ଅଗଷ୍ଟ ଶେଷ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା : ସ୍କାଏମେଟ୍

ଭୁବନେଶ୍ବର : ଚଳିତ ମାସ ୧୭ ତାରିଖରେ ବଙ୍ଗୋପସାଗରରେ ହୋଇଥିବା ଲଘୁଚାପ ଯୋଗୁଁ ନିଅଣ୍ଟିଆ ବର୍ଷା ସ୍ଥିତିରେ କିଛିଟା ଉନ୍ନତି ଆସିଛି । ତେବେ ଏହି ଲଘୁଚାପ ପ୍ରଭାବରେ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଭଲ ବର୍ଷା ହୋଇଛି ।

ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ପୂର୍ବାନୁମାନ ଅନୁସାରେ ଆସନ୍ତା ୨୭/୨୮ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ କ୍ଷେତ୍ରଟି ଦକ୍ଷିଣ-ଓଡ଼ିଶା ଓ ଉତ୍ତର-ଆନ୍ଧ୍ରପ୍ରଦେଶରେ ସୃଷ୍ଟି ହେବ । ପୂର୍ବ ଲଘୁଚାପ ପରି ଏହି ଲଘୁଚାପଟି ମଧ୍ୟ ସାମାନ୍ୟ ଦୁର୍ବଳ ରହିବ । ଏହା ସତ୍ତ୍ବେ ଏହି ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ଅଗଷ୍ଟରେ ଦେଖାଦେଇଥିବା ବର୍ଷା ନିଅଣ୍ଟ ଆହୁରି ଦୂର ହେବାର ସମ୍ଭାବନା ରହିଛି ।

ଚଳିତ ଅଗଷ୍ଟ ମାସ ଗତ କିଛି ଦଶନ୍ଧି ମଧ୍ୟରେ ଏକ ସବୁଠାରୁ ଶୁଖିଲା ଅଗଷ୍ଟ ମାସରେ ପରିଣତ ହୋଇଛି । କିନ୍ତୁ ମାସର ଦ୍ବିତୀୟ ଭାଗରେ ହୋଇଥିବା ବର୍ଷା ନିଅଣ୍ଟ ପରିମାଣକୁ କିଛିଟା କମାଇଦେଇଛି । ଅଗଷ୍ଟ ୧ରୁ ୧୮ ମଧ୍ୟରେ ହାରାହାରି ୧୫୯.୯ ମିଲିମିଟର ବର୍ଷା ହୋଇଥାଏ । କିନ୍ତୁ ଚଳିତ ଅଗଷ୍ଟର ଏହି ସମୟରେ ଦେଶରେ ମାତ୍ର ୧୧୦ ମିଲିମିଟର ବର୍ଷା ହୋଇଛି, ଯାହାକି ୩୧ ପ୍ରତିଶତ କମ । ତେବେ ୧୮ ତାରିଖ ପରେ ହୋଇଥିବା ବର୍ଷା ଓ ଆଉ ଏକ ଲଘୁଚାପର ସମ୍ଭାବନା ବର୍ଷା ନିଅଣ୍ଟକୁ ଦୂର କରିବାରେ ସହାୟକ ହେବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର