ସମ୍ବଲପୁର: ବୁଧବାର ରାତି ପ୍ରାୟ ୯ଟାରେ ସମ୍ବଲପୁର ସହରର ସରଲା ୟାର୍ଡରେ ଏକ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଛି। ସିମେଣ୍ଟ ବୋଝେଇ ହୋଇ କଟକ ଯାଉଥିବା ମାଲବାହୀ ଟ୍ରେନ୍ଟି ଝାରସୁଗୁଡ଼ା ପଟୁ ସମ୍ବଲପୁର ସିଟି ଷ୍ଟେସନ୍ ଅଭିମୁଖେ ଯାଉଥିବା ବେଳେ ସରଲା ୟାର୍ଡରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାର ୪ଟି ବଗି ଲାଇନ୍ଚ୍ୟୁତ ହୋଇଥିଲା। ଏହି କାରଣରୁ ରେଳ ଯାତାୟତ ସାମୟିକ ପ୍ରଭାବିତ ହୋଇଛି। ଗୁରୁବାର ୨ ଯୋଡ଼ା ଟ୍ରେନ୍ ବାତିଲ କରା ଯାଇଥିବାବେଳେ ୪ଟି ଟ୍ରେନ୍ର ଦିଗରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି।
୧୩ ତାରିଖ ଗୁରୁବାର (୦୮୧୭୧/୦୮୧୭୨)ଝାରସୁଗୁଡ଼ା-ସମ୍ବଲପୁର-ଝାରସୁଗୁଡ଼ା ପାସେଞ୍ଜର ଓ (୨୨୮୩୯/୨୨୮୪୦) ରାଉରକେଲା-ଭୁବନେଶ୍ବର-ରାଉରକେଲା ସୁପର୍ଫାଷ୍ଟ ଇଣ୍ଟର୍ସିଟି ଏକ୍ସପ୍ରେସ୍କୁ ବାତିଲ କରାଯାଇଛି। ଅନ୍ୟ ପକ୍ଷରେ ବୁଧବାର ୧୨ ତାରିଖ ରାତିରେ ଉଭୟ ଦିଗରୁ ଛାଡ଼ିଥିବା (୧୮୧୧୭/୧୮୧୧୮) ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ୍ ସରଲା ୟାର୍ଡ ଦେଇ କର୍ଭ ଲାଇନ୍ରେ ଯିବା ବଦଳରେ ଯଥାକ୍ରମେ ଝାରସୁଗୁଡ଼ା ଓ ସମ୍ବଲପୁର ସିଟି ଷ୍ଟେସନ୍ରୁ ସମ୍ବଲପୁର ଜଂସନ୍ (କ୍ଷେତରାଜପୁର) ଷ୍ଟେସନକୁ ଆସିବ ଓ ଏଠାରୁ ବିପରୀତ ଦିଗରେ ଯାତ୍ରା କରିବ। ସେହିପରି ବୁଧବାର ୧୨ ତାରିଖ ଧାନବାଦ ଛାଡ଼ିଥିବା (୦୨୮୩୧) ଧାନବାଦ-ଭୁବନେଶ୍ବର ସ୍ବତନ୍ତ୍ର ଏକ୍ସପ୍ରେସ୍ ସମ୍ବଲପୁରକୁ ବାଇପାସ୍ କରି ସରଲାରୁ କର୍ଭ ଲାଇନ୍ରେ ଯିବା ବଦଳରେ ଝାରସୁଗୁଡ଼ା ପଟୁ ସମ୍ବଲପୁର ଷ୍ଟେସନ୍କୁ ଆସିବ ଓ ଏଠାରୁ ସିଟି ଷ୍ଟେସନ୍ ଦେଇ ଭୁବନେଶ୍ବର ଅଭିମୁଖେ ଯିବ। ସେହିପରି ୧୩ ତାରିଖ ପୁରୀ ଛାଡ଼ିଥିବା ୨୦୯୧୮ ପୁରୀ-ଇନ୍ଦୋର ହମ୍ସଫର ଏକ୍ସପ୍ରେସ୍ ମଧ୍ୟ ସମ୍ବଲପୁର ସିଟି ଷ୍ଟେସନ୍ରୁ ସମ୍ବଲପୁର ଷ୍ଟେସନ୍ ଆସି ଏଠାରୁ ଝାରସୁଗୁଡ଼ା ଅଭିମୁଖେ ଯିବ ବୋଲି ରେଳବାଇ ସୂତ୍ରରୁ ପ୍ରକାଶ।