ସ୍ବାଧୀନତା ସଂଗ୍ରାମୀଙ୍କ ପରଲୋକ

ଢେଙ୍କାନାଳ/କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରଖ୍ୟାତ ସ୍ବାଧୀନତା ସଂଗ୍ରାମୀ ବାଇଧର ସ୍ବାଇଁଙ୍କର ଦେହାନ୍ତ ଘଟିଛି। କାମାକ୍ଷାନଗର ବ୍ଲକ୍‌ ବାଲିଗୋରଡ଼ ଗାଁ ବାସଭବନରେ ୯୧ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।

୧୯୨୭ ଏପ୍ରିଲ୍‌ ୧୫ ତାରିଖରେ ଏହି ସ୍ବାଧୀନତା ସଂଗ୍ରାମୀ ଜନ୍ମଗ୍ରହଣ କରିଥିଲେ। ୧୯୩୮ ମସିହାରେ ସେ ଢେଙ୍କାନାଳ ପ୍ରଜାମଣ୍ଡଳ ଆନ୍ଦୋଳନରେ ଯୋଗ ଦେଇଥିଲେ। ଅନ୍ୟତମ ସ୍ବାଧୀନତା ସଂଗ୍ରାମୀ ମୂଷା ମଲ୍ଲିକଙ୍କ ସହ ମିଶି ସେ ମଢ଼ି(ପୂର୍ବତନ କାମାକ୍ଷାନଗର) ଥାନା ଓ କଚେରି ପୋଡ଼ି, ପର୍ଜଙ୍ଗ ଥାନା ଘେରାଉରେ ସାମିଲ ଥିଲେ। ଏଥିଯୋଗୁଁ ସେ ୧୯୪୨ ମସିହାରେ ଗିରଫ ହୋଇ ୪ ବର୍ଷ ୧୦ ମାସ ଜେଲ୍‌ ଦଣ୍ଡ ଭୋଗିଥିଲେ। ପରବର୍ତୀ ସମୟରେ ସମାଜସେବା, ଜିଲ୍ଲାର ଉନ୍ନତି ପାଇଁ ନିଜକୁ ନିୟୋଜିତ କରିଥିଲେ। ସେ ମଧ୍ୟ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଥିଲେ। ୧୯୮୫‌େର ଜାତୀୟ କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ।

ଗତକାଲି ରାତି ପ୍ରାୟ ୨ଟାବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି। ଗାଁ ଶ୍ମଶାନରେ ଗାର୍ଡ଼ ଅଫ୍ ଅନର୍‌ ସହିତ ତାଙ୍କର ସଂସ୍କାର କରାଯାଇଥିଲା। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର