ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଗୌରଚନ୍ଦ୍ର ମହାପାତ୍ରଙ୍କ ପରଲୋକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣାଇଲେ ଶୋକ

ଭୁବନେଶ୍ୱର/ଭଦ୍ରକ: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଗୌରଚନ୍ଦ୍ର ମହାପାତ୍ରଙ୍କ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ହୋଇ ଯାଇଛି। ସେ ୧୦୪ ବର୍ଷ ବୟସରେ ଆଜି ସନ୍ଧ୍ୟା ୫ଟା ୪୦ରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସ୍ୱାଧୀନତା ସଂଗ୍ରାମୀ ଗୌରଚନ୍ଦ୍ର ପ୍ରାୟ ଏକ ସପ୍ତାହ ହେବ ଅସୁସ୍ଥ ଥିଲେ। ସେଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ବ୍ରହ୍ମପୁର ଜେଲରେ ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦିଆଯାଇଥିଲା। ଘଟଣା ଦିନ ସ୍ୱାଧୀତନା ସଂଗ୍ରାମୀ ଗୌରଚନ୍ଦ୍ର ମହାପାତ୍ର ରାତି ସାରା ବହୁତ କାନ୍ଦିଥିଲେ। ସେ ଦିନ ସେ ଉପବାସରେ ରହିଥିଲେ।

ସୂଚନାଯୋଗ୍ୟ ସ୍ୱର୍ଗତ ସ୍ୱାଧୀନତା ସଂଗ୍ରାମୀ ଗୌରଚନ୍ଦ୍ର ମହାପାତ୍ର ହେଉଛନ୍ତି ଓଡ଼ିଶାର ବିଶିଷ୍ଟ କବି ‘କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର’ଙ୍କ ସୁଯୋଗ୍ୟ ସନ୍ତାନ। ସ୍ୱାଧୀନତା ସଂଗ୍ରାମ ସମୟରେ ବ୍ରହ୍ମପୁର ଜେଲରେ କଏଦୀ ଭାବରେ ଦିନ କାଟୁଥିବା ସର୍ବ କନିଷ୍ଠ କଏଦୀ। ଗୌରଚନ୍ଦ୍ର ୧୯୪୨ରେ ବ୍ରହ୍ମପୁର ଜେଲରେ କଏଦୀ ଭାବରେ ଦିନ କାଟିଥିଲେ। ତାଙ୍କର ସନ୍ତାନ ହେଉଛନ୍ତି ବରିଷ୍ଠ ସାମ୍ବାଦିକ ଗୁରୁ କଲ୍ୟାଣ ମହାପାତ୍ର ଓ ପ୍ରଭୁ କଲ୍ୟାଣ ମହାପାତ୍ର। ଗୌରଚନ୍ଦ୍ର ସ୍ତ୍ରୀ ମୀରା ଦେବୀ, ୯ ଜଣ ପୁତ୍ର ଓ ୪ ଜଣ ଝିଅଙ୍କୁ ଛାଡ଼ି ଆର ପାରିକୁ ଚାଲି ଯାଇଛନ୍ତି।

ସ୍ୱାଧୀନତା ସଂଗ୍ରାମୀ ଗୌରଚନ୍ଦ୍ରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକ ଶୋକବ୍ୟକ୍ତ କରିଛନ୍ତି। ନବୀନ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଗାନ୍ଧିବାଦୀ ଗୌରଚନ୍ଦ୍ର ତାଙ୍କ ଜୀବନକୁ ସମାଜ ପାଇଁ ଉତ୍ସର୍ଗ କରିଛନ୍ତି। ତାଙ୍କ ପରଲୋକ ପରେ ଆମେ ସ୍ୱାଧୀନତା ଆନ୍ଦୋଳନର ଶେଷ ସ୍ତମ୍ଭକୁ ହରାଇଛୁ। ଶୋକସନ୍ତପ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର