ସ୍ୱାଧୀନତା ସଂଗ୍ରାମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଚଳିତ ବର୍ଷ ଅଗଷ୍ଟ ୯ ତାରିଖରେ ଭାରତଛାଡ଼ ଆନ୍ଦୋଳନର ପୂର୍ତ୍ତି ଅବସରରେ ରାଷ୍ଟ୍ରପତିଙ୍କ ଆଟ୍‌ ହୋମ୍‌ ଉତ୍ସବରେ ଯୋଗ ଦେଉଥିବା ଓଡ଼ିଶାର ୨ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସଚିବାଳୟଠାରେ ସମ୍ବର୍ଦ୍ଧିତ କରିଛନ୍ତି। ଏହି ସ୍ୱାଧୀନତା ସଂଗ୍ରାମୀ ହେଲେ ନୟାଗଡ଼ ଜିଲ୍ଲାର ସହଦେବ ବେହେରା ଏବଂ ଯାଜପୁର ଜିଲ୍ଲାର ନୀଳମଣି ସାମଲ ଏହି ସଂଗ୍ରାମୀ ଦ୍ୱୟଙ୍କୁ ମୁଖ୍ୟମନ୍ତ୍ରୀ ଶାଲ୍‌ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ଅର୍ଥ ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ଥିଲେ। ଆସନ୍ତାକାଲି ସେମାନେ ବିମାନ ଯୋଗେ ନୂଆଦିଲ୍ଲୀ ଯିବେ। ସେମାନଙ୍କ ସହାୟତା ପାଇଁ ଦୁଇ ଜଣ ସରକାରୀ ଅଧିକାରୀ ମଧ୍ୟ ଦିଲ୍ଲୀ ଯିବେ।

ସୂଚନାଯୋଗ୍ୟ ଯେ, ୯୬ ବର୍ଷ ବୟସ୍କ ସଂଗ୍ରାମ ସହଦେବ ବେହେରା ନୟାଗଡ଼ର କଣ୍ଟିଲୋ ଠାରେ ୧୯୨୩ ମସିହାରେ ଜନ୍ମଗ୍ରହଣ କରିଥିଲେ। ୧୯୩୮ ମସିହାରେ ବେହେରା ଦେଶୀୟ ରାଜାମାନଙ୍କ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଜନସାଧାରଣଙ୍କ ନେତୃତ୍ୱ ନେଇଥିଲେ। ଦେଶୀୟ ରାଜାମାନଙ୍କ ସମର୍ଥନରେ ବ୍ରିଟିଶ ସରକାର ବେହେରାଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ସେ ବ୍ରିଟିଶ ସରକାରଙ୍କ ଆଖିରେ ଧୂଳି ଦେଇ ୧ ବର୍ଷ ୨ ମାସ ପାଇଁ ଛଦ୍ମବେଶରେ ରହିଥିଲେ।

୯୦ ବର୍ଷ ବୟସ୍କ ନୀଳମଣି ସାମଲ ଯାଜପୁର ଜିଲ୍ଲାର ବାଲିପଡ଼ିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ୧୯୪୨ ସେ ଭାରତଛାଡ଼ ଆନ୍ଦୋଳନରେ ଯୋଗ ଦେଇଥିଲେ। ବଡ଼ଚଣା ପୁଲିସ ଷ୍ଟେସନ ଉପରେ ଆକ୍ରମଣ ଘଟଣାରେ ମଧ୍ୟ ସେ ସଂପୃକ୍ତ ଥିଲେ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୃନ୍ଦାବନ ତ୍ରିପାଠୀଙ୍କର ସେ ଥିଲେ ଘନିଷ୍ଠ ସହଯୋଗୀ।

ସମ୍ବନ୍ଧିତ ଖବର