ସୋହେଲା : ସ୍ୱାଧୀନତା ସଂଗ୍ରାମୀମାନଙ୍କ ଗାଁ ଭାବେ ଖାତି ଅର୍ଜନ କରିଥିବା ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ପାଣିମୋରା ଗ୍ରାମର ଶେଷ ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ରୀୟ ପ୍ରଧାନ(୧୦୨)ଙ୍କ ଶୁକ୍ରବାର ଅପରାହ୍ନରେ ପରଲୋକ ଘଟିଛି। ସେ କିଛିଦିନ ହେଲା ଅସୁସ୍ଥ ଥିଲେ। ଅସୁସ୍ଥତା କାରଣରୁ ତାଙ୍କୁ ବୁର୍ଲା ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ତାଙ୍କୁ ଘରକୁ ଫେରାଇ ଅଣାଯାଇଥିଲା। ପରେ ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରି ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ଘରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଜୀବନ ଦୀପ ଲିଭି ଯାଇଥିଲା।
ପାଣିମୋରା ଗ୍ରାମର ୩୨ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ଶେଷ ସଂଗ୍ରାମୀ ଜିତେନ୍ଦ୍ରୀୟ ପ୍ରଧାନଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। କୋଭିଡ୍ କଟକଣା ମଧ୍ୟରେ ଅଳ୍ପସଂଖ୍ୟକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ତାଙ୍କ ଅନ୍ତ୍ୟେଷ୍ଟିକ୍ରିୟା ସଂପନ୍ନ ହୋଇଛି। ପୁଲିସ୍ ପକ୍ଷରୁ ଗାର୍ଡ ଅଫ ଅନର୍ ପ୍ରଦାନ କରାଯାଇଥିଲା। ନାତି ଦେବରାଜ ପ୍ରଧାନ ମୁଖାଗ୍ନି ଦେଇଥିଲେ। ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସମେତ ବରିଷ୍ଠ ପ୍ରଶାସନିକ ଓ ପୁଲିସ୍ ଅଧିକାରୀ, ରାଜନେତା ଏବଂ ସ୍ବେଚ୍ଛାସେବୀ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଇଥିଲେ।
୧୯୪୨ ମସିହାରେ ମହାତ୍ମା ଗାନ୍ଧୀଙ୍କ ଆହ୍ୱାନ କ୍ରମେ ପାଣିମୋରା ଗ୍ରାମରୁ ୪୨ ଜଣ ଯୁବକ ସ୍ୱାଧୀନତା ସଂଗ୍ରାମରେ ଯୋଗଦେବାକୁ ଚାଲିଚାଲି ବରଗଡ଼କୁ ଯାଇଥିଲେ। ସେଠାରେ ବାଲିଯୁରୀ ହାଟପଦାଠାରେ ଇଂରେଜ ସରକାର ସିଲ୍ କରିଥିବା କଂଗ୍ରେସ ଅଫିସର ତାଲା ଭାଙ୍ଗିବା ସହିତ ଏସ୍ଡିଓଙ୍କ ଚୌକି ଦଖଲ କରିବା ଅଭିଯୋଗରେ ୪୨ ଜଣଙ୍କୁ ପୁଲିସ ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ବୟସ କମ୍ ହୋଇଥିବାରୁ ପୁଲିସ ସେମାନଙ୍କୁ ଛାଡ଼ି ଦେଇ ବାକି ୩୨ ଜଣଙ୍କୁ ଗିରଫ କରିଥିଲେ। ଏଥିରେ ଜିତେନ୍ଦ୍ରୀୟ ପ୍ରଧାନ ବି ସାମିଲ ଥିଲେ। ସ୍ୱାଧୀନତା ସଂଗ୍ରାମରେ ଗୋଟିଏ ଗ୍ରାମରୁ ଏକକାଳୀନ ୩୨ ଜଣ ଯୁବକ ସାମିଲ ହେବା ଘଟଣା ସେହି ସମୟରେ ଚର୍ଚ୍ଚାର ବିଷୟ ହୋଇଥିଲା।
ସ୍ବାଧୀନତା ଆନ୍ଦୋଳନର ଅନ୍ୟତମ ଯଶସ୍ବୀ ସଂଗ୍ରାମୀ ଜିତେନ୍ଦ୍ରୀୟ ପ୍ରଧାନଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।