ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ; ୬ଟି ଟ୍ରେନ୍‌ ବାତିଲ, ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ

କୋରାପୁଟ : ବାଚଲିରୁ କୋତାଭାଲସା ଅଭିମୁଖେ ଯାଉଥିବା ମାଲବାହୀ ଟ୍ରେନ୍‌ କୋତାଭାଲସା-କିରଣ୍ଡୁଲ ଲାଇନର ଶିବଲିଙ୍ଗପୁରମ୍‌ ପୂର୍ବରୁ ରହିଥିବା ୭ନମ୍ବର ଟନେଲ୍‌ ନିକଟରେ ଲାଇନଚ୍ୟୁତ ହୋଇଛି। ଏଥିରେ ଲୁହାପଥର ଭର୍ତ୍ତି ୮ଟି ୱାଙ୍ଗନ ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି। ତେବେ ଏହି ରୁଟରେ ଚଳାଚଳ କରୁଥିବା ୬ଟି ଟ୍ରେନ୍‌କୁ ବାତିଲ କରାଯାଇଛି। କୋରାପୁଟ ଓ ବିଶାଖାପାଟଣାରୁ ଦୁଇଟି ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଖବର ପାଇ ବିଶାଖାପାଟଣା ଡିଆରଏମ୍‌ ଅନୁପ ଶତପଥୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଙ୍କ ସହ ଏଡିଆରଏମ୍‌ ସୁଧୀର କୁମାର ଗୁପ୍ତା, ଦୀପ୍ତେଂଶୁ ଶର୍ମା, ପି.କେ ପାତ୍ର, ପି.କେ ମହାରଣା, ପ୍ରବୀଣ କୁମାର ଭାଟି ସହ ଅନ୍ୟ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିବା ବେଳେ ଏଡିଆରଏମ ମନୋଜ କୁମାର ସାହୁ, ଜି.ସୁନୀଲ କୁମାର, ଏ.କେ ତ୍ରିପାଠୀ ଡିଆରଏମଙ୍କ କାର୍ଯ୍ୟାଳୟରୁ ଘଟଣାର ତଦାରଖ କରୁଛନ୍ତି। ଏହି ଦୁର୍ଘଟଣା ପରେ କିରଣ୍ଡୁଲ-ବିଶାଖାପାଟଣା, ବିଶାଖାପାଟଣା-କିରଣ୍ଡୁଲ, କିରଣ୍ଡୁଲ-ବିଶାଖାପାଟଣା ନାଇଟ୍ ଏକ୍ସପ୍ରେସ, ବିଶାଖାପାଟଣା-କିରଣ୍ଡୁଲ ନାଇଟ୍ ଏକ୍ସପ୍ରେସ, ବିଶାଖାପାଟଣା-କିରଣ୍ଡୁଲ ସ୍ବତନ୍ତ୍ର ଟ୍ରେନ୍ ଓ କିରଣ୍ଡୁଲ-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନକୁ ବାତିଲ କରାଯାଇଛି।

ସୂଚନା ଥାଉକି, କୋତାଭାଲସା-ଆରକୁ ବିଭାଗର ଶିଭଲିଙ୍ଗପୁରମ୍ ଷ୍ଟେସନ ନିକଟରେ ବିଶାଖାପାଟଣା-କିରଣ୍ଡୁଲ୍ ପାସେଞ୍ଜର ଟ୍ରେନ୍ (୦୮୫୫୧) ଗତ ମାସ ୧୭ ତାରିଖେରେ ଲାଇନଚ୍ୟୁତ ହୋଇଥିଲା। ଟ୍ରେନର ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚର ଗୋଟିଏ ଚକ ସେଟ୍ (ଟ୍ରେନର ପଛରୁ ଷଷ୍ଠ) ଲାଇନଚ୍ୟୁତ ହୋଇଥିଲା। ଏହାପରେ ସେହି କୋଚରେ ଥିବା ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଟ୍ରେନ୍ ଯୋଗେ ଗନ୍ତବ୍ୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା। ଏଥିରେ କୌଣସି ଅଘଟଣ ଘଟି ନଥିବା ବେଳେ ଅଳ୍ପେକେ ବର୍ତ୍ତିଥିଲେ ଶହ ଶହ ଯାତ୍ରୀ।

ସମ୍ବନ୍ଧିତ ଖବର