ସ୍ୱାଧୀନତା ସଂଗ୍ରାମୀ ରାହାସ ବିହାରୀଙ୍କ ପରଲୋକ

ବାହାନଗା : ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ରାହାସ ବିହାରୀ ନାୟକ ଆଉ ନାହାନ୍ତି। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ ପଣପଣା ପଞ୍ଚାୟତ କହରାଗୋହିରୀ ବାସିନ୍ଦା ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ନାୟକ ୯୫ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି। ବୟସାଧିକ୍ୟ ଯୋଗୁଁ ବାର୍ଦ୍ଧକ୍ୟଜନିତ ରୋଗରେ ଶ୍ରୀ ନାୟକ ପୀଡ଼ିତ ହୋଇ ପ୍ରଥମେ ନଭେମ୍ବର ୨୦୧୮ରେ ଜିଲ୍ଲା ହସ୍ପିଟାଲରେ ଭର୍ତି ହୋଇଥିଲେ। କିଛିଦିନ ପରେ  ସୁସ୍ଥ ହୋଇ ଘରକୁ ଫେରି ଥିଲେ ବି ପୁଣି ଗତମାସରେ ସେ ଗୁରୁତର ହୋଇ ପଡ଼ିଥିଲେ। ଗତ ୨୫ ତାରିଖରେ  ତାଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ ସହ ଆଜ୍‌ମା ବଢ଼ିଯିବାରୁ ପୁଣି ବାଲେଶ୍ୱର ସଦର ହସ୍ପିଟାଲରେ ଆଇସିୟୁରେ ଭର୍ତି ହୋଇଥିଲେ। ଗତକାଲି ପରିବାର ଲୋକେ ତାଙ୍କୁ ଘରକୁ ନେଇ ଆସିଥିଲେ। ଆଜି ସକାଳ ୧୦.୩୦ରେ ସେ ପରଲୋକ ଗମନ କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ପୁଅବୋହୂ, ଝିଅଜ୍ୱାଇଁ, ନାତିନାତୁଣୀ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁରେ ପୈତୃକ ଗ୍ରାମ ସହ ସମଗ୍ର ବାହାନଗା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବହୁ ବିଶିଷ୍ଟ ଲୋକ ତାଙ୍କ ବାସଭବନକୁ ଯାଇ ଶେଷଦର୍ଶନ କରିଥିଲେ। ନିଜଗ୍ରାମରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ନାତି ନଗେଶ ମୁଖାଗ୍ନି ଦେଇଥିଲେ।

ସୂଚନାଯୋଗ୍ୟ ଯେ, ସ୍ବର୍ଗତ ନାୟକ ୧୯୨୪ ମସିହା କାର୍ତିକ ପୂର୍ଣ୍ଣିମାରେ କହରାଗୋହିରୀ ଗ୍ରାମର ଜଗନ୍ନାଥ ନାୟକ ଓ ଶ୍ରୀମତୀ ନାୟକଙ୍କ ଔରସରୁ ଜନ୍ମଗ୍ରହଣ କରିଥିବାରୁ ତାଙ୍କ ନାମ ଶ୍ରଦ୍ଧାରେ ରାହାସ ବିହାରୀ ରଖାଯାଇଥିଲା। ୧୮ବର୍ଷ ବୟସରେ ସ୍ୱାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀ, ହରେକୃଷ୍ଣ ମହତାବ, ବିଶ୍ୱନାଥ କର, ରମାଦେବୀ, ମାଳତୀ ଦେବୀଙ୍କ ପ୍ରେରଣା ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ମାତୃକାର ରକ୍ଷା ପାଇଁ ବାହାରି ପଡ଼ିଥିଲେ। ପରବର୍ତ୍ତୀ ସମୟରେ ଇଂରେଜ ସରକାର ଦ୍ୱାରା ଗିରଫ ହୋଇ ନୀଳଗିରି ଓ ବାଲେଶ୍ୱର ଜେଲ୍‌ରେ ସଜା କାଟିଥିଲେ।

ସମ୍ବନ୍ଧିତ ଖବର