ଗାର୍ଗୀ ଶତପଥୀ

Advertisment

ସମ୍ବଲପୁର: ଭାରତୀୟ ସଶସ୍ତ୍ର ସ୍ବତନ୍ତ୍ରତା ସଂଗ୍ରାମ ଓ ପରବର୍ତ୍ତୀ ସମୟର ଅହିଂସା ଆନ୍ଦୋଳନରେ ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାର ଅବଦାନ ଜାତୀୟସ୍ତରରେ ସ୍ମରଣୀୟ। ମାତ୍ର ସମ୍ବଲପୁରଠାରେ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ଅସମ୍ମାନ ଓ ଅବହେଳାକୁ ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ସ୍ବାଧୀନତା ସଂଗ୍ରାମୀ ସଂଗ୍ରହାଳୟ ଭୂତକୋଠି ପାଲଟିଛି। ୨୦୧୬ ମସିହାରେ ବଡ଼ବଜାର ମନ୍ଦଲିଆ ନିକଟରେ ରିଂରୋଡ୍‌ କଡ଼ରେ ନିର୍ମିତ ସ୍ବାଧୀନତା ସଂଗ୍ରାମୀ ସଂଗ୍ରହାଳୟକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ତେବେ, ଉଦ୍‌ଘାଟନର ୯ ବର୍ଷ ପରେ ମଧ୍ୟ ଏହାକୁ ଥରୁଟିଏ ଖୋଲା ଯାଇନାହିଁ। ଏପରିକି ବର୍ତ୍ତମାନର ସଂସ୍କୃତି ବିଭାଗ ଅଧିକାରୀ ଏଠାରେ ସ୍ବାଧୀନତା ସଂଗ୍ରାମୀ ସଂଗ୍ରହାଳୟ ଥିବା ସଂପର୍କରେ ଅବଗତ ମଧ୍ୟ ନୁହନ୍ତି।

ଉଦ୍‌ଘାଟନର ୯ ବର୍ଷ ପରେ ବି ହୋଇପାରୁନି କାର୍ଯ୍ୟକ୍ଷମ
ପାଣିରେ ପଡ଼ିଲା ଦେଢ଼କୋଟି

ଭାରତୀୟ ସ୍ବାଧୀନତା ସଂଗ୍ରାମରେ ପଶ୍ଚିମ ଓଡ଼ିଶାର ଭୂମିକା ଗୁରୁତ୍ବପୂର୍ଣ୍ଣ। ୧୮୫୭ ପ୍ରଥମ ସ୍ବାଧୀନତା ସଂଗ୍ରାମର ଅନେକ ପୂର୍ବରୁ ଏଠାରେ ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ବରେ ଇଂରେଜମାନଙ୍କ ବିରୋଧରେ ଲଢ଼େଇର ବିଗୁଲ ବଜାଯାଇଥିଲା। ମହାତ୍ମା ଗାନ୍ଧୀଙ୍କ ଡାକରାରେ ଅସହଯୋଗ ଆନ୍ଦୋଳନରେ ସମ୍ବଲପୁର ଜିଲ୍ଲା ସ୍କୁଲର ଛାତ୍ରମାନେ ସ୍କୁଲ ଛାଡ଼ି ସ୍ବାଧୀନତା ସଂଗ୍ରାମରେ ଝାସ ଦେବା ସେତେ ବେଳେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ଥିଲା। ଲବଣ ସତ୍ୟାଗ୍ରହ, ଭାରତଛାଡ଼ ଆନ୍ଦୋଳନଠାରୁ ଆରମ୍ଭ କରି ନିଶା ନିବାରଣ, ଅସ୍ଫୃଶ୍ୟତା ବିରୋଧୀ ଅଭିଯାନ ପ୍ରତ୍ୟେକ କ୍ଷେତ୍ରରେ ଏ ମାଟିର ଭୂମିକା ସର୍ବଦା ବନ୍ଦନୀୟ। ମହିଳା, ସଂଖ୍ୟାଲଘୁ ସମୁଦାୟ, ଅନୁସୂଚିତ ଜାତି, ଜନଜାତିଙ୍କଠାରୁ ଆରମ୍ଭ କରି ସବୁ ବର୍ଗ ଲୋକେ ଦେଶ ମାତୃକାର ମୁକ୍ତି ଏବଂ ଗଣତନ୍ତ୍ରର ପ୍ରତିଷ୍ଠା ପାଇଁ ଲଢ଼େଇ କରିବା ସହିତ ବଳିଦାନ ଦେଇଛନ୍ତି। କିନ୍ତୁ ଏ ମାଟିର ସଂଗ୍ରାମୀମାନେ ଇତିହାସ ପୃଷ୍ଠାରେ ଅନାଲୋଚିତ। ଏହାକୁ ହୃଦୟଙ୍ଗମ କରି ସମ୍ବଲପୁରରେ ପଶ୍ଚିମ ଓଡ଼ିଶା ସ୍ବାଧୀନତା ସଂଗ୍ରାମୀ ସଂଗ୍ରହାଳୟର ପରିକଳ୍ପନା କରିଥିଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପୂର୍ବତନ ଅଧ୍ୟକ୍ଷ ନିରଞ୍ଜନ ପଣ୍ଡା। ଏଥିରେ ଶତ ସଂଗ୍ରାମର ସାକ୍ଷୀ ଏବଂ ସ୍ବାଧୀନତା ସଂଗ୍ରାମୀଙ୍କ ବ୍ୟବହୃତ ସାମଗ୍ରୀକୁ ସଂରକ୍ଷିତ କରି ପ୍ରଦର୍ଶନର ଉଦ୍ଦେଶ୍ୟ ରଖାଯାଇଥିଲା। ଏଥିପାଇଁ ବଡ଼ବଜାର ମନ୍ଦଲିଆ ପାଖ ଗୌରୀଶଙ୍କର ପାର୍କରେ ୧.୨୮ ଏକର ଏସଡିଏ ଜମିରେ ପୂର୍ତ୍ତ ବିଭାଗ ପକ୍ଷରୁ ଦେଢ଼କୋଟି ବ୍ୟୟରେ ସଂଗ୍ରହାଳୟ କୋଠା ନିର୍ମାଣ କରାଗଲା। ସଂସ୍କୃତି ବିଭାଗ ଏହାର ପରିଚାଳନା ଦାୟିତ୍ବରେ ରହିଥିଲା।

ପ୍ରଥମେ ନିରଞ୍ଜନ ପଣ୍ଡା ଏବଂ ପରେ କିଶୋର ମହାନ୍ତିଙ୍କ କାର୍ଯ୍ୟକାଳ ସମୟରେ ବିକାଶ ପରିଷଦ ପକ୍ଷରୁ ସମସ୍ତ ପାଣ୍ଠି ବ୍ୟବସ୍ଥା ହୋଇଥିଲା। ଆଶା ଥିଲା, ଉଦ୍‌ଘାଟନ ପରେ ଏହି ସଂଗ୍ରହାଳୟ ଯଥାଶୀଘ୍ର କାର୍ଯ୍ୟକ୍ଷମ ହେବ। ମାତ୍ର ପ୍ରଦର୍ଶନ ପାଇଁ ସ୍ବାଧୀନତା ସଂଗ୍ରାମୀଙ୍କ ବ୍ୟବହୃତ ସାମଗ୍ରୀ ଏଠାକୁ ଅଣାଯିବା ଦିଗରେ ବ୍ୟବସ୍ଥା କରାଗଲା ନାହିଁ। ସମୟକ୍ରମେ ଏହି କୋଠା ଅବ୍ୟବହୃତ ରହି ଭୂତକୋଠି ହୋଇ ପଡ଼ିରହିଛି। ସଂଗ୍ରହାଳୟ ନିକଟରେ ଥିବା ଆର୍ଟ ଗ୍ୟାଲେରି ୨୦୨୧ ମସିହାରେ ଉଦ୍‌ଘାଟିତ ହୋଇ ବର୍ତ୍ତମାନ କାର୍ଯ୍ୟକ୍ଷମ ଅଛି। କିନ୍ତୁ ସ୍ବାଧୀନତା ସଂଗ୍ରାମୀ ସଂଗ୍ରହାଳୟ ସମ୍ପର୍କରେ ସମସ୍ତେ ଭୁଲି ଯାଇଛନ୍ତି। ଏହାକୁ ନେଇ ପୂର୍ବତନ ଏସଡିଏ ଅଧ୍ୟକ୍ଷ ବିଜୟ ମହାନ୍ତି କହିଛନ୍ତି, ଜିଲ୍ଲା ପ୍ରଶାସନର ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ଏହାକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ ପାଇଁ ତତ୍କାଳୀନ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ କାର୍ଯ୍ୟକାଳ ସମୟରୁ ଲଗାତାର ଚିଠି ଲେଖି ଆସୁଛନ୍ତି। କିନ୍ତୁ କୌଣସି ଲାଭ ହେଉ ନାହିଁ। ନୂତନ ସରକାର ଆସିବା ପରେ କିଛି ଦିନ ପୂର୍ବରୁ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଥିବା ଶ୍ରୀ ମହାନ୍ତ କହିଛନ୍ତି। ଦେଶ ତଥା ରାଜ୍ୟର ବିଭିନ୍ନ ଜିଲ୍ଲାରେ ସଂସ୍କୃତି ବିଭାଗ ପରିଚାଳିତ ଅନେକ ସୁନ୍ଦର ସଂଗ୍ରହାଳୟ ରହିଛି। ଯାହାର ପରିଦର୍ଶନ ଦ୍ବାରା ବିଦ୍ୟାର୍ଥୀ, ଯୁବକଙ୍କ ସହିତ ସାଧାରଣ ଜନତା ଐତିହ୍ୟ ସଂପର୍କରେ ଅନେକ ବିଷୟ ଜାଣିପାରୁଛନ୍ତି। କିନ୍ତୁ ସମ୍ବଲପୁର ସଂଗ୍ରହାଳୟ କୋଠା ନିର୍ମାଣ କରି କାର୍ଯ୍ୟକ୍ଷମ ନ କରିବା ଦୁର୍ଭାଗ୍ୟଜନକ ବୋଲି ସଚେତନ ବ୍ୟକ୍ତି ମତ ଦେଇଛନ୍ତି।