ମୁନିଗୁଡ଼ା: ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ଅମ୍ବାଦଳା ରେଳ ଷ୍ଟେସନ୍‌ରେ ଗତକାଲି ରାତିରେ ଗୋଟିଏ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି। ୭ଟି ୱାଗନ୍‌ ଏକକାଳୀନ ଟ୍ରାକ୍‌ ବାହାରକୁ ଚାଲି ଯାଇଥିଲା। ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଆଲୁମିନିୟମ୍‌ କାରଖାନା ଅଭିମୁଖେ ଏହି ଟ୍ରେନ୍‌ ଯାଉଥିଲା ବୋଲି ସୂଚନା ମିଳିଛି। ରେଳ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏବେ ‌ଏହି ଲାଇନ୍‌ରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଛି। ସୂଚନା ଅନୁଯାୟୀ, ବିଶାଖାପାଟଣାରୁ ବାହାରିଥିବା ଉକ୍ତ ମାଲବାହୀ ଟ୍ରେନ୍‌ ବକ୍ସାଇଟ୍‌ ନେବା ପାଇଁ ଆଜି ସକାଳେ ଲାଞ୍ଜିଗଡ଼ ଅଭିମୁଖେ ଯାଉଥିଲା। ତେଣୁ ଆମ୍ବାଗୁଡ଼ା ଷ୍ଟେସନ ପହଞ୍ଚି ପୁଣି ଗନ୍ତବ୍ୟ ଅଭିମୁଖେ ବାହାରିବା ସମୟରେ ରାତି ପ୍ରାୟ ସାଢ଼େ ୧୦ଟାରେ ଟ୍ରେନ୍‌ର ୭ଟି ୱାଗନ୍‌ ଟ୍ରାକ୍‌ ବାହାରକୁ ଚାଲି ଯାଇଥିଲା। ଖବର ପାଇ ରାୟଗଡ଼ା ଓ ଟିଟିଲାଗଡ଼ରୁ ବୈଷୟିକ ଟିମ୍‌ ପହଞ୍ଚି ଉଦ୍ଧାର ଓ ଧାରଣା ମରାମତି କାର୍ଯ୍ୟ ଆରମ୍ଭ କରିଥିଲେ। ଆଜି ଅପରାହ୍ନ ପ୍ରାୟ ୩ଟାରେ ଉଦ୍ଧାର ସହ ମରାମତି କାମ ଶେଷ ହେବାପରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଥିଲା। ଧନଜୀବନର କୌଣସି ପ୍ରକାର କ୍ଷତି ହୋଇନଥିବା ବେଳେ ରେଳ ଧାରଣାରେ ବୈଷୟିକ ତ୍ରୁଟି ଯୋଗୁ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ରେଳ ଧାରଣାର ତଦାରଖ ଓ ମରାମତି କାର୍ଯ୍ୟ ପାଇଁ କର୍ମଚାରୀ ନିୟୋଜିତ ହୋଇଛନ୍ତି, ତଥାପି ଷ୍ଟେସନକୁ ଲାଗି ଏହି ଘଟଣା ଘଟିଥିବାରୁ ବୈଷୟିକ ତଦାରଖ ପ୍ରକ୍ରିୟାରେ ଅବହେଳା ସ୍ପଷ୍ଟ ଜଣାପଡ଼ୁଛି। ନିକଟ ଅତୀତରେ ମଧ୍ୟ ଅମ୍ବାଦଳା ରେଳ ଷ୍ଟେସନରେ ବେଦାନ୍ତର ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଥିଲା।