ସ୍ବାଧୀନତା ସଂଗ୍ରାମୀ ମହମ୍ମଦ ବାଜୀଙ୍କ ପରଲୋକ

ନବରଙ୍ଗପୁର : ସ୍ବାଧୀନତା ସଂଗ୍ରାମୀ ତଥା ସର୍ବୋଦୟ ନେତା ଶତାୟୁ ମହମ୍ମଦ ବାଜୀଙ୍କ ଆଜି ସକାଳେ ନବରଙ୍ଗପୁର ସ୍ଥିତ ବାସଭବନରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ହେଲା ପୀଡ଼ିତ ଥିଲେ। ପରଲୋକ ଖବର ପ୍ରଚାର ହେବାପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ଆସନ୍ତାକାଲି ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ ବୋଲି ସୂଚନା ମିଳିଛି।

୧୯୧୭ ଜାନୁଆରି ୨୦ ତାରିଖ ଦିନ ନବରଙ୍ଗରପୁର ଠାରେ ଜନ୍ମଗ୍ରହଣ କରିଥିଲେ ମହମ୍ମଦ ବାଜୀ। ସ୍ବାଧୀନତା ଆନ୍ଦୋଳନରେ ଝାସ ଦେଇ ବହୁ ଦିନ ଧରି କାରାଗାରରେ ବନ୍ଦୀ ଜୀବନ ବିତାଇଥିଲେ। ବିଭିନ୍ନ ସମୟରେ ଗାନ୍ଧୀ, ବିନୋବା, ଜୟପ୍ରକାଶ ନାରାୟଣ, ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ନବକୃଷ୍ଣ ଚୌଧୁରୀ, ସୁମିତ୍ରା ଦେବୀ, ବିଶ୍ବନାଥ ପଟ୍ଟନାୟକ, ଅଲେଖ ପାତ୍ର, ଜୟକୃଷ୍ଣ ମହାନ୍ତି, ଲକ୍ଷ୍ମଣ ନାୟକଙ୍କ ସଂସ୍ପର୍ଶରେ ଆସିଥିଲେ। ଜମିଦାରୀ ଆନ୍ଦୋଳନରେ ସାମିଲ ହେବାରୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ ସହିତ କଟକ ଜେଲରେ କିଛି ସମୟ ବିତାଇଥିଲେ। ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନରେ ବି ଯୋଗ ଦେଇଥିଲେ। ମାନବସେବା ପାଇଁ ନିଜକୁ ଉତ୍ସର୍ଗୀକୃତ କରି ବରୀ ଓ କୁଜେନ୍ଦ୍ରୀ ଆଶ୍ରମରେ ଦୀର୍ଘ ସମୟ ବିତାଇଥିଲେ। ଶେଷ ସମୟ ପର୍ଯ୍ୟନ୍ତ ଗୀତା ଓ କୋରାନ୍ ପାଠ କରି ସବୁ ଧର୍ମକୁ ସମ୍ମାନ ଦେଉଥିଲେ। ଆଜୀବନ ଶାକାହାରୀ ଭୋଜନ ଗ୍ରହଣ କରି ସନ୍ନ୍ୟାସୀ ଜୀବନ ବିତାଇଥିଲେ।

ମହମ୍ମଦ ସାହେବ ଓ ଚାନ୍ଦବିବିଙ୍କ ୭ଟି ସନ୍ତାନ ମଧ୍ୟରୁ ସର୍ବକନିଷ୍ଠ ଥିଲେ ମହମ୍ମଦ ବାଜୀ। ୧୯୨୨ ମସିହାରେ ନବରଙ୍ଗପୁର ଏକ୍ସବୋର୍ଡ ପ୍ରାଥମିକ ବିଦ୍ୟାଳୟ ଆରମ୍ଭ ହୁଏ ତାଙ୍କ ପ୍ରାଥମିକ ଶିକ୍ଷା। ପିଲାଟି ଦିନରୁ ନମାଜ ପଢ଼ିବା, ଉପବାସ ରହିବା, ମନ୍ଦିରକୁ ଯାଇ ଭକ୍ତିଗୀତ ଓ ପୁରାଣ ଶୁଣିବା ପ୍ରତି ରହିଥିଲା ପ୍ରବଳ ଆଗ୍ରହ। ଘରେ ନିୟମିତ ଆମିଷ ରୋଷେଇ ହେଉଥିଲେ ହେଁ ଲୁଣ, ଲଙ୍କାରେ ଭାତ ଖାଉଥିଲେ ବୋଲି ବହୁ ସମୟରେ ସେ କହି ଆସିଛନ୍ତି। ୧୯୩୪ ମସିହା ବେଳକୁ ଜୟପୁର ଚାଲି ଆସିଥିଲେ। ୧୯୩୫ ମସିହାରେ ୯ମ ଶ୍ରେଣୀ ପଢ଼ିବା ବେଳେ ମହାତ୍ମା ଗାନ୍ଧୀ ଓ ସ୍ବାଧୀନତା ଆନ୍ଦୋଳନ ସଂପର୍କରେ ଜାଣିବାକୁ ପାଇଥିଲେ। ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ରାଧାକୃଷ୍ଣ ବିଶ୍ବାସରାୟ, ସଦାଶିବ ତ୍ରିପାଠୀ, ରାଧାମୋହନ ସାହୁ, ଲକ୍ଷ୍ମୀଚନ୍ଦ୍ର ଦାସଙ୍କ ନିକଟତର ହୋଇ ପାଠ ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ। ୧୯୩୭ ମସିହାରେ ଜାତୀୟ କଂଗ୍ରେସର ସଦସ୍ୟତା ଗ୍ରହଣ କରି ୧୯୩୯ମସିହା ୧୯ ତାରିଖରେ ଅଖିଳ ଭାରତୀୟ କଂଗ୍ରେସ ଅଧିବେଶନରେ ସୁଭାଷ ଚନ୍ଦ୍ର ବୋଷଙ୍କୁ ଭୋଟ ଦେଇ ଚର୍ଚ୍ଚାକୁ ଆସିଥିଲେ। ମାତ୍ର ୨୨ବର୍ଷ ବୟସରେ ଆଜୀବନ ସନ୍ନ୍ୟାସୀ ଜୀବନ ବିତାଇବା ପାଇଁ ପ୍ରତିଜ୍ଞା କରିଥିଲେ। ଗାନ୍ଧୀଙ୍କ ଆଦର୍ଶ ଏମିତି ଅନୁପ୍ରାଣିତ କରିଥିଲା ଯେ ଥରୁଟିଏ ନିକଟରୁ ଦେଖିବା ପାଇଁ ୧୯୪୧ ମସିହାରେ ଛୁଟି ଯାଇଥିଲେ ୱାର୍ଧା ଆଶ୍ରମକୁ। ଏଥିପାଇଁ ନିଜ ସାଇକଲକୁ ବି ବିକ୍ରି କରିବାକୁ ପଛାଇ ନଥିଲେ। ୫ଦିନ ରହିବା ପରେ ଦିନେ ଗାନ୍ଧୀଙ୍କୁ ଭେଟିବାର ସୁଯୋଗ ମିଳିଥିଲା। ଗାନ୍ଧୀ କହିଥିଲେ ‘ସତ୍ୟାଗ୍ରହରେ ଲାଠି ଖାଅ, ଜେଲ୍ ଯାଅ, ଦେଶ ପାଇ ବଳିଦାନ ଦିଅ। ‘ମୋତେ କ’ଣ ଦେଖିବାକୁ ଆସିଛ’? ଏମିତି ନିର୍ଦେଶ ପାଇ ପୁଣି ନିଜ ଜନ୍ମମାଟିକୁ ଫେରି ସତ୍ୟା‌ଗ୍ରହ ଆରମ୍ଭ କରିଥିଲେ। ସେଠାରୁ ଫେରିବାର କିଛି ଦିନ ପରେ ହିଁ ପ୍ରଥମ ଥର ପାଇଁ ଗିରଫ ହୋଇ ଯାଇଥିଲେ ନବରଙ୍ଗପୁର ଜେଲ। କିଛି ଦିନ ବିତିବା ପରେ କୋରାପୁଟ ଜେଲକୁ ସ୍ଥାନାନ୍ତର କରାଯାଇଥିଲା। କୋରାପୁଟ ଜେଲରେ ୪ମାସ ଦଣ୍ଡ ଭୋଗିବା ପରେ ଗାନ୍ଧୀଙ୍କ ଗ୍ରାମ ସ୍ବରାଜ କଥାକୁ ମନେ ପକାଇ ପଦଯାତ୍ରା କରିଲେ। ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନ ପ୍ରସ୍ତାବ ନବରଙ୍ଗପୁରରେ ପହଞ୍ଚିବା ପରେ ରାତାରାତି ପ୍ରଚାରପତ୍ର ଛପେଇ ବାଣ୍ଟିବା ସହ ଅନ୍ୟ ସଂଗ୍ରାମୀଙ୍କୁ ସାହାଯ୍ୟ କରିଥିଲେ।

ପାପଡାହାଣ୍ଡି ଟୁରୀ ନଦୀ ତଟରେ ବ୍ରିଟିଶ ଗୁଳିରେ ୧୬ଜଣ ସହିଦ ହୋଇଥିଲେ। ମହମ୍ମଦ ବାଜୀଙ୍କ ଦେହରେ ବି ଗୁଳି ବାଜିଥିଲା। ଏହାପରେ ଭାରତଛାଡ ଆନ୍ଦୋଳନରେ ଯୋଗଦେବା ଏବଂ ସରାଗୁଡା ପୋଲ ଭାଙ୍ଗିବା ଘଟଣା ପାଇଁ ୧୯୪୨ ମସିହା ଅଗଷ୍ଟ ୧୯ତାରିଖ ଦିନ ତାଙ୍କୁ ଗିରଫ କରାଯାଇଥିଲା। ୪ମାସ ଧରି ବିଚାରାଧୀନ କଏଦୀ ଭାବେ ରହିବା ପରେ ଅଢ଼େଇ ବର୍ଷର ଜେଲଦଣ୍ଡ ଦିଆଯାଇଥିଲା। ତେଣୁ କୋରାପୁଟ ଜିଲ୍ଲାରେ କିଛି ଦିନ ରହିବା ପରେ ପୁଣି କଟକ କେନ୍ଦ୍ରୀୟ କାରାଗାରକୁ ପଠାଇ ଦିଆଯାଇଥିଲା। ୧୯୫୩ ମସିହାରେ କଂଗ୍ରେସରୁ ଇସ୍ତଫା ଦେଇ ବିନୋବାଭାବେଙ୍କ ସହ ଯୋଗଦେଇ ୧୨ଶହ କିଲୋମିଟର ପଦଯାତ୍ରା କରି ଭୂଦାନ ଆନ୍ଦୋଳନରେ ଯୋଗ ଦେଇଥିଲେ। ୧୯୫୫ ମସିହାରେ ସର୍ବୋଦୟ ଆନ୍ଦୋଳନରେ ଯୋଗ ଦେଇଥିଲେ। ୧୯୯୧ ମସିହାରେ ବାବ୍ରି ମସଜିଦ ବିବାଦର ସମାଧାନ ପାଇଁ ଅଯୋଧ୍ୟାରେ ଅନଶନରେ ବସିଥିଲେ। ଏହି ବିବାଦର ସମାଧାନ ପାଇଁ ଗଠିତ ସର୍ବଭାରତୀୟ ଶାନ୍ତି କମିଟିର ଭାରତ ବର୍ଷର ସଦସ୍ୟ ଥିଲେ। ଆଜି ତାଙ୍କ ପରଲୋକ ଅବିଭକ୍ତ କୋରାପୁଟବାସୀଙ୍କୁ ସ୍ତବ୍ଧ କରିଦେଇଛି।

ସମ୍ବନ୍ଧିତ ଖବର