ଆରପାରିରେ ସ୍ବାଧୀନତା ସଂଗ୍ରାମୀ ପ୍ରିୟନାଥ

ଜଗସିଂହପୁର ଟାଉନ୍ : ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ ପ୍ରିୟନାଥ ଦେଙ୍କର ଆଜି ଅପରାହ୍ନ ୩ଟା ୫୦ରେ ଦେହାନ୍ତ ହୋଇଛି। ଭୁବନେଶ୍ୱର ସ୍ଥିତ ବିଜେପି ନଗର ବାସ ଭବନରେ ବାର୍ଦ୍ଧକ୍ୟ ଜନିତ ରୋଗ କାରଣରୁ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ଏକ ମାତ୍ର ପୁଅ ପ୍ରଣବ କୁମାର ଦେ, ବଡ଼ ଝିଅ ପୁରବୀ ଦେ, ସାନ ଝିଅ ସୁରଭି ଦେଙ୍କ ସମେତ ପରିବାର ଓ ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆସନ୍ତାକାଲି ତାଙ୍କର ମରଶରୀରକୁ ଜନ୍ମମାଟି ପୂର୍ଣ୍ଣଗ୍ରାମକୁ ଅଣାଯିବା। ପରେ ନଗର ପରିକ୍ରମା କରାଯାଇ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସଂପନ୍ନ ହେବ।

ପ୍ରିୟନାଥ ଦେ ୧୯୨୨ ମସିହା ନଭେମ୍ବର ୨ ତାରିଖ ଜଗତସିଂହପୁର ଜିଲ୍ଲା ପୂର୍ଣ୍ଣଗ୍ରାମ (ପୁନଙ୍ଗ)ରେ ଜନ୍ମ ଗ୍ରହଣ କରିଥିଲେ। ରେଭେନସା କଲେଜରେ ଅଧ୍ୟୟନ ସମୟରେ ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନରେ ଯୋଗଦେଇ ପାଠ ଛାଡ଼ି ଥିଲେ। ଗୋବିନ୍ଦପୁର ଥାନା ଘେରାଉରେ ସାମିଲ ହୋଇ ଗିରଫ ହୋଇ ୧୩ ମାସ କାରାବରଣ କରିଥିଲେ। ଜେଲରୁ ମୁକ୍ତି ପରେ ସେ ଅରୁଣା ଆସଫ୍ ଅଲ୍ଲୀ, ଆନନ୍ ପ୍ରସାଦ ଚୌଧୁରୀ ଏବଂ ଅନ୍ୟ ନେତୃବୃନ୍ଦଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିଲେ। କିନ୍ତୁ ‌େଟ୍ରନରେ ଫେରୁଥିବା ବେଳେ ବାଲେଶ୍ୱରରେ ପୁଲିସ ତାଙ୍କୁ ଗିରଫ କରି କଟକ ଜେଲ ଏବଂ ପରେ ବ୍ରହ୍ମପୁର ଜେଲକୁ ପଠାଇ ଦେଇଥିଲା। ୧୯୪୫ ମସିହା ଶେଷ ଭାଗକୁ ସେ ଜେଲ୍‌ରୁ ଖଲାସ ହୋଇଥିଲେ। ୧୯୫୧ ମସିହାରେ ସୋସିଆଲିଷ୍ଟ ପାର୍ଟି ପକ୍ଷରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ହାରି ଯାଇଥିଲେ। ପରେ ସେ ୧୯୬୧ ମସିହାରେ ମଧ୍ୟବର୍ତ୍ତୀ ନିର୍ବାଚନରେ କଂଗ୍ରେସ ଦଳରେ ଯୋଗଦେଇ ଜଗତସିଂହପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ସକ୍ରିୟ ରାଜନୀତିରୁ ଓହରି ଯାଇ ଶେଷ ଜୀବନରେ ଶିକ୍ଷକତା କରିଥିଲେ।

ସମ୍ବନ୍ଧିତ ଖବର