ସ୍ବାଧୀନତା ସଂଗ୍ରାମୀ ମହେନ୍ଦ୍ର ନାଥ ମହାନ୍ତିଙ୍କ ଦେହାନ୍ତ

ସିମୁଳିଆ : ବରିଷ୍ଠ ସ୍ବାଧୀନତା ସଂଗ୍ରାମୀ ତଥା ବର୍ଷୀୟାନ ନେତା ମହେନ୍ଦ୍ର ନାଥ ମହାନ୍ତିଙ୍କର ସିମୁଳିଆ ବ୍ଲକ୍‌ ଭଗିଆସ୍ଥିତ ନିଜ ବାସଭବନରେ ୯୯ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଆଜି ଭୋର୍‌ ୪.୩୦ ମିନିଟ୍‌ ସୟରେ ‌ସେ ‌ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ସ୍ବର୍ଗତଃ ମହାନ୍ତି ଭଦ୍ରକ ଜିଲ୍ଲା ନରିପୁର ଗ୍ରାମରେ ୧୯୨୦ ମସିହା ଏପ୍ରିଲ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ। ତେବେ ତାଙ୍କ କର୍ମଭୂମି ଥିଲା ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ବଂଗାଳପୁର ପଞ୍ଚାୟତ ଭଗିଆ ଗ୍ରାମ। ସେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ। ଏଥିସହ ଲବଣ ସତ୍ୟାଗ୍ରହରେ ଅଂଶଗ୍ରହଣ କରି ବ୍ରିଟିଶ ସରକାରଙ୍କ ଦ୍ବାରା ବନ୍ଦୀ ହୋଇ ବ୍ରହ୍ମପୁର ଜେଲ୍‌ରେ ୩ ମାସ ବନ୍ଦୀ ଜୀବନ କଟାଇ ଥିଲେ। ପରବର୍ତ୍ତି ସମୟରେ ସମ‌ାଜ ସେବାରେ ଜଡ଼ିତ ହେବାସହ ଗ୍ରାମରେ ଶ୍ରୀ ଅରବିନ୍ଦ ଶିକ୍ଷାନୁଷ୍ଠାନ ସ୍ଥାପନ କରି ଶିକ୍ଷାର ପ୍ରଚାର ପ୍ରସାର କରିଥିଲେ।

ଆଜି ତାଙ୍କ ମୃତ୍ୟୁ ଖବର ପାଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଏବଂ ପିଆରଓ, ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ସିମୁଳିଆ ତହସିଲଦାର ରବିନାରାୟଣ ସାହୁ ପହଞ୍ଚି ଶେଷ ସମ୍ମାନ ଜଣାଇଥିଲେ। ଶବ ଶୋଭାଯାତ୍ରା ପରେ ସିମୁଳିଆ ପୁଲିସ ପକ୍ଷରୁ ଗାର୍ଡ ଅଫ୍‌ ଅନର ଦିଆଯାଇ ଥିଲା। ଶେଷରେ ରାଷ୍ଟୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

ସମ୍ବନ୍ଧିତ ଖବର