ରାଜ୍ୟରେ ପ୍ରତିଷ୍ଠା ହୋଇପାରୁନି ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରି

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କଲେ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା

ବଲାଙ୍ଗୀର : ରାଜ୍ୟରେ ଏକ ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରି ପ୍ରତିଷ୍ଠା କରିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାରଙ୍କ ଚରମ ଅବହେଳା କଥା ସୂଚନା ଅଧିକାର ଆଇନ ବଳରେ ଜଣାପଡ଼ିଛି। ରାଜ୍ୟ ସରକାର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନ ଦେବା କଥା କହୁଥିବାବେଳେ ରାଜ୍ୟ ସଂଗ୍ରହାଳୟରେ ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରି ପ୍ରତିଷ୍ଠା କରି ସଂଗ୍ରାମୀମାନଙ୍କ ବିଷୟରେ ଜନସାଧାଣଙ୍କୁ ତଥ୍ୟ ପ୍ରଦର୍ଶନ କରିବା ପାଇଁ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ବଲାଙ୍ଗୀରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା କହିଛନ୍ତି।

ଶ୍ରୀ ପଣ୍ଡା କହିଛନ୍ତି, ୨୦୧୬ ମସିହା ଫେବ୍ରୁଆରି ୧୦ ତାରିଖ ଦିନ ରାଜ୍ୟ ସଂଗ୍ରହାଳୟରେ ୫ଟି ନୂତନ ଗ୍ୟାଲେରି ଯଥା- ଯୁଗେ ଯୁଗେ ଓଡ଼ିଶା, ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରି, ପଟ୍ଟଚିତ୍ର ଗ୍ୟାଲେରି, ମାନବର ବିବର୍ତ୍ତନ ଗ୍ୟାଲେରି ଏବଂ ଖଣି ଭୂତତ୍ତ୍ୱ ଗ୍ୟାଲେରି ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇ ଏହି କାର୍ଯ୍ୟ ନିମନ୍ତେ ଡିପିଆର୍ ପ୍ରସ୍ତୁତ କରିବାକୁ କ୍ରିଏଟିଭ ମ୍ୟୁଜିୟମ ଡିଜାଇନର୍‌, ନ୍ୟାସନାଲ କାଉନସିଲ ଫର୍ ସାଇନ୍ସ ମ୍ୟୁଜିୟମ, କୋଲକାତାଙ୍କୁ ସରକାର ଦାୟିତ୍ୱ ପ୍ରଦାନ କରିଥିଲେ। ପ୍ରଦାନ କରାଯାଇଥିବା ଡିପିଆର୍ ଉପରେ ଆଲୋଚନା ପର୍ଯ୍ୟାଲୋଚନା କରିବା ପାଇଁ ଅଧିକାରୀ ଏବଂ ବଛା ବଛା ବିଶେଷଜ୍ଞମାନଙ୍କୁ ନେଇ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ଓ ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପୃଥକ୍‌ ପୃଥକ୍‌ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ କ୍ରିଏଟିଭ ମ୍ୟୁଜିୟମ ଡିଜାଇନର୍ ପ୍ରସ୍ତୁତ କରିଥିବା ଡିପିଆର୍‌ରେ ତ୍ରୁଟି ଥିବା କଥା ଜଣାପଡ଼ିଥିଲା। ଯୁଗେ ଯୁଗେ ଓଡ଼ିଶା ଓ ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରି ପାଇଁ ପ୍ରସ୍ତୁତ ଡିପିଆରରେ ତଥ୍ୟଗତ ତ୍ରୁଟି ଥିବା ଜଣାପଡ଼ିଥିଲା। ତେଣୁ ସଂଶୋଧିତ ଡିପିଆର୍ ପାଇଁ ରାଜ୍ୟର ବିଶେଷଜ୍ଞମାନଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟ ସିଏମ୍‌ଡି ତଥା କ୍ରିଏଟିଭ ମ୍ୟୁଜିୟମ ଡିଜାଇନର୍‌କୁ ପଠାଯାଇଥିଲା। କିନ୍ତୁ ଉକ୍ତ ସଂସ୍ଥା ସଂଶୋଧିତ ଡିପିଆର ପ୍ରଦାନ କଲେ ନାହିଁ ଏବଂ ଏହା ମଧ୍ୟରେ ଡିପିଆର ପ୍ରସ୍ତୁତ ପାଇଁ ଉକ୍ତ ସଂସ୍ଥା ସହ କରାଯାଇଥିବା ଚୁକ୍ତିର ଅବଧି ଶେଷ ହୋଇଯାଇଛି। ଏହା ପରେ ସରକାର ଆଉ କୌଣସି ପଦକ୍ଷେପ ନେଇ ନାହାନ୍ତି ଏବଂ ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରି ସହିତ ୪ଟି ଗ୍ୟାଲେରି ପ୍ରତିଷ୍ଠା କରିବା ପ୍ରସ୍ତାବ ୪ ବର୍ଷ ପରେ ମଧ୍ୟ କେବଳ ପ୍ରସ୍ତାବରେ ରହିଯାଥିବା କଥା ସୂଚନା ଅଧିକାର ଆଇନ ବଳରେ ବଲାଙ୍ଗୀରର ବିଶିଷ୍ଟ ସୂଚନା କର୍ମୀ ଶ୍ରୀ ପଣ୍ଡାଙ୍କୁ ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ମିଳିଥିବା ତଥ୍ୟରୁ ଏହା ଜଣାପଡ଼ିଛି।

ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟରେ ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରି ପ୍ରତିଷ୍ଠା କରାଯାଇ ଇତିହାସର ଅବହେଳିତ ବୀର ସୁରେନ୍ଦ୍ର ସାଏଙ୍କ ସମ୍ପର୍କରେ ତଥ୍ୟ ପ୍ରଦର୍ଶନ କରାଯିବା ପାଇଁ ଶ୍ରୀ ପଣ୍ଡା ବହୁ ଦିନରୁ କାର୍ଯ୍ୟ କରିଆସୁଛନ୍ତି। ରାଜ୍ୟ ସଂଗ୍ରହାଳୟରେ ଏହି ଗ୍ୟାଲେରି ପ୍ରତିଷ୍ଠା କରାଯାଇ ବୀର ସୁରେନ୍ଦ୍ର ସାଏଙ୍କ ସମ୍ପର୍କରେ ତଥ୍ୟ ପ୍ରଦର୍ଶନ କରିବା ପାଇଁ ସୂଚନା କର୍ମୀ ଶ୍ରୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର