ଯାଜପୁର: ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକର ଦୁଇଟି ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ ସମୟରେ ବୁଥ୍ ଜବରଦଖଲର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଧର୍ମଶାଳା ବ୍ଲକର ୧୫ ନଂ ଜିଲ୍ଲା ପରିଷଦର ଜୋନରେ ଦିନ ୧୧ଟାରୁ ସାଢ଼େ ୧୧ଟା ଭିତରେ କେତେକ ଲୋକ ପଶି ସେଠାରେ ମତଦାତାମାନଙ୍କୁ ଧମକଚମକ ଦେଇ ବୁଥରୁ ବାହାର କରିଥିଲେ। ତାପରେ ସେମାନେ ବୁଥ୍ ଜବରଦଖଲ କରିଥିଲେ। ଠିକ୍ ସେହିପରି ଧର୍ମଶାଳା ବ୍ଲକର ଜାରକା ପଞ୍ଚାୟତର ଶଙ୍ଖାରଢ଼ିହ ଗାଁରେ ମଧ୍ୟ ଅନୁରୂପ ଭାବେ ବୁଥ୍ ଜବରଦଖଲର ସୂଚନା ମିଳିଛି।
ଖବର ପାଇ ସେଠାରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଓ ଅତିରିକ୍ତ ଏସପି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏଠାରେ ସାନି ମତଦାନ କରାଯିବ ବୋଲି ଜଣାଯାଇଛି। ସେଠାକାର ୩ ଓ ୪ ନଂ ବୁଥରେ ବିଜେପି-ବିଜେଡିର ଏଜେଣ୍ଟମାନଙ୍କ ଭିତରେ ଝଗଡ଼ା ହେବା ହେତୁ ବି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା।