ଭୁବନେଶ୍ବର: ଜାନୁଆରିରୁ ଜୁଲାଇ। ୨୦୨୫ର ପ୍ରଥମ ୭ ମାସ। ଗୋଟିଏ ବି ନିଯୁକ୍ତି ପରୀକ୍ଷାରେ ସ୍ବଚ୍ଛତା ରହିପାରି ନାହିଁ। କେବେ ପ୍ରଶ୍ନରେ ତ୍ରୁଟି ତ ଆଉ କେବେ ପ୍ରଶ୍ନପତ୍ର ଲିକ୍‌। ଗୋଟିଏ ଦିନରେ ଏକାଧିକ ପରୀକ୍ଷା ଘୋଷଣା‌ କରି ହରଡ଼ଘଣାରେ ପଡ଼ିଛି ପ୍ରଶାସନ। ଗୋଟିଏ ପରେ ଗୋଟିଏ ପରୀକ୍ଷା ରଦ୍ଦ, ବାତିଲ, ଘୁଞ୍ଚାଇ ରାଜ୍ୟ ସରକାରଙ୍କ ମୁଣ୍ଡରେ ବଦନାମ ବୋଳିଛନ୍ତି ବିଭିନ୍ନ ନିଯୁକ୍ତି ସଂସ୍ଥା। ଲକ୍ଷାଧିକ ପ୍ରାର୍ଥୀଙ୍କ ଭବିଷ୍ୟତ ବାରମ୍ବାର ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଉଥିଲେ ମଧ୍ୟ ଅଙ୍କୁଶ ଲାଗିପାରି ନାହିଁ। ଘଟଣାର ତଦନ୍ତ ପରେ ହାତଗଣତି ତଳିଆ କର୍ମଚାରୀଙ୍କୁ ଗିରଫ କିମ୍ବା ନିଲମ୍ବନ କରାଯାଇଛି। ହେଲେ ମୁଖ୍ୟ କାର୍ପଟଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ‌ହେଉ ନାହିଁ। ଗଳା ବାଟରେ ବଡ଼ବଡ଼ିଆ ଅଧିକାରୀ ଖସି ଯାଉଥିବା ବେଳେ ତଳିଆକୁ ଧରି ବାହାବା ଗୋଟାଉଛନ୍ତି ତଦନ୍ତକାରୀ ସଂସ୍ଥା। ପରିଣାମ ସ୍ବରୂପ ପରୀକ୍ଷାର ବିଭ୍ରାଟ ଏବେ ବିଷ ଭଳି ବ୍ୟାପିବାରେ ଲାଗିଛି।

Advertisment

କେବଳ ଯେ ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ହେଉଛି ତାହା ‌ନୁହେଁ। ପ୍ରବେଶିକା ପରୀକ୍ଷାରେ ବି ସ୍ବଚ୍ଛତା ରହିପାରୁ ନାହିଁ। ବିଏଡ୍‌, ଏମ୍‌ଏଡ୍‌, ବିଏଚ୍‌ଏଡ୍‌ ପରି ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷାରେ ସ୍ବଚ୍ଛତା ରହି ନ ଥିବା ଅଭିଯୋଗ ଏବର୍ଷ ଆସିଛି। ନିଯୁକ୍ତି ବିଜ୍ଞପ୍ତିର ସର୍ତ୍ତାବଳୀ ଉଲ୍ଲଂଘନ କରି ପ୍ରିଲିମିନାରି ପରୀକ୍ଷାଫଳ ପ୍ରକାଶ ପରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ(ଓଏସ୍‌ଏସ୍‌ସି‌) ଦ୍ବାରା ପରିଚାଳିତ ଆର୍‌ଆଇ, ଆଇସିଡିଏସ୍‌ ସୁପରଭାଇଜର, ଏଆର୍‌ଆଇ, ଅମିନ ଓ ଷ୍ଟାଟିଷ୍ଟିକାଲ୍‌ ଫିଲ୍‌ଡ ସୁପରଭାଇଜର ପାଇଁ ଅଗଷ୍ଟ ୧ରୁ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟ ପରୀକ୍ଷା ବାତିଲ ହୋଇଛି। ଏହି ସବୁ ପଦବି ପାଇଁ ଅନୁଷ୍ଠିତ ପ୍ରିଲିମିନାରି ପରୀକ୍ଷାଫଳ ମଧ୍ୟ ରଦ୍ଦ କରାଯାଇଛି। ଓଏସ୍‌ଏସ୍‌ସି ଦ୍ବାରା ଏପ୍ରିଲ୍‌ରେ ଅନୁଷ୍ଠିତ ଶାରୀରିକ ମାପ ଏବଂ ଶାରୀରିକ ଦକ୍ଷତା ପରୀକ୍ଷା-୨୦୨୪ ସହିତ ବିଭିନ୍ନ ପଦବିର ମିଳିତ ନିଯୁକ୍ତି ପଦବି ପାଇଁ ପରୀକ୍ଷାକୁ ବାତିଲ କରିଥିଲେ। ଏପ୍ରିଲରେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ବାରା ପରିଚାଳିତ ସିଭିଲ୍‌ ସର୍ଭିସ୍ ସେବା ମେନ୍-୨୦୨୩ର ଆନ୍ଥ୍ରୋପୋଲୋଜି ପରୀକ୍ଷାରେ ବିଭ୍ରାଟ ହୋଇଥିଲା। ପ୍ରଥମ ପେପର ପରୀକ୍ଷାରେ କିଛି ପ୍ରଶ୍ନ ଦ୍ବିତୀୟ ପେପରରୁ ଆସିଥିଲା। ଦ୍ବିତୀୟ ପେପର ପରୀକ୍ଷାରେ ପ୍ରଥମ ପେପର କିଛି ପ୍ରଶ୍ନ ଆସିଥିବା ନେଇ ପରୀକ୍ଷାର୍ଥୀଙ୍କ ଅଭିଯୋଗ ପରେ ପଦକ୍ଷେପ ନିଆଯାଇଥିଲା। ସେହିପରି ଓଏସ୍‌ଏସ୍‌ସି ଦ୍ବାରା ପରିଚାଳିତ ଏକ୍ସାଇଜ୍ ଓ ଟ୍ରାଫିକ୍ ଏସ୍ଆଇ ପରୀକ୍ଷାରେ ତ୍ରୁଟି ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ସଂସ୍ଥା ତ୍ରୁଟି ସ୍ବୀକାର କରିବା ସହ ଦୁଃଖ ପ୍ରକାଶ କରିଥିଲେ।

