ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂଗ୍ରାମୀ ମହମ୍ମଦ ବାଜୀଙ୍କ ଅନ୍ତିମ ଯାତ୍ରା

‘ଅମର ର‌େହ’ ସହ ଅଶ୍ରୁଳ ବିଦାୟ, ସକାଳୁ ଦୋକାନ ବଜାର ବନ୍ଦ

ନବରଙ୍ଗପୁର : ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଅନ୍ତିମ ବିଦାୟ ନେଲେ ସ୍ବାଧୀନତା ସଂଗ୍ରାମୀ ଶତାୟୁ ମହମ୍ମଦ ବାଜୀ। ଆଜିର ଶେଷ ଯାତ୍ରା ବେଳେ ସମଗ୍ର ସହର ଶୋକାକୁଳ ହୋଇପଡିଥିଲା। ‘ ମହମ୍ମଦ ବାଜୀ ଅମର ରହେ’ ସ୍ଲୋଗାନ ସହ ଛଳଛଳ ଆଖିରେ ବିଦାୟ ଜଣାଇଥିଲେ ସହରବାସୀ। ନବରଂଗପୁର ଜିଲ୍ଲାବାସୀ ସେମାନଙ୍କ ପ୍ରିୟ ତଥା ମହାନ ବ୍ୟକ୍ତିଙ୍କୁ ହରାଇ ଯେଭଳି ଭାଂଗି ପଡିଥିଲେ। କିଏ ସ୍ବାଧୀନତା ସଂଗ୍ରାମର ଚହ୍ନ ହଜିଗଲା ବୋଲି କହୁଥିଲା ତ ପୁଣି କିଏ ମହମ୍ମଦ ବାଜି ଏହି ମାଟି ପାଇଁ ଆଣିଥିଲେ ଗୌରବ ବୋଲି କହୁଥିଲେ।

ଆଜି ପୂର୍ବାହ୍ନ ୯ଟାରେ ସ୍ବାଧୀନତା ସଂଗ୍ରାମୀ ମହମ୍ମଦ ବାଜୀଙ୍କ ମର ଶରୀରକୁ ସୁନାରୀ ସାହିସ୍ଥିତ ବାସଭବନ ନିକଟରେ ସର୍ବଧର୍ମ ପ୍ରାର୍ଥନା କରାଯିବା ପରେ ଏକ ‌ଶୋଭାଯାତ୍ରାରେ ବାହାରିଥିଲା। ଶୋଭାଯାତ୍ରାଟି ସୁନାରୀ ସାହି, ସଂଜୟ ମାର୍କେଟ, ଅଖଣ୍ଡଳମଣୀ ମନ୍ଦିର ଛକ, ପଠାଣ ସାହି, ମସଜିଦ, ହାଇସ୍କୁଲ ରୋଡ , ଡଃ.ଆମ୍ବେଦକର ଛକ, ଗୋପବନ୍ଧୁ ଛକ, ମହାତ୍ମାଗାନ୍ଧୀ ଛକ, କଂଗ୍ରେସ କାର୍ଯ୍ୟାଳୟ, ମଙ୍ଗରାଜ ସାହି ଓ ଗୋରାମୁଣ୍ଡା ଦେଇ ମୁସଲମାନ କବରସ୍ଥାନରେ ପହଞ୍ଚିଥିଲା।

ପୂର୍ବାହ୍ନ୧୦ ଟାରେ କବରସ୍ଥାନରେ ଶେଷ ନମାଜ(ଜନାଜା କେ ନମାଜ) ପାଠ କରାଯାଇଥିଲା। ନମାଜ ପଠନ ସମୟରେ ନବରଙ୍ଗପୁର ମସଜିଦର ମୌଲାନା ତଥା ଧର୍ମଗୁରୁଙ୍କ ସମତେ ଉପସ୍ଥିତ ସମସ୍ତ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ଯୋଗଦେଇଥିଲେ। ନମାଜ ପାଠ ପରେ ଶୋକସଭା ଅନୁଷ୍ଠିତ ହୋଇଥିଲା। ସହରର ଥିଓଡର ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ନବରଙ୍ଗପୁର ଜିଲ୍ଲା ପୁଲିସ ବାହିନୀ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ପୂର୍ବାହ୍ନ ୧୧ଟାରେ ମୁସଲମାନ ସଂପ୍ରଦାୟର ରୀତିନୀତି ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କବରସ୍ଥାନ ନିକଟରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ଜିଲ୍ଳାପାଳ ଡଃ.ଅଜିତ କୁମାର ମିଶ୍ର, ଏସ୍‌ପି ନିତନ କୁଶଲକରଙ୍କ ଉପସ୍ଥିତିରେ ଶୋଭାଯାତ୍ରା ଓ ଶେଷକୃତ୍ୟ କାର୍ଯ୍ୟ ସମ୍ପନ୍ନ ହୋଇଥିଲା

ସମ୍ବନ୍ଧିତ ଖବର