ସମ୍ବଲପୁର : ବୁଧବାର ବୁର୍ଲା ବଡ଼ ଡାକ୍ତରଖାନାରୁ ଫେରାଇ ନିଆ ଯାଇଥିବା ବୟୋବୃଦ୍ଧ ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ରୀୟ ପ୍ରଧାନ (୧୦୨)ଙ୍କ ଆର୍ଟିପିସିଆର୍ ରିପୋର୍ଟ ପଜିଟିଭ୍ ଆସିଥିବା ଜଣା ପଡ଼ିଛି।
ବୁଧବାର ବୁର୍ଲାରେ ତାଙ୍କ ଆଣ୍ଟିଜେନ୍ ରିପୋର୍ଟ ନେଗେଟିଭ୍ ଆସିବା ପରେ ଆର୍ଟିପିସିଆର୍ ପାଇଁ ନମୁନା ସଂଗ୍ରହ କରାଯାଇଥିଲା। ଆର୍ଟିପିସିଆର୍ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅବ୍ଜର୍ଭେସନ୍ରେ ରଖାଯିବ କହି ଆଇସୋଲେସନ୍ ୱାର୍ଡକୁ ନିଆ ଯାଇଥିଲା। ଏଥିରେ ବିରକ୍ତି ପ୍ରକାଶ କରି ତାଙ୍କ ସହ ଆସିଥିବା ଲୋକେ ଶ୍ରୀ ପ୍ରଧାନଙ୍କୁ ରାତାରାତି ତାଙ୍କ ଗାଁ ବରଗଡ଼ ଜିଲ୍ଲାର ପାଣିମୋରାକୁ ଫେରାଇ ନେଇଥିଲେ। ତେବେ ଗୁରୁବାର ତାଙ୍କ ଆର୍ଟିପିସିଆର୍ ରିପୋର୍ଟ ପଜିଟିଭ୍ ଆସିଥିବା ଭିମସାର୍ ଅଧୀକ୍ଷକ ପ୍ର. ଲାଲ୍ ମୋହନ୍ ନାୟକ ସୂଚନା ଦେଇଛନ୍ତି। ସେହି ଅନୁଯାୟୀ ତାଙ୍କ ଦେଖାରେଖା ଓ ଚିକିତ୍ସା କରିବାକୁ ଡା. ନାୟକ ପରାମର୍ଶ ଦେଇଛନ୍ତି।