ପରୀକ୍ଷା ବାତିଲ, ରଦ୍ଦ, ଘୁଞ୍ଚାଇବାରେ ୭ ମାସ ବିତିଲାଣି
ତଳିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ବଡ଼ବଡ଼ିଆଙ୍କୁ ମାଫ୍‌
‘ଓଡ଼ିଶା ସାର୍ବଜନୀନ ପରୀକ୍ଷା ଆଇନ ୨୦୨୪’ ଲାଗୁ କେବେ?

ଅନୁରୂପ ଭାବେ ଓଏସ୍‌ଏସ୍‌ସି ଦ୍ବାରା ପରିଚାଳିତ ୨୧ଟି ଏସ୍‌ଆଇ ଟ୍ରାଫିକ୍‌ ପଦବି(ଗ୍ରୁପ୍‌ ବି), ୧୦ଟି ଏସ୍‌ଆଇ ଏକ୍ସାଇଜ୍ ପଦବି(ଗ୍ରୁପ୍ ସି) ପାଇଁ ମିଳିତ ଲିଖିତ ପରୀକ୍ଷାରେ ତ୍ରୁଟି ସାମ୍ନାକୁ ଆସିଥିଲା। ଓପିଏସ୍‌ସି ଦ୍ବାରା ପରିଚାଳିତ ଓଡ଼ିଶା ସୂଚନା ସେବା କ୍ୟାଡର୍‌ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ରହିଥିଲା। ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆରବି) ଗ୍ରୁପ୍ ‘ବି’ ପଦବି ପାଇଁ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷାକୁ ମାର୍ଚ୍ଚ ମାସରେ ସ୍ଥଗିତ ରଖାଯାଇଥିଲା। ଗୋଟିଏ ଦିନରେ ଏକାଧିକ ନିଯୁକ୍ତି ପରୀକ୍ଷା ଥିବାରୁ ଆଶାୟୀମାନେ ପ୍ରଶ୍ନ ଉଠାଇଥିଲେ। ଫେବ୍ରୁଆରିରେ ୟୁଟ୍ୟୁବ୍‌ ମାଧ୍ୟମରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ବିକ୍ରି କରୁଥିବା ଏକ ବଡ଼ ରୢାକେଟ୍‌ ଧରାପଡ଼ିଥିଲା।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ସରକାରୀ ଚାକିରି ପାଇଁ ହେଉଥିବା ବିଭିନ୍ନ ଚୟନ ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆସୁଥିବାରୁ ରାଜ୍ୟ ସରକାର ୨୦୨୪ ନଭେମ୍ବରରେ କଠୋର ହୋଇଥିଲେ। ପରୀକ୍ଷାରେ ଅନିୟମିତତା ଓ ଦୁର୍ନୀତି ବନ୍ଦ କରିବାକୁ ‘ଓଡ଼ିଶା ସାର୍ବଜନୀନ ପରୀକ୍ଷା ଆଇନ୨୦୨୪’ ଉପରେ କ୍ୟାବିନେଟ୍ ମୋହର ବାଜିଥିଲା। ଏହି ଆଇନ ଅଧୀନରେ ସମସ୍ତ ଅପରାଧ ଜାମିନ ବିହୀନ ଓ ରଫା ଅଯୋଗ୍ୟ ହେବ। କୌଣସି ବ୍ୟକ୍ତି ଏପରି ଅପରାଧ କଲେ ତାଙ୍କୁ ତିନିରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାରେ ଦଣ୍ଡିତ କରାଯିବ। ସେବା ପ୍ରଦାନକାରୀ ମଧ୍ୟ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ସହ ଦଣ୍ଡିତ ହେବେ। ସେମାନଙ୍କ ଠାରୁ ଆନୁପାତିକ ପରୀକ୍ଷା ଖର୍ଚ୍ଚ ମଧ୍ୟ ଆଦାୟ କରାଯିବ। ଜରିମାନା ପଇଠ କରିବାରେ ବିଫଳ ହେଲେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ବ୍ୟବସ୍ଥା ଅନୁଯାୟୀ ଅତିରିକ୍ତ ଜେଲ୍ ଦଣ୍ଡ ଲାଗୁ କରାଯିବ। ତେବେ ନିୟମ କେତେ ପାଳନ ହେଉଛି ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।