗ୍ରେସ କମିଟି ତରଫରୁ ୧୧ଅଗଷ୍ଟ ୧୯୭୨ରେ ତାଙ୍କୁ ସ୍ୱାଧୀନତା ସଂଗ୍ରାମୀ ଭାବେ ସମ୍ମାନ ପତ୍ର ଦିଆ ଯାଇଥିଲା । ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରାଗାନ୍ଧୀ ‘ସ୍ୱତନ୍ତ୍ର ସଂଗ୍ରାମୀ’ମାନପତ୍ର ଦେଇଥିଲେ । ୨୬.୧.୧୯୮୩ରେ ବାରିପଦା ପେରେଡ ପଡିଆରେ ତାମ୍ର ଫଳକ ମିଳିଥିଲା । ସେହି ସମୟରେ ତାଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱାକ୍ଷର ସମ୍ବଳିତ ମାନପତ୍ର ମଧ୍ୟ ପ୍ରଦାନ କରା ଯାଇଥିଲା । ସେ ୧୯୭୪ରୁ ପେନସନ ପାଇବା ପାଇଁ ଉଦ୍ୟମ କରିଥିଲେ । ୨୦ମଇ୧୯୮୧ରେ ଗୃହ ମନ୍ତ୍ରାଳୟ ପେନସନ ନେଇ ଆଦେଶନାମା ଜାରି କରିଥିଲେ । ତାହା ମଧ୍ୟ ୧.୮.୧୯୮୦ରୁ ପାଇବା ପାଇଁ ନିର୍ଦ୍ଦେଶନାମା ମିଳିବା ପରେ ମଧ୍ୟ ପେନସନ ମଞ୍ଜୁର ହେଲା ବେଳକୁ ୬ଡିସେମ୍ବର ୧୯୮୯ ହୋଇ ଯାଇଥିଲା । ୨୯.୧.୧୯୯୮ରେ ତାଙ୍କର ମହାପ୍ରୟାଣ ଘଟିଲା । ସେବେ ପାଖରୁ ପେନସନ ବନ୍ଦ ହୋଇ ରହି ଯାଇଛି । ତାଙ୍କର ରେଳରେ ଶୀତ ତାପ ନିୟନ୍ତ୍ରିକ ବଗିରେ ପ୍ରଥମ ଶ୍ରେଣୀର ଟିକେଟ ପାସ ବ୍ୟବସ୍ଥା ଥିଲା ।
୨୦୧୭ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରରେ ରାଜ୍ୟର ସମୂହ ସଂଗ୍ରାମୀ ପରିବାରର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସଂଗ୍ରାମୀଙ୍କ ଉଦେଶ୍ୟରେ ଏକ ସଂଗ୍ରହାଳୟ ନିର୍ମାଣ ସହ ସ୍ମୃତି ସେଠାରେ ରଖାଯିବାର ପ୍ରସ୍ତାବ ରହିଥିଲା । ତେବେ ସେହି କାର୍ଯ୍ୟକ୍ରମକୁ ସରକାର ଏହି ପରିବାରକୁ ଭୂଲି ଯାଇଥିଲେ । ଅଦ୍ୟାବଧି ୫ବର୍ଷର ସଂଘର୍ଷ ପରେ ବି ଏହି ସଂଗ୍ରାମୀ ପରିବାରକୁ ପ୍ରଶାସନ ନା ଦେଉଛି ପେନସନ, ନା ସରକାରୀ ଜମି ନା ଆଉ କୌଣସି ସୁବିଧା ସୁଯୋଗ । ଏମିତି କି ଚୌବେଙ୍କ ପରିଚୟ ପାଇଁ ବର୍ତମାନ ତାଙ୍କ ପରିବାର ନଥପତ୍ର ସହ ୧୨ଦାଣ୍ଡ ୧୩ପିଣ୍ଡା ହେଉଥିଲେ ବି ନା କେନ୍ଦ୍ର ନା ରାଜ୍ୟ କୌଣସି ସରକାର ପରିଚୟ ଟିକେ ପାଇଁ କୁଣ୍ଠାବଦ୍ଧ କରୁଥିବାରୁ ପରିବାର ସମେତ ସ୍ଥାନୀୟ ଅଂଚଳରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ନବ ନିର୍ବାଚିତ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହରର ସ୍ୱାଧୀନତା ସଂଗ୍ରାମୀ ପ୍ରତି ଘୋର ଅନ୍ୟାୟକୁ ସରକାର କେବେ ନ୍ୟାୟ ପୂର୍ବକ ସମ୍ମାନ ପ୍ରଦାନ କରୁଛନ୍ତି ସମୟ ହିଁ କହିବ । ତେବେ ବାସ୍ତବରେ ଯେଉଁ ମହାନ ବରପୁତ୍ର ମାନଙ୍କ ଅକୁଣ୍ଠିତ ସଂଗ୍ରାମ ବଳରେ ଦେଶ ଆଜି ଗୌରବାନ୍ୱିତ ହୋଇଛି ତାଙ୍କୁ ତଥା ତାଙ୍କର ପରିବାର ବର୍ଗଙ୍କ ନିକଟରେ ଦେଶ ତଥା ଜାତି ଚିର ନତ ମସ୍ତକ । ତେବେ ସଂଗ୍ରାମୀ ପ୍ରଭୁଦୟାଲ ଚୌବେଙ୍କ କେବେ ପ୍ରତିମୂର୍ତି ସ୍ଥାପନ ସହ ସ୍ମୃତି ଚାରଣ ହେଉଛି ତାହା ଦେଖିବାକୁ ବାକି ରହିଲା ।