ଟ୍ରେନ୍‌ରୁ ଅଲଗା ହେଲା ୱାଗନ : ୧୫ ମିନିଟ୍‌ ଅଟକିଲା, ନିଧିପୁର ଲେଭଲ କ୍ରସିଂରେ ଯାନବାହନ ଚଳାଚଳ ବ୍ୟାହତ

ଖୁଣ୍ଟୁଣୀ : ରେଳବିଭାଗ କର୍ମଚାରୀଙ୍କ ଦାୟିତ୍ବହୀନତାରୁ ପୁଣି ରେଳ ଇଞ୍ଜିନରୁ ୱାଗନ ଅଲଗା ହେବା ଭଳି ଘଟଣା ଘଟିଛି। କୌଣସି ବଡ ଧରଣର ଅଘଟଣ ଘଟି ନଥିଲେ ବି ରେଳ ବିଭାଗ ଅଧିକାରୀ ଏଭଳି ସମସ୍ୟା ଅନେକ ସମୟରେ ଘଟୁଛି ବୋଲି ମତ ଦେବା ଘଟଣା ବ୍ୟବସ୍ଥା ପ୍ରତି ପ୍ରଶ୍ନ ଉଠାଇଛି।

ଆଜି କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅଧୀନ ପୂର୍ବତଟ ରେଳପଥର ଘଣ୍ଟିଖାଲ-ନିଧିପୁର ରେଳଷ୍ଟେସନରୁ ପ୍ରାୟ ୩୦୦ ମିଟର ଦୂର ନିଧିପୁର ଲେଭଲ କ୍ରସିଂ ନିକଟ କଲଭର୍ଟ ଉପରେ ଆଜି ସକାଳେ ଏକ ଖାଲି ମାଲ୍‌ବାହୀ ଟ୍ରେନରୁ ୬ଟି ୱାଗନ ଅଲଗା ହୋଇଯାଇଥିଲା। ଫଳରେ ଲେଭଲ କ୍ରସିଂରେ ୧୫ମିନିଟରୁ ଅଧିକ ସମୟ ଟ୍ରେନ୍‌ ଅଟକି ରହିବାରୁ ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା।

ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୮ଟା ୪୦ରେ ଖୋର୍ଦ୍ଧାରୁ ନୟାଗଡ଼ ଅଭିମୁଖେ ଯାଉଥିବା ଖାଲି ମାଲ୍‌ବାହୀ ଟ୍ରେନ୍‌ (ନୟାଗଡ଼ ଏନ୍‌ ବକ୍ସ) ସର୍ପେଶ୍ବର ପାସେଞ୍ଜର ହଲ୍‌ଟ ଅତିକ୍ରମ କରି ଘଣ୍ଟିଖାଲ-ନିଧିପୁର ଷ୍ଟେସନରେ ପହଞ୍ଚିବା ପୂର୍ବରୁ ନିଧିପୁର ଲେଭଲ୍‌ କ୍ରସିଂ ନିକଟ ରେଲୱେ କଲଭର୍ଟ ଉପରେ ୬ଟି ୱାଗନ୍‌ ପୃଥକ୍‌ ହୋଇଯାଇଥିଲା। ଫଳରେ ଗାର୍ଡମ୍ୟାନ ୱାଗନ୍‌ ସମେତ ୬ଟି ୱାଗନ୍‌କୁ କଲଭର୍ଟ ଉପରେ ଛାଡ଼ି ଟ୍ରେନ୍‌ଟି ପ୍ରାୟ ୨୦ମିଟର ଆଗକୁ ଚାଲିଯାଇ ଲେଭଲ କ୍ରସିଂ ଉପରେ ଅଟକି ରହିଥିଲା। ଫଳରେ ଶହଶହ ଗାଡ଼ି ଲେଭଲ୍‌ କ୍ରସିଂ ଉଭୟ ପାର୍ଶ୍ୱରେ ଅଟକି ରହିଥିଲା। ଡ୍ରାଇଭର ଓ ଗୁଡ୍ସ ଗାର୍ଡ ଟ୍ରେନ୍‌ ପଛକୁ ଆଣି ୱାଗନ୍‌ ସଂଯୋଗ କରିଥିଲେ। ଏହାପରେ ଟ୍ରେନ୍‌ ଘଣ୍ଟିଖାଲ ଷ୍ଟେସନ ଅଭିମୁଖେ ଯାତ୍ରା କରିଥିଲା। ୱାଗନ୍‌କୁ ଯୋଡ଼ୁଥିବା କପୁଲ୍‌ ପିନ୍‌ କିମ୍ବା ସେଫ୍‌ ପିନ୍‌ରେ ତ୍ରୁଟି ଥିଲେ ଏଭଳି ‌ହେଉଥିବା କୁହାଯାଉଛି। ଘଣ୍ଟିଖାଲ ଷ୍ଟେସନ ମ୍ୟାନେଜର ନିତ୍ୟାନନ୍ଦ ଦାସ କହିବା ଅନୁଯାୟୀ ଟ୍ରେନ୍‌ରୁ ୱାଗନ ଅଲଗା ହେବା ବା ଅନ୍‌ କପୁଲ ସମସ୍ୟା ଅନେକ ସମୟରେ ଘଟୁଛି।

ସମ୍ବନ୍ଧିତ ଖବର